ନୂଆଦିଲ୍ଲୀ, ୧୪।୫: କ୍ୟୁବା ବର୍ତ୍ତମାନ ଏକ ଏପରି ମାନବୀୟ ସଙ୍କଟ ଦେଇ ଗତି କରୁଛି, ଯାହା ଗତ କିଛି ଦଶନ୍ଧି ମଧ୍ୟରେ କେବେ ଦେଖିବାକୁ ମିଳିନଥିଲା । ସମଗ୍ର ଦେଶରେ ଇନ୍ଧନର ଶେଷ ବୁନ୍ଦା ବି ବାକି ନାହିଁ । ସରକାର ଆନୁଷ୍ଠାନିକ ଭାବେ 'ବ୍ଲାକଆଉଟ୍' ବା ଶକ୍ତି ସଙ୍କଟ ଘୋଷଣା କରିଛନ୍ତି । ଦେଶର ଶକ୍ତି ମନ୍ତ୍ରୀ ଭିସେଣ୍ଟେ ଡିଲାଓ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ଡିଜେଲ ଏବଂ ଫ୍ୟୁଲ୍ ଅଏଲର ଷ୍ଟକ୍ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି ।

ଅନ୍ଧାରରେ କ୍ୟୁବା: ୨୦-୨୨ ଘଣ୍ଟା କଟୁଛି ବିଜୁଳି

ରାଜଧାନୀ ହଭାନା ସମେତ ସମଗ୍ର ଦେଶ ବର୍ତ୍ତମାନ ଅନ୍ଧାରରେ ବୁଡ଼ି ରହିଛି । ବିଦ୍ୟୁତ୍ ଗ୍ରୀଡ୍ରେ କୌଣସି ରିଜର୍ଭ ବା ସଂରକ୍ଷିତ ଇନ୍ଧନ ନଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଦିନକୁ ୨୦ ରୁ ୨୨ ଘଣ୍ଟା ବିଜୁଳି କାଟ: ଲୋକମାନେ ଦିନସାରା ଅନ୍ଧାରରେ ରହୁଛନ୍ତି । ମାତ୍ର ୨-୩ ଘଣ୍ଟା ପାଇଁ ବିଜୁଳି ଆସୁଛି, ଯାହା ମୌଳିକ ଆବଶ୍ୟକତା ପାଇଁ ଯଥେଷ୍ଟ ନୁହେଁ ।

ଶକ୍ତି ଗ୍ରୀଡ୍ ବିପର୍ଯ୍ୟସ୍ତ: ରାଷ୍ଟ୍ରୀୟ ବିଦ୍ୟୁତ୍ ଗ୍ରୀଡ୍ ବର୍ତ୍ତମାନ ଏକ ନାଜୁକ ସ୍ଥିତିରେ ପହଞ୍ଚିଛି । ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟଗୁଡ଼ିକ ଏକ ପ୍ରକାର ଠପ୍ ହୋଇଯାଇଛି ।

ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ବଢ଼ିଲା ଅଡ଼ୁଆ:

କ୍ୟୁବାର ଏହି ଦୁର୍ଦ୍ଦଶା ପଛରେ ଆନ୍ତର୍ଜାତୀୟ ରାଜନୀତି ମଧ୍ୟ ବଡ଼ କାରଣ ସାଜିଛି । ପୂର୍ବରୁ ମେକ୍ସିକୋ ଏବଂ ଭେନେଜୁଏଲା ଭଳି ଦେଶ କ୍ୟୁବାକୁ ଇନ୍ଧନ ଯୋଗାଉଥିଲେ । କିନ୍ତୁ, ଜାନୁଆରୀ ୨୦୨୬ରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶ ଓ କଡ଼ା ପ୍ରତିବନ୍ଧକ ପରେ ଏହି ଦେଶଗୁଡ଼ିକ କ୍ୟୁବାକୁ ତେଲ ପଠାଇବା ବନ୍ଦ କରିଦେଇଛନ୍ତି । କ୍ୟୁବା ସରକାର କହିଛନ୍ତି ଯେ, ଯେକୌଣସି ଦେଶ ଯଦି ଇନ୍ଧନ ବିକିବାକୁ ପ୍ରସ୍ତୁତ ହୁଏ, ତେବେ କ୍ୟୁବା ତାହା କିଣିବାକୁ ରାଜି । କିନ୍ତୁ, କଟକଣା ଯୋଗୁଁ କେହି ସହାୟତା କରିବାକୁ ଆଗେଇ ଆସୁନାହାନ୍ତି ।

ସୋଲାର ପାୱାର ବି ବିଫଳ !

କ୍ୟୁବା ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧,୩୦୦ ମେଗାୱାଟ ସୌର ଶକ୍ତି କ୍ଷମତା ବୃଦ୍ଧି କରିଛି । କିନ୍ତୁ ଇନ୍ଧନ ବିନା ବିଦ୍ୟୁତ୍ ଗ୍ରୀଡ୍ ଏତେ ଅସ୍ଥିର ହୋଇପଡ଼ିଛି ଯେ, ସୌର ଶକ୍ତିରୁ ମିଳୁଥିବା ବିଜୁଳିକୁ ସଠିକ୍ ଭାବେ ବଣ୍ଟନ କରାଯାଇ ପାରୁନାହିଁ । ବିଦ୍ୟୁତ୍ ଗ୍ରୀଡ୍ ପରିଚାଳନା ପାଇଁ ମଧ୍ୟ କିଛି ମାତ୍ରାରେ ଇନ୍ଧନର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନ ଅଭାବ । ଏହି ସଙ୍କଟ କେବଳ ବିଜୁଳି ମଧ୍ୟରେ ସୀମିତ ନାହିଁ, ଫ୍ରିଜ୍ ଚାଲୁନଥିବାରୁ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି । ଡାକ୍ତରଖାନାରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ପେଟ୍ରୋଲ ଓ ଡିଜେଲ ନଥିବାରୁ ରାସ୍ତାରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଛି । ବର୍ତ୍ତମାନ ସରକାର କେବଳ ଘରୋଇ କଞ୍ଚାତେଲ, ପ୍ରାକୃତିକ ଗ୍ୟାସ ଏବଂ ସୀମିତ ଅକ୍ଷୟ ଶକ୍ତି ଉପରେ ଭରସା କରି ଗୁଜରାଣ ମେଣ୍ଟାଉଛନ୍ତି । "ଆମ ପାଖରେ ନା ଅଛି ଡିଜେଲ, ନା ଅଛି ଫ୍ୟୁଲ୍ ଅଏଲ୍ । ଆମେ ଏକ ବଡ଼ ଧରଣର ଶକ୍ତି ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ।" ବୋଲି କ୍ୟୁବା ଶକ୍ତି ମନ୍ତ୍ରୀ ବିସେଣ୍ଟେ ଡିଲାଓ କହିଛନ୍ତି । କ୍ୟୁବା ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାହାଯ୍ୟ ଅପେକ୍ଷାରେ ଅଛି, ନଚେତ୍ ଏହି ଦ୍ୱୀପ ରାଷ୍ଟ୍ରଟି ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯିବା ଆଶଙ୍କା ଦେଖାଦେଇଛି ।