କଟକ,୦୮/୧୧: ଚଳିତ ବର୍ଷ  ଜିଲ୍ଲା ପ୍ରଶାସନ ଦ୍ୱାରା ଦହିବରା ହାଟ  ହୋଇଥିଲାବେଳେ ତାହା କେବଳ ପ୍ରହସନ  ପାଲଟିଥିବା ଅଭିଯୋଗ ହୋଇଛି । କାରଣ  ତଳ ପଡ଼ିଆରେ ଏଭଳି ଏକ ସ୍ଥାନରେ ଷ୍ଟଲ୍‌  ଦିଆଯାଇଛି ଯାହାକୁ ଖୋଜି ବୁଲୁଛନ୍ତି ଲୋକେ ।  ଯେଉଁଠି ପୂର୍ବରୁ ଦହିବରା ବ୍ୟବସାୟୀମାନେ  ଦିନକରେ ଧୁମ୍‌ ବେପାର କରୁଥିଲେ ଏଥର  ତାହାର ଅଧା ବେପାର ହେଉ ନ ଥିବାରୁ  ଏହା ବ୍ୟବସାୟୀଙ୍କୁ ନିରାଶ କରିଛି ।

କଟକ ସହରର ବିଭିନ୍ନ ନାମୀଦାମୀ ଦହିବରା ବ୍ୟବସାୟୀଙ୍କୁ ନେଇ ଦହିବରା ହାଟ କରିଛି ପ୍ରଶାସନ । ବାଲିଯାତ୍ରା ପୂର୍ବରୁ ଏନେଇ ପ୍ରଶାସନ ଡିଙ୍ଗୁରା ପିଟିଥିଲା । କିନ୍ତୁ ବାଲିଯାତ୍ରାକୁ ତିନି ଦିନ ପୂରିବାକୁ ବସିଥିଲାବେଳେ ଆଶା ମୁତାବକ ବେପାର କରିପାରୁନାହାନ୍ତି ବ୍ୟବସାୟୀ । କାରଣ ଓରମାସ୍‌ ଓ କଟକ ଇନ୍‌ କଟକ ମଝିରେ ଗଳି ଭିତରେ ଷ୍ଟଲ୍‌ ପଡ଼ିଛି । ଯାହା ଅନେକ କିଣାକିଣି ସାମଗ୍ରୀ  ଭିତରେ ଖାଇବା ଷ୍ଟଲ୍‌ ପଡ଼ିଥିବାରୁ ହଠାତ୍‌  ଏହା ଦହିବରା ହାଟ ବୋଲି ଅନୁମାନ କରିବା  ମୁସ୍କିଲ୍‌ ହୋଇପଡୁଛି । କିନ୍ତୁ ତାହାରି ମଧ୍ୟରେ  ରିଂବନ୍ଧ ରାସ୍ତା ପାଶ୍ୱର୍କୁ ମୁହଁ କରି ବାବୁଲା  ଦହିବରା, ଏ ୱାନ୍‌ ପ୍ରତାପ ଦହିବରା,  ତ୍ରିନାଥ ଦହିବରା ଓ ରଘୁ ଦହିବରା  ଭଳି ୪ଟି ଷ୍ଟଲ୍‌ ପଡ଼ିଛି । ପୂର୍ବରୁ ଉପର  ପଡ଼ିଆରେ ବେପାର କରୁଥିଲାବେଳେ  ଏଥର ଅନେକ ସ୍ୱପ୍ନ ଦେଖାଇ ଆଣିଥିବା  ପ୍ରଶାସନ କୋଣଠେସା କରି ଭୁଲିଯାଇଥିବା  ଅଭିଯୋଗ କରିଛନ୍ତି ବ୍ୟବସାୟୀ ।