ମୁମ୍ବାଇ,୩୧/୧୦: ଆଗାମୀ ଆଇପିଏଲ୍‌ ମେଗା ନିଲାମ ପୂର୍ବରୁ ଗୁରୁବାର ଖେଳାଳି  ପ୍ରତିଧାରଣର ଶେଷ ତାରିଖ । ଇତି ମଧ୍ୟରେ  ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ପସନ୍ଦର ଖେଳାଳିଙ୍କୁ  ରିଟେନ୍‌ କରି ବାକି ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ  କରିସାରିଛନ୍ତି । ଗୁରୁବାର ସମସ୍ତ ରିଟେନ ଖେଳାଳିଙ୍କ ନାମ ଘୋଷଣା ହେବ । ଇତି ମଧ୍ୟରେ  ଅଧିକାଂଶ ଫ୍ରାଞ୍ଚାଇଜ୍‌ଙ୍କ ତାଲିକା ସ୍ପଷ୍ଟ ହୋଇଛି ।  

୫ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ମହେନ୍ଦ୍ର  ସିଂହ ଧୋନିଙ୍କୁ ଅନ୍‌ କ୍ୟାପ୍‌ଡ ଖେଳାଳି ଭାବେ  ରିଟେନ କରିଥିବା ବହୁ ପୂର୍ବର ସ୍ପଷ୍ଟ ହୋଇସାରିଛି ।  ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଧିନାୟକ ଋତୁରାଜ  ଗାଏକୱାଡ୍‌, ରବିନ୍ଦ୍ର ଜାଡେଜା, ଶିବମ ଦୁବେ ଓ  ଶ୍ରୀଲଙ୍କାର ମଥିଶା ପତିରଣାଙ୍କୁ ସୁପରକିଙ୍ଗ୍‌ସ  ରିଟେନ କରିବାକୁ ଯାଉଥିବା ଜଣା ପଡ଼ିଛି । ଏହି  ବାବଦରେ ସୁପରକିଙ୍ଗ୍‌ସ ନିଲାମ ପର୍ସରୁ ୬୫କୋଟି  ଟଙ୍କା କାଟ୍‌ ହେବ । ୫ଖେଳାଳିଙ୍କ ବ୍ୟତୀତ ଆଉ  ଜଣେ ଖେଳାଳିଙ୍କୁ ସୁପରକିଙ୍ଗ୍‌ସ ରାଇଟ ଟୁ ମ୍ୟାଚ୍‌  କାର୍ଡ ଜରିଆରେ ଫେରାଇ ଆଣିବ ।  

ସୂଚନାଯୋଗ୍ୟ, ଏଥର ମେଗା ନିଲାମ ପୂର୍ବରୁ  କିଛି ନୂଆ ନିୟମ ଲାଗୁ କରାଯାଇଛି ଓ ନିଲାମ ପାଇଁ  ୧୨୦କୋଟି ଟଙ୍କାକୁ ରାଶି ବୃଦ୍ଧି କରାଯାଇଛି । ନିଲାମ  ପୂର୍ବରୁ ପତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୬ଜଣ  ଖେଳାଳି ରିଟେନ କରିପାରିବେ କିମ୍ବା ନିଲାମରେ  ଅତି ବେଶିରେ ୨ଟି ଆରଟିଏମ କାର୍ଡ ବ୍ୟବହାର  କରିପାରିବେ । ରିଟେନ ତାଲିକାରେ ସର୍ବାଧିକ  ୫ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଖେଳାଳି  ବା ୨ଜଣ ଘରୋଇ ଖେଳାଳି ରହିପାରିବେ ।