ନୂଆଦିଲ୍ଲୀ ୨୦/୧୨: ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି ଅନ୍‌ଲାଇନ ପ୍ରେମ । କୁଆଲାଲମ୍‌ପୁର ବାସିନ୍ଦା ୬୭ ବର୍ଷୀୟା ଏହି ମହିଳା ଅନ୍‌ଲାଇନ୍‌ ପ୍ରେମ କରି ଗତ ୭ ବର୍ଷରେ ୪.୪ କୋଟି ଟଙ୍କା ହରାଇ ଦେଇଛନ୍ତି । ଖାସ୍‌ କଥା ହେଉଛି, ଅନ୍‌ଲାଇନ୍‌ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସେ କଦାପି ଭେଟିନାହାନ୍ତି । ବୁକିଟ୍‌ ଅମନ କମର୍ସିଆଲ କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ୍‌ (ସିସିଆଇଡି) ନିର୍ଦ୍ଦେଶକ କମ୍‌ ଡାଟୁକ ସେରି ରାମଲି ମହମଦ ୟୁସୁଫ ସାମ୍ବାଦିକ ସମ୍ମିଳନୀରେ ଏହି ଲମ୍ବା ଅବଧିର ସ୍କାମ୍‌ ବିଷୟରେ କହିଛନ୍ତି । ଏହି କାଣ୍ଡ ୨୦୧୭, ଅକ୍ଟୋବରରେ ଆରମ୍ଭ ହୋଇଥିଲା । 

ଏ ନେଇ ପୀଡ଼ିତା କହିଛନ୍ତି, ଠକ ଜଣକ ନିଜକୁ ସିଙ୍ଗାପୁରରେ ଚିକିତ୍ସା ଉପକରଣ ବ୍ୟବସାୟ କରୁଥିବା ଜଣେ ଆମେରିକୀୟ ବ୍ୟବସାୟୀର ପରିଚୟ ଦେଇଥିଲେ । ମାସେ କଥାବାର୍ତ୍ତା ପରେ ଉଭୟଙ୍କ ଅନ୍‌ଲାଇନ ସମ୍ପର୍କ ନିବିଡ଼ ହୋଇଗଲା । ବ୍ୟକ୍ତି ଜଣକ ମାଲେସିଆ ଯିବାକୁ ଚାହୁଁଥିବା କଥା ମହିଳାଙ୍କୁ କହିଲେ, କିନ୍ତୁ ପରିବହନ ଶୁଳ୍କ ଦେବାରେ ଅସମର୍ଥତା ଦର୍ଶାଇଲେ । ଏହା ଶୁଣି ମହିଳା ପ୍ରଥମେ ୫ ହଜାର ମାଲେସିଆ ମୁଦ୍ରା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ପଠାଇଲେ । 

ଗତ କିଛି ବର୍ଷ ମଧ୍ୟରେ ଠକ ଜଣକ ବ୍ୟବସାୟ ସମ୍ବନ୍ଧୀୟ ଅନେକ ବ୍ୟକ୍ତିଗତ ସଙ୍କଟର ବାହାନା ଦର୍ଶାଇ ଆର୍ଥିକ ସହାୟତା ହାତେଇଲେ । ପୀଡ଼ିତା ୫୦ ଭିନ୍ନ ଭିନ୍ନ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୩୦୬ ଥର ଟଙ୍କା ପଠାଇଥିବା ସ୍ପଷ୍ଟ କଲେ । ଅର୍ଥର ପରିମାଣ ହାରାହାରି ୪.୪ କୋଟି । ପଠାଇଥିବା ଟଙ୍କାସବୁକୁ ସେ ନିଜର ବନ୍ଧୁ ଓ ପରିଜନଙ୍କଠୁ ଋଣରେ ଆଣିଥିବା ପୁଲିସ ସ୍ପଷ୍ଟ କରିଛି । ଖାସ୍‌ କଥା ହେଉଛି ପୀଡ଼ିତା କଦାପି ଉକ୍ତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କିମ୍ବା ଭିଡିଓ କଲ୍‌ ମାଧ୍ୟମରେ ଭେଟିନଥିଲେ । କେବଳ ଭଏସ୍‌ କଲ୍‌ରେ ସେମାନଙ୍କ ଯୋଗାଯୋଗ ସୀମିତ ଥିଲା । ବ୍ୟକ୍ତି ବିଭିନ୍ନ ବାହାନା ଦେଖାଇ ସିଧାସଳଖ କଥା ହେବାକୁ ଏଡ଼ାଇ ଦେଉଥିଲେ । ଗତ ନଭେମ୍ବର ମାସରେ ପୀଡ଼ିତା ନିଜର ଜଣେ ସାଙ୍ଗଙ୍କୁ ଏ ବିଷୟରେ କହିବା ପରେ ମାମଲା ସାମ୍ନାକୁ ଆସିଲା । ସେ ଠକାମିର ଶିକାର ହୋଇଥିବା ସାଙ୍ଗ ତାଙ୍କୁ କହିଲେ ।