ମୁମ୍ବାଇ, ୩୦।୬: ନିର୍ବାଚନ ମଇଦାନରେ ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏକ ବଡ଼ ଭୂମିକାରେ ନଜର ଆସିବେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଦେଶର ପ୍ରମୁଖ ବେସରକାରୀ ବ୍ୟାଙ୍କ HDFC ନିଜର ନୂତନ ଚେୟାରମ୍ୟାନ୍ ନିଯୁକ୍ତି କରିଛି । ବ୍ୟାଙ୍କ ବୋର୍ଡ ପୂର୍ବତନ ସିଇସି (CEC) ରାଜୀବ କୁମାରଙ୍କୁ ନୂଆ ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏବେ କେବଳ ଆରବିଆଇର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି । HDFC ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ନିୟାମକ ସୂଚନା ଅନୁଯାୟୀ, ବୋର୍ଡ ଅଫ୍ ଡିରେକ୍ଟର୍ସ ରାଜୀବ କୁମାରଙ୍କୁ ୪ ବର୍ଷ ପାଇଁ ବ୍ୟାଙ୍କର ଇଣ୍ଡିପେଣ୍ଡେଡ୍ ଡିରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ୩୦ ଜୁନ୍, ୨୦୨ ରୁ କାର୍ଯ୍ୟକାରୀ ହେବ । RBI ର ସବୁଜ ସଙ୍କେତ ମିଳିବା ପରେ ତାଙ୍କୁ ୩ ବର୍ଷ ପାଇଁ ବ୍ୟାଙ୍କର ପାର୍ଟ-ଟାଇମ୍ ଚେୟାରମ୍ୟାନ୍ କରାଯିବ । ସୂଚନାଯୋଗ୍ୟ ଯେ, ୧୯୮୪ ବ୍ୟାଚ୍ର ଏହି ପୂର୍ବତନ IAS ଅଫିସର ତଥା ପୂର୍ବତନ ଆର୍ଥିକ ସଚିବ ଦେଶର ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିସାରିଛନ୍ତି ।
ଏହା ବି ପଢ଼ନ୍ତୁ... Mathura Road Accident: ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସ୍-ଟ୍ରଲର ଧକ୍କାରେ ୪ ମୃତ, ୨୦ ଆହତ
ରାଜୀବ କୁମାର ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ୍ ଅତନୁ ଚକ୍ରବର୍ତ୍ତୀଙ୍କ ସ୍ଥାନ ନେବେ । ଅତନୁ ଚକ୍ରବର୍ତ୍ତୀ ଗତ ମାର୍ଚ୍ଚ ମାସରେ କିଛି ନୈତିକ ଚିନ୍ତାଧାରା ଦର୍ଶାଇ ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ, HDFC ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ଏବଂ ସିଇଓ ଶଶିଧର ଜଗଦୀଶନଙ୍କ କାର୍ଯ୍ୟକାଳ ଆସନ୍ତା ୨୬ ଅକ୍ଟୋବର, ୨୦୨ ରେ ଶେଷ ହେବାକୁ ଯାଉଛି । ଆଇନଗତ ସମୀକ୍ଷା ଓ କ୍ଲିନ୍ ଚିଟ୍ ମିଳିବା ପରେ, ବୋର୍ଡ ପକ୍ଷରୁ ଜଗଦୀଶନଙ୍କୁ ତୃତୀୟ କାର୍ଯ୍ୟକାଳ ପାଇଁ ଆରବିଆଇ ନିକଟକୁ ସୁପାରିଶ କରାଯିବାର ସମ୍ଭାବନା ରହିଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୭ ରୁ ୨୦୨୦ ମଧ୍ୟରେ ଯେତେବେଳେ ଆର୍ଥିକ ସେବା ବିଭାଗର ସଚିବ ଭାବେ ରାଜୀବ କୁମାର ଦାୟିତ୍ୱ ତୁଲାଉଥିଲେ, ସେତେବେଳେ ସରକାରୀ ବ୍ୟାଙ୍କଗୁଡ଼ିକ ଏନପିଏ, ପୁଞ୍ଜିର ଅଭାବ ଏବଂ ଅନେକ ବଡ଼ ଘୋଟାଲା ଭଳି ସଙ୍କଟ ଦେଇ ଗତି କରୁଥିଲେ । ନିଜର ଦୃଢ଼ ନୀତି ଯୋଗୁଁ ସେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବଡ଼ ସଂସ୍କାର ଆଣିଥିଲେ । ଦାୟିତ୍ୱ ନେବାର ମାତ୍ର ୨ ସପ୍ତାହ ମଧ୍ୟରେ ପ୍ରାୟ ୩.୩୮ ଲକ୍ଷ ଶେଲ୍ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଥିଲେ । ଏହା ସହ ଠକେଇ ରୋକିବା ପାଇଁ ‘Banning of Unregulated Deposit Schemes Act, 2019’ ପାସ୍ କରାଇଥିଲେ ।
ଋଣ ନେଇ ସୁଝୁନଥିବା ବଡ଼ ବଡ଼ ବ୍ୟବସାୟୀଙ୍କ ଉପରେ ‘ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍’(IBC) ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୫୦ କୋଟି ବା ତା'ଠାରୁ ଅଧିକ ଋଣ ନେଉଥିବା ବ୍ୟକ୍ତିଙ୍କ ପାଇଁ ପାସପୋର୍ଟ ସୂଚନା ବାଧ୍ୟତାମୂଳକ କରିଥିଲେ, ଯେପରି କେହି ଦେଶ ଛାଡ଼ି ପଳାଇ ନପାରିବେ । ଦେଶର ୨୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରଣ କରି ୧୨ଟି ଶକ୍ତିଶାଳୀ ବ୍ୟାଙ୍କରେ ପରିଣତ କରିବାରେ ସେ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏଥିସହ ସରକାରୀ ବ୍ୟାଙ୍କଗୁଡ଼ିକରେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ କରାଇ ସେଗୁଡ଼ିକୁ ଆର୍ଥିକ ରୂପେ ମଜବୁତ କରିଥିଲେ । ରାଜୀବ କୁମାର ପୂର୍ବରୁ ଆରବିଆଇ ସେଣ୍ଟ୍ରାଲ ବୋର୍ଡ, ଏସବିଆଇ ଏବଂ ନାବାର୍ଡ ବୋର୍ଡର ମଧ୍ୟ ସଦସ୍ୟ ରହି ସାରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ଏହି ବିଶାଳ ଅଭିଜ୍ଞତା ଆଗାମୀ ଦିନରେ HDFC ବ୍ୟାଙ୍କକୁ ଏକ ନୂଆ ଶିଖରକୁ ନେବ ବୋଲି ଆଶା କରାଯାଉଛି ।