ଭୁବନେଶ୍ୱର, ୨୦/୦୭ : କୋଇଲା ଖଣି ପାଇଁ ପଦା ହେବ ୩ ଲକ୍ଷ ୩୧ ହଜାରରୁ ଅଧିକ ଗଛ । ଛାରଖାର ହେବ ପରିବେଶ । ସଙ୍କଟରେ ପଡ଼ିବେ ବନ୍ୟପ୍ରାଣୀ ଓ ଜୀବଜନ୍ତୁ । ଗୁରୁତର ଭାବେ ପ୍ରଭାବିତ ହେବ ଜୈବ ବିବିଧତା । ବିକାଶ ନାଁରେ ପରିବେଶ ବିନାଶ କରୁଥିବା ଏଭଳି ନିଷ୍ଠୁର ଯୋଜନା ଆଗାମୀଦିନରେ କାର୍ଯ୍ୟକାରୀ ହେବ ରାଜ୍ୟର ଅନ୍ୟତମ ଉତ୍ତପ୍ତ ଓ ପ୍ରଦୂଷିତ ଜିଲ୍ଲା ଅନୁଗୋଳରେ । ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡକୁ ଅନୁଗୁଳ ଜିଲ୍ଲାର ଅଳକାନନ୍ଦା କୋଇଲା ଖଣି ଆବଣ୍ଟନ କରାଯାଇଛି । ଏହି ଖଣି ଖନନ ପାଇଁ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି କିସମ ପରିବର୍ତ୍ତନ (ଡାଇଭର୍ଟ) ହେବା ଆଶଙ୍କା ରହିଛି । ଖଣିଟି ଶିମିଳିପାଳ-ସାତକୋଶିଆ ବ୍ୟାଘ୍ର କରିଡରଠାରୁ ମାତ୍ର ୪.୯ କିଲୋମିଟର ଦୂରରେ ରହିଛି । ଖାଲି ସେତିକି ନୁହେଁ, ସମ୍ବଲପୁର ହାତୀ ସଂରକ୍ଷିତ ଅଞ୍ଚଳଠାରୁ ଏହାର ଦୂରତା ମାତ୍ର ସାଢ଼େ ୮ କିମି । ନିକଟ ଅତୀତରେ ଏହି ଅଞ୍ଚଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ହାତୀ ଛୁଆ, ଭାଲୁ, କଲରାପତରିଆ ବାଘଙ୍କ ସମେତ ବହୁ ବନ୍ୟପ୍ରାଣୀ, ବିରଳ ଜୀବଜନ୍ତୁ ଦେଖିବାକୁ ମିଳିଛି ।  

ପରିବେଶ ବିଶେଷଜ୍ଞଙ୍କ କହିବାନୁସାରେ ଏହି ଖଣି ଖନନରେ ଏସବୁ ଅଞ୍ଚଳରେ ପରିବେଶ, ଜୈବ ବିବିଧତା ଉପରେ ଗୁରୁତର ପ୍ରଭାବ ପରିଲକ୍ଷିତ ହେବ । ପ୍ରାକୃତିକ ଆବାସ ନଷ୍ଟ ହେଲେ ବନ୍ୟପ୍ରାଣୀମାନେ ଜନବସତି ମୁହାଁ ହେବା ଆଶଙ୍କା ରହିଛି । ଏଥିରେ ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ବଢ଼ିବ । ସବୁଠାରୁ ଚିନ୍ତାର ବିଷୟ, ଏହି ଖଣି ଅଞ୍ଚଳରେ ୩ ଲକ୍ଷ ୩୪ ହଜାର ୪୦୮ଟି ଗଛ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୩ ଲକ୍ଷ ୩୧ ହଜାର ୮୧୮ଟି ଗଛ କାଟିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଅର୍ଥାତ୍‌ ସେଇ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ପ୍ରାୟ ୯୯% ଗଛ ପଦା ହୋଇଯିବା ଆଶଙ୍କା ରହିଛି । ଏହି ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଗତ ୭ ତାରିଖରେ ଅନୁଷ୍ଠିତ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା ସମିତି (ଏଫଏସି) ବୈଠକରେ ପ୍ରଥମ ପର୍ଯ୍ୟାୟ-୧ ସୈଦ୍ଧାନ୍ତିକ ମଞ୍ଜୁରୀ ପାଇଁ ସୁପାରିଶ କରାଯାଇଛି ।  

ବିଶେଷଜ୍ଞଙ୍କ କହିବାନୁସାରେ କୋଇଲା ଖଣି ଖନନର ଗଭୀର ପ୍ରଭାବ ନିକଟରେ ପ୍ରବାହିତ ଓଲହାନୀ ନଦୀ ଓ ଟିକିରା ନଦୀ (ବ୍ରାହ୍ମଣୀର ଉପନଦୀ) ଉପରେ ପଡ଼ିପାରେ । ନଦୀର ଗତିପଥରେ ପ୍ରଭାବ ପଡ଼ିବା ସହ ଜଳ ପ୍ରଦୂଷଣ ବହୁ ମାତ୍ରାରେ ବଢ଼ିପାରେ । ସୂତ୍ର ଅନୁସାରେ ଏହି ପ୍ରସ୍ତାବିତ ପ୍ରକଳ୍ପରେ ୫ଟି ଗ୍ରାମର ୮୧୮ଟି ପରିବାର ବିସ୍ଥାପିତ ହେବେ । ଏଥିରେ ୧୫୮୪ ପରିବାର ପ୍ରଭାବିତ ହେବା ସମ୍ଭାବନା ଅଛି । ରାଜ୍ୟ ଜଙ୍ଗଲ ବିଭାଗ ସହିତ ପରାମର୍ଶ କରି ପର୍ଯ୍ୟାୟ କ୍ରମେ ଗଛ କାଟିବାକୁ ଯୋଜନା ରହିଛି।

ଆହୁରି ପଢନ୍ତୁ- ପକ୍ଷୀଙ୍କ ସୁରକ୍ଷାରେ ସମର୍ପିତ ସୋନବର୍ଷା ଗାଁ, ଶିକାର କଲେ ହଜାରେ ଫାଇନ୍, କଠୋର କାର୍ଯ୍ୟାନୁଷ୍ଠାନ

ରାସ୍ତାକଡ଼ରୁ ଶସ୍ତା ଚଷମା କିଣି ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ ! ​​​​​​​