ପୁରୀ,୨୧/୦୪: ଆସନ୍ତା ଜୁନ ୨୯ ତାରିଖ ସୋମବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ଶ୍ରୀଅଙ୍ଗେ ୧୦୮ ଗରା ଜଳ ଲାଗି ପରେ ହାତୀ (ଗଜାନନ) ବେଶରେ ଉଭା ହେବେ ଦାରୁବ୍ରହ୍ମ । ଏଣୁ ଅକ୍ଷୟ ତୃତୀୟାରେ ଅନୁକୂଳ କରାଯାଇ ହାତୀ ବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଘବ ଦାସ ଓ ଗୋପାଳ ତୀର୍ଥ ମଠରେ ପାରମ୍ପରିକ ଭାବେ ସମସ୍ତ ବେଶ ସାମଗ୍ରୀ ରଖି ପୂଜାର୍ଚ୍ଚନା କରାଯାଇଛି । ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଶୁଦ୍ଧପୂତ ଭାବେ ରହି କାରିଗରମାନେ ବେଶ ତିଆରି ଆରମ୍ଭ କରିଛନ୍ତି ।
ଶ୍ରୀ ରଣା କୁହନ୍ତି, ପରମ୍ପରା ଅନୁସାରେ ବାଲିସାହିସ୍ଥିତ ଗୋପାଳତୀର୍ଥ ମଠ ବଡ଼ଠାକୁର ଶ୍ରୀବଳଭଦ୍ର, ଶ୍ରୀସୁଦର୍ଶନଙ୍କ ବେଶ ଓ ରାଘବ ଦାସ ମଠ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ମା'ସୁଭଦ୍ରାଙ୍କର ବେଶ ଯୋଗାନ୍ତି । ଆଜି ଉଭୟ ମଠର ଆରାଧ୍ୟ ଦେବଦେବୀଙ୍କ ସମ୍ମୁଖରେ ସମସ୍ତ ବେଶ ସାମଗ୍ରୀ ରଖି ପୂଜା କରାଯାଇଥିଲା । କାରିଗରମାନେ ସଂକଳ୍ପ କରିଥିଲେ । ସୋଲ, ପଟ, ଛୁରି, କଇଁଚି, ଲାଲ୍ କନା, ଛୁଞ୍ଚି ଆଦି ବେଶ ସାମଗ୍ରୀ ପୂଜାରେ ବସିଥିଲା । ବ୍ରାହ୍ମଣ ପୂଜା କରିବା ପରେ କାରିଗରମାନେ ପୁଷ୍ପାଞ୍ଜଳି ଦେଇ ଠାକୁରଙ୍କ ବେଶ କାମର ଶୁଭାରମ୍ଭ ହୋଇଥିଲା । ବେଶ କାରିଗର ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଦର୍ଜୀ ସେବକ ଲୋକନାଥ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ରଣାଙ୍କ ମତରେ ଠାକୁରଙ୍କ ହାତୀ ବେଶ ନିର୍ମାଣ ଶୈଳୀ ସବୁ ବିଧି ନିର୍ଦ୍ଦିଷ୍ଟ । ପ୍ରତିବର୍ଷ ଏହି ବେଶର ମାପ ସମାନ । ବାଉଁଶ, ବେତ, କନା, ସୋଲ, ଜରି, କଦଳୀ ପଟୁକା, ଜମ୍ୱୁରା, ଲେସ୍ ଓ କଇଁଥ ଅଠା ଆଦି ବ୍ୟବହାର କରାଯାଇ ପାରମ୍ପରିକ ପଦ୍ଧତିରେ ବେଶ ତିଆରି ହେବ । ଦେବସ୍ନାନ ପୂର୍ଣ୍ଣମୀରେ ବେଶ ସଂସ୍କାର ହୋଇ ପଣା ଭୋଗ ଅର୍ପଣ ହେବ । ପରେ ଘଣ୍ଟ ଘଣ୍ଟା କାହାଳୀର ପଟୁଆରରେ ମଠ ପରିସରରୁ ବିଜେ ହୋଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବ । ଜଳଲାଗି ହେବା ପରେ ସ୍ନାନମଣ୍ଡପରେ ଠାକୁରଙ୍କ ଗଜାନନ ବେଶ ଅନୁଷ୍ଠିତ ହେବ ।
ଅଧିକ ପଢ଼ନ୍ତୁ :- ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ, ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ