ମୁମ୍ବାଇ,୩୧/୧୦: ଆଗାମୀ ଆଇପିଏଲ୍ ମେଗା ନିଲାମ ପୂର୍ବରୁ ଗୁରୁବାର ଖେଳାଳି ପ୍ରତିଧାରଣର ଶେଷ ତାରିଖ । ଇତି ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କ ପସନ୍ଦର ଖେଳାଳିଙ୍କୁ ରିଟେନ୍ କରି ବାକି ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ କରିସାରିଛନ୍ତି । ଗୁରୁବାର ସମସ୍ତ ରିଟେନ ଖେଳାଳିଙ୍କ ନାମ ଘୋଷଣା ହେବ । ଇତି ମଧ୍ୟରେ ଅଧିକାଂଶ ଫ୍ରାଞ୍ଚାଇଜ୍ଙ୍କ ତାଲିକା ସ୍ପଷ୍ଟ ହୋଇଛି ।
୫ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନିଙ୍କୁ ଅନ୍ କ୍ୟାପ୍ଡ ଖେଳାଳି ଭାବେ ରିଟେନ କରିଥିବା ବହୁ ପୂର୍ବର ସ୍ପଷ୍ଟ ହୋଇସାରିଛି । ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଧିନାୟକ ଋତୁରାଜ ଗାଏକୱାଡ୍, ରବିନ୍ଦ୍ର ଜାଡେଜା, ଶିବମ ଦୁବେ ଓ ଶ୍ରୀଲଙ୍କାର ମଥିଶା ପତିରଣାଙ୍କୁ ସୁପରକିଙ୍ଗ୍ସ ରିଟେନ କରିବାକୁ ଯାଉଥିବା ଜଣା ପଡ଼ିଛି । ଏହି ବାବଦରେ ସୁପରକିଙ୍ଗ୍ସ ନିଲାମ ପର୍ସରୁ ୬୫କୋଟି ଟଙ୍କା କାଟ୍ ହେବ । ୫ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳିଙ୍କୁ ସୁପରକିଙ୍ଗ୍ସ ରାଇଟ ଟୁ ମ୍ୟାଚ୍ କାର୍ଡ ଜରିଆରେ ଫେରାଇ ଆଣିବ ।
ସୂଚନାଯୋଗ୍ୟ, ଏଥର ମେଗା ନିଲାମ ପୂର୍ବରୁ କିଛି ନୂଆ ନିୟମ ଲାଗୁ କରାଯାଇଛି ଓ ନିଲାମ ପାଇଁ ୧୨୦କୋଟି ଟଙ୍କାକୁ ରାଶି ବୃଦ୍ଧି କରାଯାଇଛି । ନିଲାମ ପୂର୍ବରୁ ପତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୬ଜଣ ଖେଳାଳି ରିଟେନ କରିପାରିବେ କିମ୍ବା ନିଲାମରେ ଅତି ବେଶିରେ ୨ଟି ଆରଟିଏମ କାର୍ଡ ବ୍ୟବହାର କରିପାରିବେ । ରିଟେନ ତାଲିକାରେ ସର୍ବାଧିକ ୫ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଖେଳାଳି ବା ୨ଜଣ ଘରୋଇ ଖେଳାଳି ରହିପାରିବେ ।