ଭୁବନେଶ୍ୱର,୧୬/୦୧: ବାସହୀନ କିମ୍ବା ନିରାଶ୍ରିତ ଲୋକ ଥଣ୍ଡା, କାକରରେ ରାତି କାଟିବେ ନାହିଁ କିମ୍ବା ଖୋଲା ଆକାଶ ତଳେ ରହିବେ ନାହିଁ । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା) ପକ୍ଷରୁ ଏଥିପାଇଁ ଜାରି ହୋଇଛି ଜରୁରିକାଳୀନ ନମ୍ବର ।
ସୁଡ଼ାର ପ୍ରୋଜେକ୍ଟ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ କଟକ, ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି । ଏଥିରେ ସହରାଞ୍ଚଳ ବାସହୀନଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଜାରି କରାଯାଇଛି । ୧୩ତମ ରାଜ୍ୟସ୍ତରୀୟ ଆଶ୍ରୟସ୍ଥଳୀ ତଦାରଖ କମିଟି (ଏସ୍ଏଲଏସ୍ଏମ୍ସି)ର ସୁପାରିସ ଅନୁଯାୟୀ ମୋବାଇଲ ନଂ.୯୭୭୭୬୬୮୦୭୧ ଜାରି ହୋଇଛି । ଏହି ନମ୍ବରକୁ ଫୋନ୍ କରି ସହରରେ କେଉଁଠି ଆଶ୍ରୟସ୍ଥଳୀ ଅଛି, ସେଠାରେ କ’ଣ ସୁବିଧା ଅଛି, ରହିବାକୁ ଟଙ୍କା ଦେବାକୁ ପଡ଼ିବ କି ନାହିଁ ।
ଆଶ୍ରୟସ୍ଥଳୀରେ ସେଲଟର୍ ମ୍ୟାନେଜମେଣ୍ଟ ଏଜେନ୍ସି ଏବଂ ଅଫିସର ଦାୟିତ୍ୱରେ ଥାନ୍ତି । ଏହି ନମ୍ବର ସହିତ ଦାୟିତ୍ୱରେ ଥିବା ଅଫିସରଙ୍କ ନମ୍ବର ମିଶାଇ ହୋର୍ଡିଂରେ ଲଗାଯିବ । ଫଳରେ ବାସହୀନମାନେ ସହଜରେ ଯୋଗାଯୋଗ କରି ସେବା ପାରିପାରିବେ । ଗହଳି ସ୍ଥାନ, ବସ୍ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ରେଳଷ୍ଟେସନ୍, ହସ୍ପିଟାଲ, ମନ୍ଦିର ଆଖପାଖ ଅଞ୍ଚଳ, ବଜାର ଅଞ୍ଚଳରେ ହୋର୍ଡିଂ ଲଗାଯିବ । ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ କୁହାଯାଇଛି ।