ଭୁବନେଶ୍ୱର,୧୫/୦୫ (ଚାନ୍ଦିନୀ ମହାପାତ୍ର): ଲୋପ ପାଇବାକୁ ବସିଲାଣି ଯୌଥ ପରିବାରର। ହଜିଗଲାଣି ସାନ ବାପା, ବଡ଼ ବୋଉ, ଦାଦା, ଖୁଡ଼ୀ, ମଉସା, ମାଉସୀ, ମାମୁ, ମାଇଁ ଡାକ । ଏକକ ପରିବାର ମୋହରେ ଭାଙ୍ଗିଗଲାଣି ଯୌଥ ପରିବାରର ସମ୍ପର୍କ। ଏବେ ଖାଲି ଅଙ୍କଲ ଆଉ ଆଣ୍ଟି ଡାକ। କିଏ ଅଙ୍କଲ ତ ପୁଣି କିଏ ଡ୍ରାଇଭର ଅଙ୍କଲ, ଲଣ୍ଡ୍ରି ଅଙ୍କଲ, ସିକ୍ୟୁରିଟି ଅଙ୍କଲ... । ନିଜର ଏକ ମାତ୍ର ସନ୍ତାନକୁ କେମିତି ଭଲ ସ୍କୁଲରେ ପାଠ ପଢେଇବା, ଖୁଆଇବା, ପିନ୍ଧାଇବା ମୋହରେ ଅଭିଭାବକମାନେ ଏସବୁ ସମ୍ପର୍କକୁ ଧୀରେ ଧୀରେ ଭୁଲିବା ଆରମ୍ଭ କଲେଣି। ବର୍ତ୍ତମାନର ଛୁଆମାନେ ଏହି ସମ୍ପର୍କକୁ ବୁଝି ମଧ୍ୟ ପାରୁନାହାନ୍ତି। ଆଉ ଅଭିଭାବକଙ୍କୁ ଯେତେବେଳେ ଏହି ସମ୍ପର୍କର କଥା ବୁଝେଇବାକୁ ପଡ଼ୁଛି ତାଙ୍କ ମୁହଁରୁ ବାହାରୁଛି ଏମାନେ ହେଲେ ତୋ ଅଙ୍କଲ, ଆଣ୍ଟି... ।
ବର୍ତ୍ତମାନ ପରିବାର କହିଲେ ବାପା, ମା’ ଓ ଗୋଟିଏ ସନ୍ତାନ । ଯେଉଁଠାରେ ସଦସ୍ୟ ସଂଖ୍ୟା ୩ ରୁ ୪ ଭିତରେ ରହୁଛି । ଯାହାକୁ ଏକକ ପରିବାର ବା ନ୍ୟୁକ୍ଲିଅର ଫ୍ୟାମିଲି କୁହାଯାଉଛି । ପୂର୍ବରୁ ୧୫ ରୁ ୨୦ ଜଣ ସଦସ୍ୟଙ୍କୁ ନେଇ ଗଢିଉଠିଥିବା ଯୌଥ ପରିବାର ଏବେ ଦେଖିବା ବିରଳ ହୋଇଯାଇଛି । ଚାକିରି, ପିଲାଙ୍କୁ ପାଠପଢା, ସହରିଆ ଭାବେ ବଞ୍ଚିବା ନିଶାରେ ବର୍ତ୍ତମାନ ଲୋପ ପାଇଗଲାଣି ଯୌଥ ପରିବାର । ଯାହାଫଳରେ ପିଲାମାନେ ଏକାସହିତ ରହିବା, ଖାଇବା, ଖେଳିବାର ମଜା ଜାଣିପାରୁନାହାନ୍ତି । ମୁଖ୍ୟତଃ ସହରରେ ରହୁଥିବା ଏକକ ପରିବାରରେ ଛୋଟ ପିଲାମାନେ ମଧ୍ୟ ବହୁଳ ଭାବେ ଅବହେଳିତ ହେଉଛନ୍ତି । ବାପା ମା’ ଉଭୟ ଚାକିରିଆ ହୋଇଥିବାରୁ ସେମାନେ ପିଲାଙ୍କୁ ଘରେ ଛାଡ଼ି ଯାଉଛନ୍ତି । ଫଳରେ ପିଲାଟି ଘରୋଇ ସହାୟିକାଙ୍କ ତତ୍ତ୍ୱାବଧାନରେ ବଡ଼ ହେଉଛନ୍ତି । ଆଉ ବଞ୍ଚିତ ହେଉଛନ୍ତି ପ୍ରକୃତ ସ୍ନେହରୁ । ଯାହାଫଳରେ ପିଲାଟି ନିଜର ନିଃସଙ୍ଗତାକୁ ଦୂର କରିବା ପାଇଁ ମୋବାଇଲ୍କୁ ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରିବା ଆରମ୍ଭ କରିଦେଉଛି । ଖାଲି ଛୋଟ ପିଲା କାହିଁକି, ଯୌଥ ପରିବାର ଭାଙ୍ଗିଯିବା ଫଳରେ ବରିଷ୍ଠ ନାଗରିକମାନେ ହୋଇଯାଇଛନ୍ତି ଅଲୋଡ଼ା । ପିଲାମାନେ ଚାକିରି କରି ସ୍ତ୍ରୀ ପିଲାଙ୍କୁ ନେଇ ସହରରେ ରହୁଛନ୍ତି । ଆଉ ଗାଁ’ ରେ ବୁଢା ବାପା ଓ ମା’ କଷ୍ଟେମଷ୍ଟେ ନିଜେ ଦିମୁଠା ଫୁଟେଇ ଖାଉଛନ୍ତି ।
ଖାଲି ଗାଁ କାହିଁକି ସହରରେ ମଧ୍ୟ ଏହାର ବିକଳ ଚିତ୍ର ପ୍ରତିଦିନ ଦେଖିବାକୁ ମିଳୁଛି । ରୋଗ ହେଲେ ଡାକ୍ତରଖାନା ନେବାକୁ ଲୋକ ନାହାନ୍ତି । ବରିଷ୍ଠ ନାଗରିକମାନଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଅନେକ ଅସାଧୁ ବ୍ୟକ୍ତିବିଶେଷ ସୁନାଗହଣା ଓ ଟଙ୍କା ପାଇଁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବାର ନଜିର ମଧ୍ୟ ଅଛି । ସହିଦନଗର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ନିଶାକର ରାଉତ କହନ୍ତି, ସାମ୍ପ୍ରତିକ ସମୟରେ ପରିବାର ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି । ଏଥିରେ ଯୌଥ ପରିବାରର ସଂସ୍କୃତି, ଚାଲିଚଳଣ, ପରସ୍ପର ମଧ୍ୟରେ ଭ୍ରାତୃଭାବ, ବନ୍ଧୁବାନ୍ଧବ ମଧ୍ୟରେ ସମ୍ପର୍କ ତଥା ବୃଦ୍ଧ ବାପା ମା’ଙ୍କୁ ପ୍ରତିପୋଷଣ ଭଳି କାର୍ଯ୍ୟରେ ବ୍ୟତିକ୍ରମ ଦେଖାଯାଉଛି । ରାଜଧାନୀରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ବାପା କରିଥିବା ଘରେ ପୁଅ ବୋହୂ ରହୁଛନ୍ତି ସତ, ହେଲେ ତାଙ୍କଠୁ ଅଲଗା ହୋଇ । ଫଳରେ ବୃଦ୍ଧ ବାପା ମା’ ନିଃସଙ୍ଗ ଜୀବନ କାଟୁଛନ୍ତି । ବୃଦ୍ଧ ଅଭିଭାବକଙ୍କ ପ୍ରତି ପିଲାମାନଙ୍କର ଏଭଳି ମନୋଭାବ ଖୁବ୍ ନିନ୍ଦାଜନକ । ସ୍ତ୍ରୀ, ଛୁଆ, ଶ୍ୱଶୁର ଘର ଲୋକ ନିଜର ହେଉଛନ୍ତି, ହେଲେ ଜନ୍ମ ଦେଇଥିବା ମା’ ଆଉ ନିଜ କଷ୍ଟ ଅର୍ଜିତ ଧନରେ ମଣିଷ କରିଥିବା ବାପା ପର ହୋଇଯାଉଛନ୍ତି ।
ଏହି ଖବରଟିକୁ ପଢନ୍ତୁ- Fuel Crisis : ପର୍ଯ୍ୟାପ୍ତ ନୁହେଁ ସାଧାରଣ ପରିବହନ ବ୍ୟବସ୍ଥା, କେମିତି ଚାଲିବ ଜୀବନଜୀବିକା ? ଘରୁ ଗାଡ଼ି ନକାଢିଲେ ରୋଜଗାର ଆସିବ କେଉଁଠୁ ?