କଟକ,୧୧/୬ : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଏସ୍‌ସିବି ମେଡିକାଲ୍‌ର ନିଜସ୍ୱ ସିଟି ସ୍କାନ ମେସିନ୍‌ ଆସିଛି । ଅତ୍ୟାଧୁନିକ ସୁବିଧା ଥିବା ସିଟି ସ୍କାନ୍‌ ମେସିନ୍‌ ଏସ୍‌ସିବିରେ ପହଞ୍ଚିଛି । ଆସନ୍ତା ୩ ଦିନ ଭିତରେ ଏସ୍‌ସିବି ଆଞ୍ଚଳିକ ନିଦାନ କେନ୍ଦ୍ରରେ ଏହାକୁ ସ୍ଥାପନ କରାଯିବ । ଆଟମିକ୍‌ ଏନର୍ଜି ରେଗୁଲେଟୋରୀ ବୋର୍ଡ (ଏଇଆର୍‌ବି)ର ଅନୁମତି ମିଳିବା ପରେ ଏଥିରେ ରୋଗୀଙ୍କ ପରୀକ୍ଷା ଆରମ୍ଭ ହେବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଉ ଗୋଟିଏ ସିଟି ସ୍କାନ୍‌ ମେସିନ୍‌, ଗୋଟେ ଏମ୍‌ଆରଆଇ ମେସିନ୍‌ ଓ ୪ଟି ଅଲଟ୍ରାସାଉଣ୍ଡ ମେସିନ୍‌ ମଧ୍ୟ ଏସ୍‌ସିବିକୁ ଆସିବ । ମେ ୩୧ ତାରିଖ ସୁଦ୍ଧା ସମସ୍ତ ମେସିନ୍‌ ଏସ୍‌ସିବିରେ ସ୍ଥାପନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ବିଭିନ୍ନ କାରଣ ପାଇଁ ଏବେ କେବଳ ଗୋଟିଏ ସିଟି ସ୍କାନ୍‌ ମେସିନ ଜାପାନରୁ ଆସିଛି । ଅନ୍ୟ ମେସିନ ସବୁ ଖୁବ୍‌ ଶୀଘ୍ର ଆସିବ ବୋଲି କୁହାଯାଉଛି । କର୍ପୋରେଟ୍‌ ସୋସିଆଲ୍‌ ରେସପନସିବିଲିଟି (ସିଏସ୍‌ଆର୍‌) ଫଣ୍ଡରୁ ମିଳିଥିବା ୨୩ କୋଟି ଟଙ୍କା ବିନିଯୋଗ କରାଯାଇ ଏହି ମେସିନ କିଣାଯାଇଥିବା ସୂଚନା ମିଳିଛି । 

ପୂର୍ବ ଭାରତର ଅନ୍ୟତମ ବୃହତ ମେଡିକାଲ୍‌ କଲେଜ ହୋଇଥିଲେ ମଧ୍ୟ ଏସ୍‌ସିବିରେ ନିଜସ୍ୱ ସିଟି ସ୍କାନ୍‌ କିମ୍ବା ଏମ୍‌ଆର୍‌ଆଇ ମେସିନ୍‌ ନାହିଁ । ପୂର୍ବରୁ ଥିବା ଏକ ପୁରୁଣା ସିଟି ମେସିନ୍‌ ଅଚଳ ହୋଇପଡ଼ିବାରୁ ଘରୋଇ-ସରକାରୀ ସହଭାଗିତା (ପିପିପି)ମୋଡରେ ଉଭୟ ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ସ୍ଥାପନ କରାଯାଇ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରାଯାଉଛି । ଏଥିପାଇଁ ରୋଗୀଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନଥିଲେ ମଧ୍ୟ ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ଥିବାରୁ ସେମାନେ ମନମୁଖି ଭାବେ କାମ କରିବା ସହ ରିପୋର୍ଟ ଦେବାରେ ଅବହେଳା କରୁଛନ୍ତି । ରୋଗୀମାନେ ରିପୋର୍ଟ ପାଇବା ପାଇଁ ଦୁଇ ଦିନ ଅପେକ୍ଷାରେ ରହୁଛନ୍ତି । କେବଳ ସେତିକି ନୁହେଁ, ଗୋଟିଏ ସିଟି ସ୍କାନ୍‌ ରହିଥିବାରୁ ପରୀକ୍ଷା ପାଇଁ ଦିନରାତି ଲୋକଙ୍କ ଧାଡ଼ି ଲାଗି ରହୁଛି । ସିଟି ସ୍କାନ୍‌ କରିବା ପାଇଁ ଦିନକୁ ଦୁଇ ଶହରୁ ଅଧିକ ରୋଗୀ ଆସୁଥିବା ବେଳେ ପରୀକ୍ଷା ସୁବିଧା ମାତ୍ର ୫୦ ଜଣ ପାଉଛନ୍ତି । ଅନ୍ୟ ରୋଗୀ ସିଟି ସ୍କାନ୍‌ କରାଇନପାରି ନିରାଶ ହୋଇ ଫେରୁଛନ୍ତି। 

ସେହିଭଳି ଏମ୍‌ଆର୍‌ଆଇ ଓ ଅଲଟ୍ରା ସାଉଣ୍ଡ କ୍ଷେତ୍ରରେ ମଧ୍ୟ ରୋଗୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ନୂଆ ସିଟି ସ୍କାନ୍‌ ମେସିନ ଆସିବା ପରେ ରୋଗୀମାନଙ୍କର ଅନେକ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଅନ୍ୟ ସବୁ ମେସିନ ସ୍ଥାପନ ହୋଇଗଲେ ଏସ୍‌ସିବିକୁ ଆସୁଥିବା ରୋଗୀମାନେ ପରୀକ୍ଷା ପାଇଁ ହନ୍ତସନ୍ତ ହେବେ ନାହିଁ । ଏ ସଂପର୍କରେ ଏସ୍‌ସିବି ପ୍ରଶାସନିକ ଅଧିକାରୀ ସୁବାସ ଚନ୍ଦ୍ର ରାୟ କହିଛନ୍ତି ଯେ, ସିଟି ସ୍କାନ୍‌ ଯୋଗାଣ କରିଥିବା ସଂସ୍ଥାର ଇଞ୍ଜିନିୟରିଂ ଟିମ୍‌ ମେସିନ୍‌ ସ୍ଥାପନ ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମେ ପରୀକ୍ଷାମୂଳକ ଭାବେ ଡ୍ରାଏ ରନ୍‌ କରାଯିବ । ପରେ ରୋଗୀଙ୍କ ପରୀକ୍ଷା ନିରୀକ୍ଷା ନିମନ୍ତେ ଅନୁମତି ଦେବାକୁ ଏଇଆର୍‌ବିକୁ ଚିଠି କରାଯିବ । ଅନୁମତି ମିଳିବା ପରେ ରୋଗୀଙ୍କ ପରୀକ୍ଷା ନିରୀକ୍ଷା ଆରମ୍ଭ ହେବ ।