ବ୍ରହ୍ମପୁର,୧୨/୦୭: ଆନ୍ଧ୍ରପ୍ରଦେଶରେ କୋଭିଡ୍‌ରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୪ ଜଣ ଆକ୍ରାନ୍ତ ଖବର ଗଞ୍ଜାମ ଜିଲ୍ଲାକୁ ଚିନ୍ତିତ କରିଛି । ତେବେ ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେତେ ତତ୍ପର ଅଛି ଜଣାପଡୁନି । ଗୋଟିଏ କଥା ଜଣାଯାଇଛି ଯେ, ଏବେ ଜିଲ୍ଲାରେ ଗୋଟିଏ କୋଭିଡ୍ ଆକ୍ରାନ୍ତ ସକ୍ରିୟ ରହିଛି । ଓଡ଼ିଶା କୋଭିଡ୍ ଡ୍ୟାସ୍‌ ବୋର୍ଡରେରେ ଏହା ସ୍ପଷ୍ଟ ଭାବେ ଦର୍ଶାଯାଇଛି । ରାଜ୍ୟ ବୋର୍ଡରେ ପ୍ରଦର୍ଶିତ ତଥ୍ୟରୁ ଜଣାଯାଇଛି ଯେ ରାଜ୍ୟରେ ୧୨୬ ଜଣ କୋଭିଡ୍ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ଗଞ୍ଜାମରେ ଏହି ସଂଖ୍ୟା ହେଉଛି ଜଣେ ।

୨୦୨୦ରୁ ଏବେ ପର୍ଯ୍ୟନ୍ତ ଜିଲ୍ଲାରେ ୩୬୯୯୭ ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ୩୬୪୭୫ ଜଣ ସୁସ୍ଥ ହୋଇଛନ୍ତି । ୫୧୩ ଜଣଙ୍କ ମୃତ୍ୟୁ କୋଭିଡ କାରଣରୁ ଏବଂ ୮ ଜଣଙ୍କ ମୃତ୍ୟୁ ନନ୍-କୋଭିଡ୍ କାରଣରୁ ହୋଇଛି । ଏବେ ଜଣେ ମାତ୍ର ରୋଗୀ ସକ୍ରିୟ ରହିଛି ବୋଲି ଡ୍ୟାସ୍‌ ବୋର୍ଡରେ ସ୍ପଷ୍ଟ ଲିଖିତ ଅଛି ।

ଆନ୍ଧ୍ରରେ କୋଭିଡ୍ ମୃତ୍ୟୁ ଓ ଆକ୍ରାନ୍ତ ଖବର ଗଞ୍ଜାମ ଜିଲ୍ଲା ପାଇଁ ଆଲର୍ଟ ହୋଇପାରେ । କିନ୍ତୁ ଏପଟେ ଓଡ଼ିଶା କୋଭିଡ୍ ଡ୍ୟାସ୍‌ ବୋର୍ଡରେ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲାରେ ଗୋଟିଏ କୋଭିଡ୍ ପଜିଟିଭ୍ ରହିଛି । କେବଳ ଗଞ୍ଜାମ ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ କୋଭିଡ୍ ପଜିଟିଭ୍ ସଂଖ୍ୟା ଏକାଧିକ ବୋଲି ଡ୍ୟାସ୍‌ବୋର୍ଡରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଗଞ୍ଜାମରେ ଜଣେ କୋଭିଡ୍ ଆକ୍ରାନ୍ତ ସକ୍ରିୟ ଥିବା ନେଇ ଓଡ଼ିଶା କୋଭିଡ୍ ଡାସ୍‌ବୋର୍ଡ ତଥ୍ୟକୁ ଅସ୍ୱୀକାର କରିଛନ୍ତି ଗଞ୍ଜାମ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିପିଏଚ୍ଓ) ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ । ସେ କହିଛନ୍ତି ଜିଲ୍ଲାରେ କୋଭିଡ୍‌ର କୌଣସି ପଜିଟିଭ୍ ନାହାନ୍ତି । ତେଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ।।