ପୁରୀ ୦୯/୦୬: ଦିନକ ପରେ ଦେବ ସ୍ନାନ ପୂର୍ଣ୍ଣିମା । ରତ୍ନସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଦାରୁବ୍ରହ୍ମ । ସ୍ନାନଯାତ୍ରା ଓ ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି। ସଂଧ୍ୟା ଧୂପ ପରେ ଦଇତପତିମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ। 

ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠ ସୁଆଂସିଆ ସେବକମାନେ ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ଦଇତାପତି। ଏ ସମସ୍ତ ନୀତି ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

ଆଉ ଗୋଟିଏ ଦିନ ପରେ ବିଶ୍ଵନିୟନ୍ତାଙ୍କ ସ୍ନାନ ଉତ୍ସବ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଏହି ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ସେପଟେ ଆଜି ଜ୍ୟେଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦଇତାପତିମାନେ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ପ୍ରାୟ ଏକମାସ ଧରି ଦଇତାପତିମାନେ ମହାପ୍ରଭୁଙ୍କ ସେବା ନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ। ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବାହୁଟକଣ୍ଟ ସହ କୋଠସୁଆଁସିଆଁ ମାନେ ଚାରମାଳ ବାନ୍ଧିବେ। 

ମଙ୍ଗଳବାର ଦଇତାପତି ମାନଙ୍କ ଦ୍ବାରା ପାଟବସ୍ତ୍ର ଆଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ପ୍ରବଳ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। ଏବେଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ବଢୁଥିବା ବେଳେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ଭକ୍ତ, ସେବାୟତ ଓ ଗବେଷକ ମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।