କଟକ,୨୯/୧୨: କଟକ ସହରାଞ୍ଚଳ ପୁଲିସରେ ବର୍ଷ ୨୦୨୫ରେ ମାମଲା ସଂଖ୍ୟା ହୁହୁ ହୋଇ ବଢ଼ିଛି । ଏବର୍ଷ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ଗତବର୍ଷ ଅର୍ଥାତ୍ ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ । ଗୁରୁତ୍ୱପୂର୍ଣ୍ଣ ହେଉଛି ସହର ଉପକଣ୍ଠରେ ଥିବା ସଦର, ଚୌଦ୍ୱାର, ଜଗତପୁର ଓ ବାରଙ୍ଗ ଥାନା ଏବେ ମାମଲାର ବୋଝ ତଳେ ଚପିଲା ଭଳି ଲାଗୁଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତା ବଢ଼ାଇଛି ।

କଟକରେ ଏବେ ମୋଟ୍ ୨୪ଟି ଥାନା ରହିଛି । ୧୯ଟି ସାଧାରଣ ଥାନା, ଗୋଟିଏ ମହିଳା ଥାନା, ଗୋଟିଏ ସାଇବର ଥାନା, ଗୋଟିଏ ବିଦ୍ୟୁତ୍ ଥାନା ଓ ଦୁଇଟି ଟ୍ରାଫିକ୍ ଥାନା ଅଛି । ତନ୍ମଧ୍ୟରୁ ବିଦ୍ୟୁତ୍ ଥାନା ଏକ ପ୍ରକାର ଅଚଳ । ଦୁଇ ଟ୍ରାଫିକ୍ ଥାନାରେ କେସ୍ କରାଯାଏନି । ଏହାକୁ ଛାଡ଼ିଲେ ବାକି ୨୧ଟି ଥାନାରେ ଗତ ୨୦୨୪ ମସିହାରେ ମୋଟ୍ ୭ ହଜାର ୨୬୮ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ୨୧ଟି ଥାନାରେ ୯ ହଜାର ୧୩୯ଟି କେସ୍ ରୁଜୁ ହୋଇଛି ।

କଟକ ସଦର ଥାନାରେ ସବୁଠୁ ଅଧିକ ୯୭୪ଟି କେସ୍ ରୁଜୁ ହୋଇଛି । ଗତବର୍ଷ ଏଠାରେ ୭୧୭ଟି କେସ୍ ରୁଜୁ ହୋଇଥିଲା । ହଠାତ୍ ବର୍ଷକ ଭିତରେ ପ୍ରାୟ ଅଢ଼େଇ ଶହରୁ ଅଧିକ କେସ୍ ଏଠାରେ ରୁଜୁ ହୋଇଛି । ଏହି କ୍ରମରେ ଜଗତପୁର ଥାନାରେ ୭୫୬ଟି କେସ୍, ଚୌଦ୍ୱାର ଥାନାରେ ୭୫୨ ଓ ବାରଙ୍ଗ ଥାନାରେ ୭୨୦ଟି କେସ୍ ରୁଜୁ ହୋଇଛି । କଟକ ସହରର ମୋଟ୍ ରୁଜୁ ମାମଲାରୁ ଏହି ୪ଟି ଉପକଣ୍ଠ ଥାନାରେ ୧ ତୃତୀୟାଂଶ କେସ୍ ଦାୟର ହୋଇଛି । ଏହାବାଦ୍ ଚାଉଳିଆଗଞ୍ଜ ଥାନାରେ ୬୪୦ଟି କେସ୍, ବାଦାମବାଡ଼ିରେ ୫୦୪, ଲାଲ୍‌ବାଗରେ ୪୮୮, ମଙ୍ଗଳାବାଗ ୪୬୨, ପୁରୀଘାଟରେ ୪୬୦ ଓ ବୟାଳିଶମୌଜାରେ ୪୨୬ଟି ମାମଲା ରୁଜୁ ହୋଇଛି । ସେହିପରି ମଧୁପାଟଣାରେ ୩୬୭, ମାଲ୍ଗୋଦାମ ୩୪୨, ବିଡ଼ାନାସୀ ଥାନାରେ ୩୩୩, ସିଆର୍ଆର୍ଆଇ ୩୧୭, କ୍ୟାଣ୍ଟନମେଣ୍ଟ ୩୧୩ ଓ ଦରଘାବଜାର ଥାନାରେ ୩୦୩ ମାମଲା ରୁଜୁ ହୋଇଛି । ଏଥିସହିତ ମର୍କତନଗର ଥାନାରେ ୨୬୩, କନ୍ଦରପୁର ୨୪୬, ସିଡିଏ ଫେଜ୍-ଦୁଇ ୧୮୭, ମହିଳା ଥାନାରେ ୧୮୩ ଓ ସାଇବର ଥାନାରେ ୧୦୩ କେସ୍ ଦାୟର ହୋଇଛି । ତେବେ ହଠାତ୍ କଟକ ସହରରେ ଗୋଟିଏ ବର୍ଷରେ ପ୍ରାୟ ୨ ହଜାର ମାମଲା ରୁଜୁ ହେବା ଚିନ୍ତାଜନକ ବୋଲି ଖୋଦ୍ କିଛି ପୁଲିସ ଅଫିସର ସ୍ୱୀକାର କରିଛନ୍ତି । ଅନ୍ୟପଟେ ଗାଡ଼ି ଯାଞ୍ଚ୍ ନେଇ ରୁଜୁ ହେଉଥିବା କେସ୍, ସାଇବର କେସ୍ ଓ ଅବକାରୀ କେସ୍ ବଢ଼ିବାରୁ ଏହି ସଂଖ୍ୟା ବଢ଼ିଥିବା ପୁଲିସର କିଛି ଅଧିକାରୀ କହୁଛନ୍ତି । ମାତ୍ର ଅସଲ କଥା ହେଉଛି, ଚଳିତ ବର୍ଷ ପ୍ରାୟ ସବୁ ଥାନାରେ କଳିଝଗଡ଼ା ମାମଲା ଅହେତୁକ ଭାବେ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ପ୍ରାୟ ୧୪ଶହ ଅଧିକ କଳିଝଗଡ଼ା ହୋଇଥିବାରୁ ସ୍ଥିତି ଏଭଳି ହୋଇଛି ।