• କାଉଙ୍କ ଶୋକର ରହସ୍ୟ !
  • ସାଥୀ ମରିଗଲେ କାହିଁକି ଜମା ହୁଅନ୍ତି ଶହଶହ କାଉ ?
  • ମୃତ ସାଥୀ ପାଇଁ ଅନ୍ତିମ ସମ୍ମାନ ନା ଆଉ କିଛି ?
  • କାଉଙ୍କ ଶ୍ରଦ୍ଧାଞ୍ଜଳିର ରହସ୍ୟ !

ବ୍ୟୁରୋ ୧୨/୦୭ ; ମଣିଷ ବ୍ୟତୀତ ପ୍ରକୃତିର ଅନେକ ପ୍ରାଣୀ ମଧ୍ୟ ଭାବନା ପ୍ରକାଶ କରନ୍ତି। କିନ୍ତୁ ଏହି କ୍ଷେତ୍ରରେ କାଉମାନଙ୍କ ଆଚରଣ ବେଶ ଅନନ୍ୟ ଓ ଆଶ୍ଚର୍ଯ୍ୟଜନକ। ଯେତେବେଳେ ଗୋଟିଏ କାଉର ମୃତ୍ୟୁ ହୁଏ, ସେତେବେଳେ ଅନ୍ୟ କାଉମାନେ ତାହାର ଶବ ଚାରିପାଖରେ ଏକାଠି ହୋଇ ଜୋରରେ ଡାକିବା, ଘୂରି ବୁଲିବା ଏବଂ କିଛି ସମୟ ପର୍ଯ୍ୟନ୍ତ ସେଠାରେ ରହିବା ଦେଖାଯାଏ। ଏହି ଆଚରଣକୁ ଅନେକ ଗବେଷକ "କାଉଙ୍କ ଶୋକ ସଭା" କିମ୍ବା "ଅନ୍ତିମ ସଂସ୍କାର ଭାବେ ବର୍ଣ୍ଣନା କରନ୍ତି।

କିଛି ଅବଲୋକନରେ ଦେଖାଯାଇଛି ଯେ କାଉମାନେ ମୃତ ସାଥୀଙ୍କ ନିକଟକୁ ଯାଇ ତାକୁ ଛୁଇଁଥାନ୍ତି, ଚାରିପାଖରେ ବସିଥାନ୍ତି ଏବଂ କେତେକ ସମୟରେ ପତ୍ର କିମ୍ବା ଛୋଟ ଜିନିଷ ମଧ୍ୟ ଆଣି ରଖିଥାନ୍ତି। ଏହି ଦୃଶ୍ୟ ଦେଖିଲେ ମନେ ହୁଏ ଯେପରି ସେମାନେ ମୃତ ସାଥୀଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି।

ବୈଜ୍ଞାନିକମାନଙ୍କ ମତରେ କାଉମାନଙ୍କ ଏହି ଆଚରଣ କେବଳ ଶୋକ ପ୍ରକାଶ ନୁହେଁ, ବରଂ ଏକ ସୁରକ୍ଷାମୂଳକ ପ୍ରକ୍ରିୟା ମଧ୍ୟ ହୋଇପାରେ। ଅନ୍ୟ କାଉମାନେ ମୃତ କାଉର ଶରୀର ଦେଖି କ୍ଷତ, ବିଷ କିମ୍ବା କୌଣସି ବିପଦର ଚିହ୍ନ ଖୋଜିଥାନ୍ତି। ଯଦି ସେମାନେ କୌଣସି ଶିକାରୀ କିମ୍ବା ବିପଦର ସଙ୍କେତ ପାଆନ୍ତି, ତେବେ ସେହି ସ୍ଥାନକୁ ଏଡ଼ାଇବା ପାଇଁ ଅନ୍ୟ କାଉମାନଙ୍କୁ ସତର୍କ କରନ୍ତି।

COVID Alert: ଆନ୍ଧ୍ରରେ କୋଭିଡ୍ ମୃତ୍ୟୁ, ଓଡ଼ିଶାରେ ଆଲର୍ଟ; କୋଭିଡ୍‌ ଡ୍ୟାସ୍‌ବୋର୍ଡ ତଥ୍ୟ, ଗଞ୍ଜାମରେ ଜଣେ ପଜିଟିଭ୍‌ !

ଗବେଷଣା ଅନୁସାରେ, କାଉମାନେ ବିପଦପୂର୍ଣ୍ଣ ସ୍ଥାନକୁ ମନେ ରଖିପାରନ୍ତି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ସ୍ଥାନରୁ ଦୂରେଇ ରହନ୍ତି । କାଉମାନେ ବିଶ୍ୱର ସବୁଠାରୁ ବୁଦ୍ଧିମାନ ପକ୍ଷୀମାନଙ୍କ ମଧ୍ୟରୁ ଗୋଟିଏ। ଶରୀରର ଆକାର ତୁଳନାରେ ସେମାନଙ୍କ ମସ୍ତିଷ୍କ ବହୁତ ବିକଶିତ। ସେମାନେ ମଣିଷର ମୁହଁ ଚିହ୍ନିପାରନ୍ତି, ସମସ୍ୟାର ସମାଧାନ କରିପାରନ୍ତି। ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ଜନ୍ ମାର୍ଜଲଫ୍ କାଉମାନଙ୍କ ବ୍ୟବହାର ଉପରେ ବର୍ଷ ଧରି ଅଧ୍ୟୟନ କରିଛନ୍ତି। ତାଙ୍କ ଅନୁସାରେ କାଉମାନେ ମୃତ ସାଥୀଙ୍କ ଘଟଣାରୁ ଶିଖନ୍ତି ଏବଂ ଭବିଷ୍ୟତର ବିପଦକୁ ଚିହ୍ନଟ କରିବାର କ୍ଷମତା ବଢ଼ାନ୍ତି। ଏହା ସେମାନଙ୍କର ଉଚ୍ଚ ସାମାଜିକ ବୁଦ୍ଧିମତାର ପ୍ରମାଣ।

ଭାରତୀୟ ସଂସ୍କୃତିରେ କାଉମାନଙ୍କର ଏକ ବିଶେଷ ସ୍ଥାନ ରହିଛି। ହିନ୍ଦୁ ପରମ୍ପରାରେ କାଉମାନଙ୍କୁ ପୂର୍ବପୁରୁଷଙ୍କ ଦୂତ ଭାବରେ ବିବେଚନା କରାଯାଏ। ଶ୍ରାଦ୍ଧ ଏବଂ ପିତୃପକ୍ଷ ସମୟରେ କାଉଙ୍କୁ ଖାଦ୍ୟ ଅର୍ପଣ କରିବାର ପରମ୍ପରା ରହିଛି। ଗ୍ରାମାଞ୍ଚଳରେ କାଉଙ୍କ ଡାକକୁ ନେଇ ଅନେକ ଲୋକବିଶ୍ୱାସ ମଧ୍ୟ ରହିଛି। ଯଦିଓ ଏହାର ବୈଜ୍ଞାନିକ ପ୍ରମାଣ ନାହିଁ, ତଥାପି ମଣିଷ ଓ କାଉଙ୍କ ମଧ୍ୟରେ ଏକ ସାଂସ୍କୃତିକ ସମ୍ପର୍କ ଦୀର୍ଘଦିନ ଧରି ରହିଆସିଛି । କେବଳ କାଉ ନୁହେଁ, ହାତୀ, ଡଲଫିନ୍ ଭଳି ଅନେକ ପ୍ରାଣୀ ମଧ୍ୟ ନିଜ ସାଥୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଥିବା ଦେଖାଯାଇଛି।