ପୁରୀ, ୩୦/୦୬: ବଡ଼ଦେଉଳ ବିଧି ସହ ଯୋଡ଼ି ହୋଇଛି ସେବାୟତ ଘର ପରମ୍ପରା । ସ୍ନାନପୂର୍ଣ୍ଣମୀ ଠାରୁ ଏକାନ୍ନରେ ରହୁଛନ୍ତି ଦଇତାପତି ପରିବାର । ଘର ଦ୍ୱାର ଲିପା ପୋଛା ହେଲା । ମହାପ୍ରଭୁଙ୍କ ସ୍ନାନ ଜଳ ହାଣ୍ଡିଶାଳରେ ଛିଞ୍ଚା ହେଲା । ମାଟିରେ ତିଆରି ହେଲା ଚୂଲି । ନୂଆ ମାଟି ହାଣ୍ଡିରେ ପ୍ରସ୍ତୁତ ହେଲା ହବିଷାନ୍ନ । ହାଣ୍ଡିଶାଳରେ ରହିଛନ୍ତି ପିତୃପୁରୁଷ(ବଡ଼ବଡ଼ିଆ) । ହବିଷ ରାନ୍ଧି ବଡ଼ବଡ଼ିଆଙ୍କୁ ଭୋଗ ଲଗାଉଛନ୍ତି କୂଳବଧୁ । ଏହାପରେ ସମସ୍ତେ ହବିଷାନ୍ନ ଗ୍ରହଣ କରୁଛନ୍ତି । ଏକାନ୍ନରେ ରହିବେ ଦଇତାପତି ପରିବାର ।

 

ସ୍ନାନ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଅଣସର ୧୫ଦିନ ପର୍ଯ୍ୟନ୍ତ ଚାଲିବ ଏହି ବିଧିବିଧାନ । ଦଇତାପତି ଘରର ପୁରୁଷ ଲୋକେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଗୁପ୍ତପୂଜାରେ ରହିଛନ୍ତି । ମହିଳାମାନେ ଘରେ ଥିବା ପତିତପାବନଙ୍କୁ ପୂଜୁଛନ୍ତି । ପିଢ଼ି ପରେ ପିଢ଼ି ଘରର ମହିଳାମାନେ ସମ୍ଭାଳିଛନ୍ତି ଏହି ସବୁ ରୀତିନୀତି । ସ୍ନାନବେଦିରେ ମହାପ୍ରଭୁଙ୍କ ସ୍ନାନ ବଢ଼ିଲାପରେ ଉକ୍ତ ସ୍ନାନଜଳ ଆସି ସେମାନଙ୍କ ହାଣ୍ଡିଶାଳ ସମେତ ନୂଆ କରି ତିଆରି ହୋଇଥିବା ମାଟି ଚୁଲି ଓ ହାଣ୍ଡିରେ ଛିଞ୍ଚା ହେଲା । କାଠ ଚୁଲିରେ ରନ୍ଧା ହେଲା ହବିଷାନ୍ନ ଓ ଡାଲି । କଞ୍ଚା ମୁଗରେ କଦଳୀ ଓ ସାରୁ ପଡ଼ି ରନ୍ଧା ଯାଏ । ହାଣ୍ଡିଶାଳରେ ବଡ଼ବଡ଼ିଆଙ୍କୁ ପୂଜା କରାଗଲା ପରେ ସମସ୍ତେ ଖାଦ୍ୟ ଗ୍ରହଣ କରନ୍ତି । ପୁରୁଷ ଓ ମହିଳାମାନେ ଏକାନ୍ନ ରୁହନ୍ତି । ଏପରିକି ଅବିବାହିତ ଝିଅ ବାହାରେ ରହିଲେ ସମ୍ପୂର୍ଣ୍ଣ ନିଷ୍ଠାରେ ରୁହନ୍ତି ।