ଭୁବନେଶ୍ୱର,୧୫/୧୦: ୟୁଟ୍ୟୁବର ଶଙ୍କର ପୁଣି ଜେଲ  ଯାଇଛନ୍ତି । ଏଥର ତାଙ୍କୁ ସାଇବର ଓ ଅର୍ଥନୈତିକ ଅପରାଧ  ଥାନା ପୁଲିସ ଗିରଫ କରିଛି । ସାଇବର ଥାନା ଏସିପି ଅଞ୍ଜନା  ଟୁଡୁ କହିଛନ୍ତି, ଏକ ରାଜନୈତିକ ଦଳର ଜଣେ ନେତ୍ରୀଙ୍କ  ଚରିତ୍ର ସଂହାର କରିବା ଅଭିଯୋଗରେ ତାଙ୍କୁ ବାଲେଶ୍ୱରରୁ  ଗିରଫ କରାଯାଇଛି ।  ଶଙ୍କରଙ୍କ ପୂରା ନାଁ ଉମାଶଙ୍କର ପାଣିଗ୍ରାହୀ ଓରଫ ଓମ୍‌  ଓରଫ ସାରନ । ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ  ବରିରେ । ସେ ବରମୁଣ୍ଡା ଶତାଦ୍ଦୀ ନଗରର ସ୍ୱାଇଁ କଲୋନିରେ  ରହୁଛନ୍ତି । ତାଙ୍କର ‘ପିଟିସି (ପାଣିଗ୍ରାହୀ ଟେଲି ମିଡିଆ  କମ୍ପୁନିକେସନ) ଓଡି଼ଶା’ ନାଁରେ ତା’ର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌  ଅଛି । ଉକ୍ତ ଚ୍ୟାନେଲରେ ଅଧିକାଂଶ ପୋଷ୍ଟରେ ଅଶ୍ଲୀଳ ଭାଷା ବ୍ୟବହାର କରାଯାଏ । ସେ ଅନେକ ପୋଷ୍ଟରେ ନାରୀମାନଙ୍କୁ  ଅପମାନିତ କରିବା ଭଳି ଶବ୍ଦ ଉଚ୍ଚାରଣ କରିଥାନ୍ତି । କିଛି ଦିନ  ତଳେ ସେ ଉକ୍ତ ଚ୍ୟାନେଲରେ ପୁଲିସ ଓ ଗଣମାଧ୍ୟମକୁ ବେଶ୍ୟା  ଦର୍ଶାଇ ଏକ ରୋଷ୍ଟ ଭିଡିଓ ଅପଲୋଡ କରିଥିଲେ ।

ଗତ ୧୨  ତାରିଖରେ ଜଣେ ନେତ୍ରୀ ସାଇବର ଥାନାରେ ତାଙ୍କ ନାଁରେ  ଅଭିଯୋଗ କରିଥିଲେ । ନେତ୍ରୀଙ୍କ  ଅଭିଯୋଗ ମୁତାବକ, ସେ ଉକ୍ତ ରୋଷ୍ଟ ଭିଡିଓକୁ ତୀବ୍ର ପ୍ରତିବାଦ  କରିଥିଲେ । ପୋଷ୍ଟ ତଳେ ଏକ  କମେଣ୍ଟ ଲେଖିଥିଲେ । ପୁଲିସ  ଓ ଗଣମାଧ୍ୟମ ବିରୋଧରେ  ଏଭଳି ଅଶ୍ଲୀଳ ଭାଷା ବ୍ୟବହାର  ନ କରିବାକୁ ତାଗିଦ୍‌ କରିଥିଲେ । ଶଙ୍କରଙ୍କ ବିରୋଧରେ  ଗଣମାଧ୍ୟମରେ ମଧ୍ୟ ବିଷ ଉଗାରିଥିଲେ । ଏଥିରେ ଶଙ୍କର  ଆହୁରି ରାଗିଯାଇଥିଲେ । ସମ୍ପୃକ୍ତ ନେତ୍ରୀଙ୍କ ବିରୋଧରେ  ଏକ ରୋଷ୍ଟ ଭିଡିଓ ଅପଲୋଡ କରିଥିଲେ । ସେଥିରେ  ନେତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ତାଙ୍କର  ଚରିତ୍ର ସଂହାର କରିଥିଲେ ।  

ଅଞ୍ଜନା କହିଛନ୍ତି, ସୋସିଆଲ ମିଡିଆରେ ଅନ୍ୟର ଚରିତ୍ର  ସଂହାର କରିବା ଶଙ୍କରର ପୁରୁଣା ରୋଗ । ରାତାରାତି ଚର୍ଚ୍ଚା  ସାଉଁଟିବା ଓ ୟୁ-ଟ୍ୟୁବରୁ ଟଙ୍କା କମାଇବା ଚକ୍କରରେ ସେ  ଏଭଳି କରିଥାଏ । ପୂର୍ବରୁ ଓଡି଼ଶାର ବିଭିନ୍ନ ଜିଲ୍ଲାର ଝିଅମାନଙ୍କୁ  ଖରାପ ଦର୍ଶାଇ ଏକ ଗୀତ ଅପଲୋଡ କରିଥିଲା । ଏହାଛଡ଼ା  ହାଇ-ପ୍ରୋଫାଇଲ ଯୁବତୀମାନଙ୍କ ସହ ସୋସିଆଲ ମିଡିଆରେ  ବନ୍ଧୁତା ସ୍ଥାପନ କରି ନିକଟତର ହେବା ପାଇଁ ଚେଷ୍ଟା କରେ ।  ଯଦି କେହି ତାକୁ ବିରୋଧ କରେ, ତା’ ନାଁରେ ୟାଡୁ ସିଆଡୁ  ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରି ଚରିତ୍ର ସଂହାରରେ  ଲାଗିଯାଏ । ବାଲେଶ୍ୱର ସିମୁଳିଆ ଥାନାରେ ୨ଟି ମାମଲା ଅଛି ।  ଭୁବନେଶ୍ୱର ମହିଳା ଥାନାରେ ମଧ୍ୟ ଗୋଟିଏ ଅଭିଯୋଗ ରହିଛି ।