ଚୌଦ୍ୱାର-ଗୁରୁଡ଼ିଝାଟିଆ,୦୨/୧୨: ପହିଲି ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । କଟକ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଡମଡ଼ମଣୀ ପୀଠ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି । ପ୍ରାକୃତିକ ପରିବେଶରେ ସଜେଇ ହୋଇଥିବା ମା' ଡମଡ଼ମଣୀଙ୍କ ପୀଠକୁ ଆଖପାଖ ଅଞ୍ଚଳ ସମେତ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ପ୍ରତ୍ୟେହ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି ।ସାଧାରଣତଃ ନଭେମ୍ବର ମାସରୁ ଆରମ୍ଭ ହୋଇ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଚୌଦ୍ୱାର ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ୍ ଅଧୀନ ମଙ୍ଗରାଜପୁର ପଞ୍ଚାୟତ ଠାରୁ କିଛି ମାଇଲ୍ ଅତିକ୍ରମ କରିବା ପରେ ଡାଳିଯୋଡ଼ା ପଡ଼େ ଜଙ୍ଗଲ । ସେହି ଜଙ୍ଗଲରେ ରହିଛି ମା' ଡମଡ଼ମଣୀଙ୍କ ପୀଠସ୍ଥଳୀ । ସବୁଜ ଜଙ୍ଗଲ ସାଙ୍ଗକୁ ପାହାଡ଼ ଘେରା ଅଞ୍ଚଳ। ଜଙ୍ଗଲରେ ଥିବା ରଙ୍ଗବେରଙ୍ଗର ପକ୍ଷୀମାନଙ୍କ କଳରବରେ ପର୍ଯ୍ୟଟକ ମାନେ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । କେବଳ ସେତିକି ନୁହେଁ, ବହି ଯାଉଥିବା ଚିରସ୍ରୋତା ଝରଣା ପର୍ଯ୍ୟଟକଙ୍କୁ ଅଧିକ ଆନନ୍ଦ ଦେଇଥାଏ । ଏହି ଝରଣା କୂଳରେ ମା' ବିରାଜମାନ । ମା'ଙ୍କ ମନ୍ଦିରକୁ ଘେରି ରହିଛି ଅନେକ ସୁଉଚ୍ଚ ପାହାଡ଼ । ତା’ ସାଙ୍ଗକୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଡମଣୀ ଝର ଡ୍ୟାମ୍ ।
କପିଳାସ ପାଶ୍ୱର୍ରୁ ଆସିଥିବା ଝରଣା ପାଣିକୁ ସେଠାରେ ଅଟକାଯାଇ ଥିବାରୁ ତାହା ଏକ ସୁନ୍ଦର ହ୍ରଦର ଭ୍ରମ ସୃଷ୍ଟି କରୁଛି । ହେଲେ ତା’ ମଧ୍ୟରେ ଯଦି ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପେଡାଲ୍ ବୋଟିଂର ବ୍ୟବସ୍ଥା କରନ୍ତା ତାହେଲେ ରାଜସ୍ୱ ଆଦାୟ ହେବା ସହ ପୀଠର ଉନ୍ନତି ହୋଇପାରନ୍ତା । ଏହି ପୀଠକୁ ବର୍ଷସାରା ପର୍ଯ୍ୟଟକ ମାନେ ଆସିଥାନ୍ତି । ଏହି ଜଙ୍ଗଲର ରମଣୀୟ ପରିବେଶରେ ବିମୋହିତ ହୋଇ ଅନେକ କାଳରୁ ମା' ଡମଡ଼ମଣୀ ଠାକୁରାଣୀ ଅବସ୍ଥାନ କରିଛନ୍ତି । ଭକ୍ତମାନଙ୍କର ବିଶ୍ୱାସ ରହିଛି ଯେ ଏଠାକୁ ମନସ୍କାମନା ନେଇ ଆସିଲେ ମା' କେବେ ହେଲେ କାହାକୁ ନିରାଶ କରନ୍ତି ନାହିଁ । ଡାଳିଯୋଡ଼ା ରାଜାଙ୍କ ଗଡ଼ଖାଇ ପାଶ୍ୱର୍ରେ ରାଜାଙ୍କ ରକ୍ଷା କବଚ ଭାବେ ମା' ବିଦ୍ୟମାନ ା ପୀଠର ଚତୁଃପାଶ୍ୱର୍ରେ ଥିବା ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ । ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଭୋଜି କରି ଆନନ୍ଦ ଉଠାଉଛନ୍ତି ।ଏହାକୁ ସ୍ମରଣୀୟ କରିବାକୁ କ୍ୟାମେରା ଓ ମୋବାଇଲରେ ଫଟୋ ଓ ଭିଡିଓ କରୁଛନ୍ତି । ସେଲ୍ଫି ଉଠାଉଛନ୍ତି ।