କଟକ,୦୯/୧୧: ମୁଁ କାଳିଆ, ଅସୁନ୍ଦର ବୋଲି ମୋ’ର ପ୍ରେମକୁ ବେଖାତିର କରିଛି । ମୋତେ ଭଲ  ନପାଇ ମୋର ସାଙ୍ଗର ଗାର୍ଲଫ୍ରେଣ୍ଡ୍‌ ହୋଇଛି । ଠିକ୍‌  ଅଛି, ସୁଯୋଗ ମିଳୁ ପାନେ ଦେବି ।-ପ୍ରତିଶୋଧର  ଏଭଳି କିଛି ନିଆଁରେ ଜଳୁଥିବା ଜଣେ ଛାତ୍ର ହିଁ  କଟକରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ କାର୍ପଟଦାର ବୋଲି ପୁଲିସ ଜାଣିବାକୁ ପାଇଛି । ଅଶ୍ଲୀଳ  ଭିଡିଓକୁ ଭାଇରାଲ୍‌ ଧମକ ଦେଇ ଏହି ଛାତ୍ର ଜଣକ ହିଁ  ଯୋଜନାବଦ୍ଧ ଭାବେ ସବୁ କରିଛି । ସମସ୍ତ ଅଭିଯୁକ୍ତଙ୍କ  ଜବତ ଫୋନ୍‌ ଓ ଘଟଣା ଦିନ ପିନ୍ଧିଥିବା ପୋଷାକକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ (ଏସ୍‌ଏଫ୍‌ଏଲ୍‌) କୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି । 

ପୁଲିସର କହିବାନୁସାରେ, ନୟାଗଡ଼ର ପିତୁ,  ବାଦାମବାଡ଼ି ଥାନା ଅଞ୍ଚଳର ଆଶୁ ଓ ପୀଡ଼ିତା ଏକ  ସଙ୍ଗେ କଲେଜରେ ପଢ଼ୁଛନ୍ତି । କିଛି ମାସ ପୂର୍ବର  ଘଟଣା, ପିତୁ ପ୍ରଥମେ ପୀଡ଼ିତାଙ୍କୁ ଏକତରଫା ପ୍ରେମ  କରୁଥିଲେ । ପ୍ରେମ ନିବେଦନ କଲା ପରେ କିନ୍ତୁ  ପୀଡ଼ିତା ତାହାକୁ ପ୍ରତ୍ୟାଖାନ କଲେ । ଏହା ମଧ୍ୟରେ  ପୀଡ଼ିତା ଓ ପିତୁର ସାଙ୍ଗ ଆଶୁ ମଧ୍ୟରେ ପ୍ରେମ  ସମ୍ପର୍କ ଗଢ଼ିଉଠିଲା । ଏହି ବିଷୟ ଜାଣିବା ପରେ  ପିତୁ ପ୍ରତିଶୋଧ ପରାୟଣ ହେଲା । ପୀଡ଼ିତା ଅର୍ଥାତ୍‌  ତାର ସହପାଠୀକୁ ଦିନେ ପାନେ ଚଖାଇବ ବୋଲି ପଣ  କଲା । ଏହା ମଧ୍ୟରେ ଆଶୁ ଓ ପୀଡ଼ିତାଙ୍କର ମଧ୍ୟରେ  ପ୍ରେମ ସମ୍ପର୍କ ବଢ଼ିଚାଲିଲା । କାଳୀ ଭସାଣି ବେଳେ  ଆଶୁ ପୀଡ଼ିତାଙ୍କୁ ନେଇ କାଠଗଡ଼ା ସାହିରେ ଥିବା  ନାବାଳକ ସାଙ୍ଗର କାଫେକୁ ଯାଇଥିଲା । ସେଠାରେ  ଖିଆପିଆ ବାହାନାରେ ଆଶୁ ତାର ପ୍ରେମିକା ସହ  ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ  ଏହି ସମୟର ଦୃଶ୍ୟକୁ କାଫେ ମାଲିକ ଫୋନ୍‌ରେ  ରେକର୍ଡ କରିଦେଇଥିଲା । ପରଦିନ କାଫେ ମାଲିକ  ଏହି ଭିଡିଓକୁ ଆଶୁ ଓ ପରେ ପିତୁକୁ ଦେଖାଇଲା ।  ପିତୁ ସେହି ଭିଡିଓ ପାଇଯିବା ପରେ ଆରମ୍ଭ କଲା  ଅସଲ ଖେଳ । ପୂର୍ବରୁ ପ୍ରତିଶୋଧ ମୋଡ୍‌ରେ ଥିବା  ପିତୁ ବ୍ଲାକମେଲ୍‌ ଆରମ୍ଭ କଲା । ଉକ୍ତ ଭିଡିଓ ଦେଖାଇ  ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିବାକୁ ପିତୁ  କହିଲା । ଆଶୁ ଉକ୍ତ କଥା ପୀଡ଼ିତାଙ୍କୁ କହିବାରୁ ଭିଡିଓ  ଭାଇରାଲ୍‌ ହେବା ଭୟରେ ପୁଣି କାଠଗଡ଼ା ସାହିର  କାଫେକୁ ଆସିଲା । ସେଠାରେ କାଫେ ନାବାଳକ  ମାଲିକ ପୀଡ଼ିତାକୁ ବଳାତ୍କାର କଲେ। 

ଏହି ଘଟଣା  ଏହିଠାରେ ଅଟକିଲାନି, ପିତୁ ନିଜେ ପୀଡ଼ିତା ସହ  ଶାରୀରିକ ସମ୍ପର୍କ ରଖିବ ବୋଲି ଆଶୁକୁ କହି ପୁନର୍ବାର  ପୀଡ଼ିତାଙ୍କୁ ଡକାଇଲା । ଏଥର ପୀଡ଼ିତା ଆସିବା ପରେ  ତାଙ୍କୁ ବାରଙ୍ଗର ତ୍ରିଶୁଳିଆକୁ ନେଇଗଲେ । ସେଠାରେ  ପିତୁ ଓ ଲକି ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ ।  ଏସବୁ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ସାମିଲ  ରହିଥିଲେ ବି ସେମାନେ ବଳାତ୍କାର କରିନାହାନ୍ତି  ବା ପୀଡ଼ିତା ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି  ବୋଲି ପୁଲିସ କହିଛି । ସେମାନେ କେବଳ ଭିଡିଓକୁ  ଫୋନ୍‌ରେ ରଖି ପୀଡ଼ିତାଙ୍କୁ ଏଭଳି କରିବା ପାଇଁ  ବାଧ୍ୟ କରିଥିଲେ ଓ ପୂରା ଘଟଣାରେ ସଂପୃକ୍ତ ଥିବା  ପୀଡ଼ିତା ତାଙ୍କ ଏତଲାରେ ଲେଖିଥିବା ପୁଲିସ  ଜଣାଇଛି ।

 ଅନ୍ୟପଟେ ପୁଲିସ ଜବତ କରିଥିବା  ପୀଡ଼ିତା, ସମସ୍ତ ଅଭିଯୁକ୍ତଙ୍କ ପୋଷାକ ଓ ୫ଟି  ଫୋନ୍‌କୁ ଏସ୍‌ଏଫ୍‌ଏଲ୍‌କୁ ପଠାଇଛି । ପୀଡ଼ିତାଙ୍କର କରାଯାଇଥିବା ମେଡ଼ିକାଲ୍‌ ରିପୋର୍ଟକୁ ପୁଲିସ ଅପେକ୍ଷା  କରିଛି । ଘଟଣାରେ ସଂଗ୍ରହ ହୋଇଥିବା ତଥ୍ୟ, ପ୍ରମାଣ  ଓ ସାକ୍ଷ୍ୟ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ  ପର୍ଯ୍ୟାପ୍ତ ବୋଲି ଡିସିପି ଜଗମୋହନ ମୀନା ସୂଚନା  ଦେଇଛନ୍ତି । ତେଣୁ ଖୁବ୍‌ଶୀଘ୍ର ଏହି ଘଟଣାରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଶ୍ରୀ ମୀନା କହିଛନ୍ତି ।