ନୂଆଦିଲ୍ଲୀ, ୩୦/୦୬ : ସୁନା ଦରରେ ଏବେ ବଡ଼ ହ୍ରାସ ଘଟିଛି। ଜାନୁଆରୀରେ ୧୦ ଗ୍ରାମ ପିଛା ଦାମ ରେକର୍ଡ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ବର୍ତ୍ତମାନ ଏହା ୧.୪ ଲକ୍ଷ ଟଙ୍କା ପାଖାପାଖି ରହିଛି । କେବଳ ଜୁନ୍ରେ ଦର ୧୫,୦୦୦ ଟଙ୍କା ହ୍ରାସ ପାଇଛି। ଆଗକୁ ଦର ଆହୁରି ଖସିବା ନେଇ ଆଶଙ୍କା ବଢ଼ିଛି। ତେଣୁ ଆଉ ଗହଣା ବଦଳା ବଦଳି ନାହିଁ, ସିଧାସଳଖ ବିକ୍ରି କରି ନଗଦ ଉଠାଉଛନ୍ତି ଗ୍ରାହକ। ଫଟାଫଟ୍ ପୁରୁଣା ସୁନା ବିକି ଲାଭ ହାତେଇବାରେ ବ୍ୟସ୍ତ। ଅନୁମାନ କରାଯାଉଛି, ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିସାରିଛି, ଆଉ ଉପରକୁ ଯିବ ନାହିଁ । ଏଣୁ ପାଖରେ ଥିବା ଗହଣାର ମୂଲ୍ୟ ଖସିବା ପୂର୍ବରୁ ଏହାକୁ ବିକ୍ରି କରିବାକୁ ସେମାନେ ଏବେ ତତ୍ପର। ଆଶଙ୍କା କରାଯାଉଛି ଯେ, ସୁନା ଦର ଆହୁରି ଖସିବ ଏବଂ ଏହା ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତଳକୁ ଆସିପାରେ । ଏହି କାରଣରୁ ଗ୍ରାହକ ପୁରୁଣା ଗହଣା ବଦଳାଇ ନୂଆ ଗହଣା ନେବା ପରିବର୍ତ୍ତେ ଏହାକୁ ବିକ୍ରି କରି ନଗଦ ନେଉଛନ୍ତି ଏବଂ ଲାଭ ହାତେଇବାକୁ ପସନ୍ଦ କରୁଛନ୍ତି ।
ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍(ଆଇବିଜେଏ) ର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ, ଭାରତୀୟ ଗ୍ରାହକ ସୁନାର ଉଚ୍ଚ ଦରର ଫାଇଦା ଉଠାଇ ନଗଦ ନେଉଛନ୍ତି । ଦର ଆଉ ଉଚ୍ଚ ସ୍ତରକୁ ଯାଇ ନ ପରେ ବୋଲି ସେମାନଙ୍କ ଅନୁମାନ । ଚଳିତ ମାସରେ ଏଯାବତ୍ କିଲୋଗ୍ରାମ ପିଛା ରୁପା ଦର ୪୫,୦୦୦ ଟଙ୍କା ଖସିଯାଇଛି । ଅନୁମାନ କରାଯାଉଛି ଯେ, ଉଭୟ ବହୁ ମୂଲ୍ୟ ଧାତୁ ଦରରେ ଆଗକୁ ବି ହ୍ରାସ ଜାରି ରହିପାରେ । ଏହା ମଧ୍ୟରେ ଭାରତୀୟ ପରିବାର ପୁରୁଣା ସୁନା ବିକ୍ରି କରୁଛନ୍ତି । ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍(ଆଇବିଜେଏ) ଅନୁସାରେ, ଏପ୍ରିଲଜୁନ୍ ତ୍ରୟମାସରେ ଗ୍ରାହକ ପ୍ରାୟ ୫୦ ଟନ ପୁରୁଣା ସୁନା ବିକ୍ରି କରିଛନ୍ତି । ଏହା ଗତବର୍ଷ ସମାନ ଅବଧି ତୁଳନାରେ ୪୩% ଅଧିକ ।
ମେହେଟ୍ଟା କହିଛନ୍ତି ଯେ, ସୁନା ଦର ୧.୮ ଲକ୍ଷରୁ ଖସି ୧.୪ ଲକ୍ଷ ଟଙ୍କାକୁ ଆସିଯାଇଛି । କିନ୍ତୁ ଲୋକଙ୍କ ଭୟ ରହୁଛି ଯେ, ଦର ୧.୨ ଲକ୍ଷକୁ ଖସିଯାଇପାରେ । ଏହି କାରଣରୁ ସୁନା ବିକ୍ରି କରି ନଗଦ ନେଉଛନ୍ତି । ଏ ଟ୍ରେଣ୍ଡ୍ ଯୋଗୁ ଭାରତର ସଂଗଠିତ ସୁନା ପୁନଃପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ମିଳୁଛି । ଉଚ୍ଚ ଦର ଯୋଗୁ ଲୋକେ ସୁନାକୁ ଘରେ ରଖିବା ବଦଳରେ ଏହାକୁ ପୁନଃ ବ୍ୟବହାରକୁ ଆଣୁଛନ୍ତି । ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ଗ୍ରାହକ ଏବେ ସୁନାକୁ ଏକ ବିତ୍ତୀୟ ସମ୍ପତ୍ତି ଭାବେ ଦେଖୁଛନ୍ତି, ଯାହାଦ୍ୱାରା ଠିକ୍ ମୂଲ୍ୟ ମିଳିବା ସମୟରେ ଏହାକୁ ନଗଦରେ ବଦଳାଯାଇପାରିବ । ଏହାଦ୍ୱାରା ବିଶୋଧନକାରୀ ଏବଂ ଗହଣା ବ୍ୟବସାୟ ପାଇଁ ପୁନଃପ୍ରକ୍ରିୟାକରଣ ଯୋଗ୍ୟ ସୁନାର ଲଗାତର ଯୋଗାଣ ଜାରି ରହିଥାଏ । ସୁନା କ୍ରୟ କରୁଥିବା କମ୍ପାନିଗୁଡ଼ିକରେ ବି ପୁରୁଣା ସୁନା ଯୋଗାଣ ବଢ଼ିଛି ।
ମୁଥୁଟ୍ ଏକ୍ଜିମ୍ ଦେଶବ୍ୟାପୀ ଏହାର ୧୦୦ରୁ ଅଧିକ ‘ଗୋଲ୍ଡ ପଏଣ୍ଟ୍ସ’ ନେଟ୍ୱର୍କରେ ପୁରୁଣା ସୁନା ସଂଗ୍ରହରେ ୪୦% ବୃଦ୍ଧି ଦେଖିବାକୁ ପାଇଛି । ମୁଥୁଟ୍ ଏକ୍ଜିମ୍ର ସିଇଓ କେୟୁର ଶାହା କୁହନ୍ତି, ଗ୍ରାହକ ଏବେ ସଂଗଠିତ ଏବଂ ପାରଦର୍ଶୀ ଉପାୟରେ ସୁନାକୁ ନଗଦରେ ବଦଳାଇବାକୁ ଅଧିକ ସହଜ ମଣୁଛନ୍ତି । ଏହାଦ୍ୱାରା ସେମାନଙ୍କୁ କେବଳ ସୁନାର ପ୍ରକୃତ ମୂଲ୍ୟ ମିଳି ନ ଥାଏ ବରଂ ଦାମୀ ଧାତୁ ପୁନଃ ବ୍ୟବହାରରେ ଆସିବା ଦ୍ୱାରା ଘରୋଇ ସୁନା ଇକୋସିଷ୍ଟମକୁ ଦୃଢ଼ତା ମିଳିଥାଏ । କମ୍ପାନି ଗ୍ରାହକଙ୍କଠାରୁ ପୁରୁଣା ସୁନା କିଣନ୍ତି ଏବଂ ତାହାକୁ ପୁନଃପ୍ରକ୍ରିୟାକରଣ କରି ୨୪ କ୍ୟାରେଟ୍ ଶୁଦ୍ଧ ସୁନା ପ୍ରସ୍ତୁତ କରନ୍ତି । ଏହାକୁ ଗହଣା ତଥା ମୁଦ୍ରା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକୁ ଯୋଗାଇ ଦିଆଯାଏ । ଏହି ପ୍ରକ୍ରିୟା ଦ୍ୱାରା ନୂତନ ମାଇନିଂ ଉପରେ ନିର୍ଭରତା କମିଥାଏ ଏବଂ ଦେଶରେ ଏହି ଧାତୁର ଉପଲବ୍ଧତା ବଢ଼ିଥାଏ । ଭାରତ ଏହାର ଆବଶ୍ୟକତାର ବୃହତ୍ ଭାଗ ସୁନା ଆମଦାନି କରିଥାଏ ।
ଗତ ଆର୍ଥିକବର୍ଷରେ ପ୍ରାୟ ୭୨.୪ ବିଲିୟନ ଡଲାରର ସୁନା ଆମଦାନି କରାଯାଇଥିଲା, ଯେତେବେଳେ ପୁନଃପ୍ରକ୍ରିୟାକରଣ କରାଯାଇଥିବା ସୁନା ପରିମାଣ ଆନୁମାନିକ ୧୨୫ରୁ ୧୫୦ ଟନ୍ ଥିଲା । ଶିଳ୍ପର କହିବାନୁସାରେ, ଯଦି ବର୍ତ୍ତମାନର ଟ୍ରେଣ୍ଡ୍ ଜାରି ରୁହେ ତେବେ ୨୦୨୬ରେ ପୁନଃପ୍ରକ୍ରିୟାକରଣ କରାଯାଉଥିବା ସୁନା ପରିମାଣ ବଢ଼ି ୨୦୦ରୁ ୨୫୦ ଟନ୍ ହୋଇପାରେ । ଭାରତୀୟ ଘରେ ପ୍ରାୟ ୩୦,୦୦୦ ଟନ୍ ସୁନା ରହିଥିବା ଅନୁମାନ ଅଛି । ଶିଳ୍ପ ସହ ଜଡ଼ିତ ଅଧିକାରୀମାନେ ସଂଗଠିତ ପୁନଃପ୍ରକ୍ରିୟାକରଣକୁ ଆମଦାନି ଉପରୁ ନିର୍ଭରତା କମାଇବାର ଏକ ବଡ଼ ସୁଯୋଗ ଭାବେ ଦେଖନ୍ତି।
ଆହୁରି ପଢନ୍ତୁ- ଲୋକଙ୍କୁ ଆଶ୍ୱସ୍ତି , ପେଟ୍ରୋଲ-ଡିଜେଲ ଉପରେ ଥିବା ୨୦୦ ଲିଟରର ଲିମିଟକୁ ଉଠାଇବେ ସରକାର
ତୁହାକୁ ତୁହା ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ,ଗରମ ଗୁଳୁଗୁଳିରୁ ଆଶ୍ବସ୍ତି