ଆଜି ପବିତ୍ର ଆଷାଢ଼ ମାସ କୃଷ୍ଣ ପକ୍ଷର 'ଯୋଗିନୀ ଏକାଦଶୀ' । ଶାସ୍ତ୍ର ଅନୁଯାୟୀ, ଏହି ଏକାଦଶୀ ବ୍ରତର ମହିମା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ରହିଛି ଯେ, ଏହି ଦିନ ନିଷ୍ଠାର ସହ ବ୍ରତ ରଖି ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କଲେ ମଣିଷ ସବୁ ପାପରୁ ମୁକ୍ତି ପାଇଥାଏ । ଏହାସହ ଶ୍ରୀହରି ଓ ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ସୁଖ, ଶାନ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ । ଶାସ୍ତ୍ରରେ କୁହାଯାଇଛି ଯେ, ଏହି ଗୋଟିଏ ବ୍ରତ କଲେ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସଦୃଶ ପୁଣ୍ୟ ମିଳିଥାଏ । ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁସାରେ, ଯୋଗିନୀ ଏକାଦଶୀ ଦିନ ଘରର କେତେକ ବିଶେଷ ସ୍ଥାନରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ସୁଖ-ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଆଜି ସନ୍ଧ୍ୟାରେ ଘରର ଏହି ୫ଟି ସ୍ଥାନରେ ଦୀପ ନିଶ୍ଚୟ ଜଳାନ୍ତୁ:

୧. ଚଉରା ବା ତୁଳସୀ ମୂଳେ:

ଶାସ୍ତ୍ରରେ ମାତା ତୁଳସୀଙ୍କୁ ମା’ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନନ୍ତି । ଯୋଗିନୀ ଏକାଦଶୀ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଘିଅ ଦୀପଟିଏ ଜାଳିଲେ ଘରକୁ ସୁଖ-ଶାନ୍ତି ଆସିଥାଏ ଏବଂ ସୌଭାଗ୍ୟ ବୃଦ୍ଧି ହୁଏ ।

୨. ଘରର ମୁଖ୍ୟ ଦ୍ୱାର:

ଏହି ପବିତ୍ର ଦିନରେ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଗୋଟିଏ ଘିଅ ଦୀପ ନିଶ୍ଚୟ ଜାଳନ୍ତୁ । ଏହା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଏବଂ ମା’ ଲକ୍ଷ୍ମୀଙ୍କର ଆଗମନ ହୁଏ ।

ଏହା ବି ପଢ଼ନ୍ତୁ... Mirror Vastu: ଘରେ ଏହି ଦିଗକୁ ମୁହଁ କରି ଲଗାଇଛନ୍ତି କି ଦର୍ପଣ ? ଶୀଘ୍ର ହଟାଇ ଦିଅନ୍ତୁ, ନହେଲେ...

୩. ଘରର ପୂଜାଘର:

ଆଜି ଦିନରେ ନିଜ ପୂଜାଘରେ ଅଖଣ୍ଡ ଜ୍ୟୋତି କିମ୍ବା ଶୁଦ୍ଧ ଘିଅର ଦୀପ ଜାଳନ୍ତୁ । ଏହାଦ୍ୱାରା ଦେବାଦେବୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି, ଯାହାଫଳରେ ଘରର ପରିବେଶ ପବିତ୍ର ରହିଥାଏ ।

୪. ଓସ୍ତ ଗଛ ମୂଳେ:

ଏକାଦଶୀ ତିଥିରେ ଓସ୍ତ ଗଛ ନିକଟରେ ଦୀପ ଜାଳିବାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଓସ୍ତ ଗଛ ମୂଳେ ଦୀପ ଦେବା ଦ୍ୱାରା ଶନି ଦୋଷ ଏବଂ ପିତୃ ଦୋଷ ଭଳି ସମସ୍ୟାରୁ ମୁକ୍ତି ମିଳେ ଓ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୁଏ ।

୫. ରୋଷେଇ ଘର:

ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠାରୁ ପବିତ୍ର ସ୍ଥାନ ବୋଲି ଧରାଯାଏ, କାରଣ ଏଠାରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏକାଦଶୀ ଦିନ ରୋଷେଇ ଘରେ ଗୋଟିଏ ଦୀପ ଜଳାଇଲେ ଘରେ କେବେ ମଧ୍ୟ ଧନଧାନ୍ୟର ଅଭାବ ରହେ ନାହିଁ । ଦୀପ ଜଳାଇବା ପାଇଁ ସବୁବେଳେ ଶୁଦ୍ଧ ଗାଈ ଘିଅ କିମ୍ବା ସୋରିଷ ତେଲର ବ୍ୟବହାର କରନ୍ତୁ । ଦୀପ ଜଳାଇବା ସମୟରେ ମନକୁ ଶାନ୍ତ ରଖନ୍ତୁ ଏବଂ ଅତ୍ୟନ୍ତ ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ।