ନୂଆଦିଲ୍ଲୀ: ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ଚେନ୍ନାଇକୁ ବ୍ୟାଟିଂ କରିଛି ଆମନ୍ତ୍ରଣ । ସିଏସକେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ବିଶାଳ ସ୍କୋର କରିବା ସହ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ଦଳ । ଅଧିନାୟକ ଋତୁରାଜ ଗାଏକ୍ବାଡ ଏବଂ ଓପନର ସଞ୍ଜୁଙ୍କ ଉପରେ ଆଜିର ମ୍ୟାଚରେ ଅଧିକ ଚାପ ରହିବ । ପୂର୍ବରୁ ଏମାନେ ଫ୍ଲପ୍ ହୋଇଥିବାବେଳେ ବିଜୟୀ ହୋଇ ଦଳକୁ ପ୍ରଥମ ପଏଣ୍ଟ ଦେବେ ବୋଲି ଆଶା ରଖାଯାଇଛି ।
ପ୍ରଥମ ୩ଟି ମ୍ୟାଚ ହାରି ସାରିଥିବା ଚେନ୍ନାଇ ଏହି ମ୍ୟାଚ ଜରିଆରେ ଭାଗ୍ୟ ବଦଳାଇବାକୁ ପ୍ରୟାସ କରିବ । ୨ଟି ମ୍ୟାଚ ଜିତିବା ପରେ ତୃତୀୟ ମ୍ୟାଚରେ ମାତ୍ର ୧ ରନ୍ ପାଇଁ ପରାଜିତ ହୋଇଥିବା ଦିଲ୍ଲୀ ମଧ୍ୟ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ଆଜି ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସାମସନ ଏପର୍ଯ୍ୟନ୍ତ ଚେନ୍ନାଇ ପକ୍ଷରୁ ଆଖିଦୃଶିଆ ଖେଳ ପ୍ରଦର୍ଶନ କରିନାହାନ୍ତି । ତାଙ୍କ ପ୍ରଦର୍ଶନ ଚେନ୍ନାଇ ଫ୍ୟାନ୍ ମାନଙ୍କୁ ନିରାଶ କରିଛି । ତେଣୁ ବଡ଼ ଇନିଂସ ଖେଳି ଦଳକୁ ଜିତାଇବା ସହ ପ୍ରଶଂସକଙ୍କ ଭରସା ଜିତିବା ସାମସନଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ ।
ଅଧିନାୟକ ଋତୁରାଜ ଗାଏକୱାଡଙ୍କ ବ୍ୟାଟ୍ରୁ ମଧ୍ୟ ଉପଯୋଗୀ ଇନିଂସ ଆଶା କରାଯାଉଛି । ଡିୱାଲ୍ଡ ବ୍ରେଭିସ୍ ଫିଟ୍ ହୋଇ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଦଳର ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । ତଥାପି ମହେନ୍ଦ୍ର ସିଂହ ଧୋନି ଫିଟ୍ ହୋଇ ନଥିବାରୁ ରଣନୀତିରେ ଚେନ୍ନାଇ ପଛରେ ପଡ଼ି ଯାଇଛି ।
ଦିଲ୍ଲୀ ଗତ ମ୍ୟାଚରେ ଗୁଜରାଟ ଠାରୁ ପରାଜିତ ହୋଇଥିଲେ ହେଁ ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରଖିଛି । ଓପନର କେଏଲ ରାହୁଲ ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତିକର ଖବର । ସେ ଉକ୍ତ ମ୍ୟାଚରେ ମାତ୍ର ୮ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳିବ । କାରଣ ଚେନ୍ନାଇ ବିପକ୍ଷରେ ଖେଳିଥିବା ଶେଷ ୬ଟି ମ୍ୟାଚରେ ସେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ୪୦ ରନ୍ର ପାଳି ଖେଳିଛନ୍ତି ।