ଭୁବନେଶ୍ୱର, ୧୫/୦୫ : ଘନଉଛି ତେଲ ସଙ୍କଟ। ଥରକୁ ୧୦୦ ଟଙ୍କାରୁ ଅଧିକ ତେଲ ମିଳୁନି । ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ତେଲ ନ ମିଳିଲେ ଲୋକଙ୍କ ଜୀବନଜୀବିକା କେମିତି ଚାଲିବ? ଘରୁ ଗାଡ଼ି ନ ବାହାର କଲେ ରୋଜଗାର କେଉଁଠୁ ଆସିବ? ରାଜଧାନୀରେ ଉଭୟ ଚାକିରିଆ (ସରକାରୀ ଓ ବେସରକାରୀ) ଓ ଅନ୍ୟ କର୍ମକ୍ଷେତ୍ରରେ ନିୟୋଜିତ ୧୦ ଲକ୍ଷ ଲୋକ କେଉଁଥିରେ ବାହାରକୁ ଯିବେ? ଲୋକେ ନିଜ ଗାଡ଼ି ଘରେ ରଖି ଯିବାକୁ ଚାହିଁଲେ ଯିବେ କେମିତି? ରାଜଧାନୀରେ ଏତେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସାଧାରଣ ପରିବହନ ବ୍ୟବସ୍ଥା ଅଛି ତ?

ଆକଳନ ଅନୁଯାୟୀ ୨୦୨୩ରେ ରାଜଧାନୀର ଜନସଂଖ୍ୟା ଥିଲା ପ୍ରାୟ ସାଢ଼େ ୯ଲକ୍ଷ । କିନ୍ତୁ ସହରର ଦ୍ରୁତ ଅଭିବୃଦ୍ଧିକୁ ବିଚାରକୁ ନେଲେ ପ୍ରକୃତ ଜନସଂଖ୍ୟାୀ ୧୫ ଲକ୍ଷ ପାଖାପାଖି ହେବ । ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ କରିଥିବା ସର୍ଭେ ଅନୁସାରେ ରାଜଧାନୀର ଜନସଂଖ୍ୟାର ପ୍ରାୟ ୩୫% ଲୋକ ବିଭିନ୍ନ କର୍ମକ୍ଷେତ୍ର ( ଶ୍ରମିକ ଓ ଅଣସଂଗଠିତ) କ୍ଷେତ୍ରରେ ନିୟୋଜିତ ଅଛନ୍ତି । ୩୦% ଲୋକ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରୀ କରୁଛନ୍ତି । ଅର୍ଥାତ୍ ଦିନକୁ ପ୍ରାୟ ୧୦ ଲକ୍ଷ ଲୋକ ଦୈନିକ ନିଜ କର୍ମସଂସ୍ଥାନକୁ ଯାଉଛନ୍ତି । ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ମାତ୍ର ୫୨୫ ‘ଆମ ବସ୍’ଗଡୁଛି । ଭୁବନେଶ୍ୱର, ପୁରୀ, କଟକ ଓ ଖୋର୍ଦ୍ଧାରେ ମୋଟ ୫୨୫ଟି ଆମ ବସ୍ ଚାଲିଛି । ଏଥିରୁ ୨୫୫ଟି ଡିଜେଲ ଚାଳିତ ବସ୍ ଓ ୨୭୦ଟି ଇଭି ବସ୍ । ସବୁ ବସ୍ ଭୁବନେଶ୍ୱରର ବିଭିନ୍ନ ରୁଟ୍ ଦେଇ ଅନ୍ୟ ଆଡ଼େ ଯାଉଛି । ପ୍ରତି ‘ଆମ ବସ୍’ ଭୁବନେଶ୍ୱର ଭିତରେ ଦିନକୁ ସର୍ବାଧିକ ୫ରୁ ୬ଟି ଟ୍ରିପ୍ କରୁଛନ୍ତି । କେବଳ ଭୁବନେଶ୍ୱରରେ ଦୈନିକ ମାତ୍ର ୭୦ ହଜାର ଲୋକ ଆମ ବସରେ ଯାତାୟତ କରୁଛନ୍ତି ବୋଲି କ୍ରୁଟ୍ ତଥ୍ୟ ରଖିଛି ।

ମୋଟ ଜନସଂଖ୍ୟାର ମାତ୍ର ଏତିକି ଲୋକ ଆମ ବସରେ ଯିବାବେଳେ ଅସମ୍ଭାଳ ଭିଡ଼ ହେଉଛି । ବହୁ ଲୋକେ ଛିଡ଼ା ହେଉଛନ୍ତି, ସିଟ୍ ମିଳୁନି । ଦୈନିକ ଚାକିରୀ ପାଇଁ ବାହାରୁଥିବା ୧୦ ଲକ୍ଷର ଅଧା ବା ୫ଲକ୍ଷ ଲୋକେ ମୋ ବସରେ ଯିବାକୁ ଚାହିଁଲେ ବି ଏହା ଅସମ୍ଭବ । ଏତେ ଲୋକଙ୍କୁ ନେବାକୁ ରାଜଧାନୀରେ ୩ ହଜାରରୁ ଅଧିକ ମୋ ବସ୍ ଚଲାଇବାକୁ ପଡ଼ିବ । ହଁ, ରାଜଧାନୀରେ ବହୁ ସଂଖ୍ୟାରେ ଅଟୋ ଓ ଟ୍ୟାକ୍ସି ଚାଲୁଛି । କିନ୍ତୁ ଏ ସଂଖ୍ୟା ବି ୬୦ ହଜାର ଭିତରେ ସୀମିତ । ପୁଣି କେବଳ ଚାକିରିଆ ନୁହେଁ, ଅନ୍ୟ ସାଧାରଣ ଲୋକେ ବି ଦୈନିକ ଯାତାୟତ କରନ୍ତି । ଏସବୁକୁ ହିସାବକୁ ନେଲେ ରାଜଧାନୀର ସାଧାରଣ ପରିବହନ ବ୍ୟବସ୍ଥା, ସମୁଦ୍ରକୁ ଶଙ୍ଖେ । ଭୁବନେଶ୍ୱରିଆଙ୍କ ପାଇଁ ଦୈନିକ ସାଢ଼େ ୫ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ଆବଶ୍ୟକ । ସହର ପାଇଁ ୩.୨୦ ଲକ୍ଷ ପେଟ୍ରୋଲ ଓ ୨.୨୫ ଲକ୍ଷ ଡିଜେଲ ଦରକାର ପଡୁଛି ।

ପରିବହନ ବିଭାଗର ତଥ୍ୟ ଅନୁସାରେ, ୨୦୧୪ ମସିହାରୁ ୨୦୨୬ ବା ଗତ ୧୨ ବର୍ଷରେ ରାଜଧାନୀରେ ମୋଟ ୧୫ ଲକ୍ଷ ୧୮ ହଜାର ୧୬୭ ନୂଆ ଗାଡ଼ି ପଞ୍ଜିକୃତ ହୋଇଛି । ଆରଟିଓ-୧ ଅଧୀନରେ ୧୧ ଲକ୍ଷ ଗାଡ଼ି ଓ ଆରଟିଓ-୨ରେ ୪ ଲକ୍ଷ ୨୩ ହଜାର ଗାଡ଼ି ପଞ୍ଜିକୃତ ହୋଇଛି । ଏଥିରୁ ବାଇକ ସଂଖ୍ୟା ପ୍ରାୟ ୧୦ ଲକ୍ଷ ୪୫ ହଜାର ହୋଇଥିବାବେଳେ କାର୍ ସଂଖ୍ୟା ପ୍ରାୟ ୨ ଲକ୍ଷ ୩୦ ହଜାର । ଏସବୁ ଗାଡ଼ିର ଅଧାକୁ ବନ୍ଦ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଚାହିଁଲେ ବି ସେଭଳି ଭିତ୍ତିଭୂମି କିଛି ନାହିଁ । ଲୋକେ ଯାତାୟତ ନ କରି ଘରେ ରହିଲେ ଅର୍ଥନୈତିକ ସ୍ଥିତି ଆହୁରି ବିଗିଡ଼ିବ । ଏଣୁ ସରକାର ଏବେଠାରୁ ଚେତନ୍ତୁ ଓ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରନ୍ତୁ ବୋଲି ଅନେକ ଟାଉନ ପ୍ଲାନର ମତ ରଖିଛନ୍ତି ।

ଏହି ଖବରଟିକୁ ପଢନ୍ତୁPetrol Diesel Price Hike: ମହଙ୍ଗା ମାଡ଼; ଲିଟର ପିଛା ୩ ଟଙ୍କା ବଢିଲା ପେଟ୍ରୋଲ-ଡିଜେଲ ଦର, ଚେକ୍‌ କରନ୍ତୁ ଦାମ୍