ବେତନଟୀ,୫/୬ : ସାଇକେଲ ଚାଳକଙ୍କୁ ଦଳି ଦେଲା ଦନ୍ତା ହାତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ପଞ୍ଚାୟତର ଡେଉଁଚପଦା ଗାଁ ମୁଣ୍ଡରେ । ମୃତକ ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ ଅଙ୍ଗାରିଆ ଗ୍ରାମର ଲୁସ୍କୁ ମାର୍ଣ୍ଡିଙ୍କ ପୁଅ ବାବୁଲା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସବୁ ଦିନ ଭଳି ବାବୁଲା ଗୁରୁବାର ରାତି ସାଢେ ୮ଟା ପାଖାପାଖି ସମୟରେ ସାଇକେଲ ଯୋଗେ କାମରୁ ଘରକୁ ଫେରୁଥିଲେ । ଏହି ସମୟରେ ଡେଉଁଚପଦାଠାରେ ବଣୁଆହାତୀ ହାବୁଡ଼ରେ ପଡିଯାଇଥିଲେ l ବାବୁଲାଙ୍କ ସାଙ୍ଗରେ ଥିବା ଅନ୍ୟ ସାଇକେଲ ଚାଳକମାନେ ସେଠାରୁ କୌଣସି ପ୍ରକାରେ ଖସି ପଳାଇଥିଲେ । ମାତ୍ର ବାବୁଲା ଅନ୍ଧାରରେ ଜାଣି ନ ପାରି ବଣୁଆହାତୀ ହାବୁଡ଼ରେ ପଡି ଯାଇଥିଲେ l ଗୋଠ ଛଡା ବିଶାଳ ବଣୁଆ ଦନ୍ତାହାତୀଟି ବାବୁଲାଙ୍କ ମୁଣ୍ଡରେ ମାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା l
ଖବରପାଇ ବେତନଟୀ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାବୁଲାଙ୍କ ମୃତଦେହ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ଆଣିଥିଲେ l ବେତନଟୀରେ କାର୍ଯ୍ୟରତ ଡାକ୍ତର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ l ବେତନଟୀ ରେଞ୍ଜର ମନୁୱର ଖାଁ, ବନପାଳ ପ୍ରଦୀପ ଦେହୁରୀ, ଦୀପକ ପାତ୍ର ପ୍ରମୁଖ ବେତନଟୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବା ନେଇ ବେତନଟୀ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l