ବୃତ୍ତିରେ ଡାକ୍ତର । ହେଲେ ଅସଲରେ ଏମାନେ ଆତଙ୍କବାଦୀଙ୍କ ଏଜେଣ୍ଟ । ଭାରତରେ ଆତଙ୍କବାଦୀ କାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର ରଚିଥିଲେ । ଷ୍ଟେଥୋ ବଦଳରେ ଏହି ଡାକ୍ତରମାନେ ରାଇଫଲ ଓ ବିସ୍ଫୋରକ ସାମଗ୍ରୀ ରଖିଥିଲେ । ଥ୍ରୀଲର ଫିଲ୍ମ ଭଳି ଲାଗୁଥିଲେ ମଧ୍ୟ ‘ଡାକ୍ତରଙ୍କ ଆତଙ୍କବାଦୀ ନେଟ୍ୱର୍କ’ ଧରାପଡ଼ିଛି। ଏ ଗୃହଶତ୍ରୁ ବିଭୀଷଣମାନଙ୍କୁ ଆମେ କ’ଣ କହିବା, ଦେଶଦ୍ରୋହୀ ନା ଜହ୍ଲାଦ?

ଭାରତକୁ ଅଢ଼େଇ ମୋର୍ଚ୍ଚା ସହ ଲଢ଼ିବାକୁ ହେବ । ପ୍ରଥମ ମୋର୍ଚ୍ଚା ପାକିସ୍ତାନ, ଦ୍ୱିତୀୟ ଚୀନ୍ । ଅନ୍ୟଟି ହେଲା ସବୁଠୁ ଭୟଙ୍କର । ଦେଶ ଭିତରେ ରହି ଦେଶ ସହ ବେଇମାନୀ ଓ ବିଶ୍ୱାସଘାତକତା କରୁଥିବା କିଛି ବ୍ୟକ୍ତି ।

ପ୍ରଥମ ସିଡିଏସ୍ (ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ) ଜେନେରାଲ ବିପିନ ରାୱତଙ୍କ ଏ ଭବିଷ୍ୟବାଣୀ ସତ ହୋଇଛି । ଭାରତ ଏବେ ଗୃହ ଶତ୍ରୁ ବିଭୀଷଣମାନଙ୍କ ଷଡ଼ଯନ୍ତ୍ରରେ ଛଟପଟ । ଦିଲ୍ଲୀ ବିସ୍ଫୋରଣ ଦେଖିଲେ ଏହା ଜଳଜଳ ଯେ, ଆମ ଭିତରେ ରହି ଆମକୁ ପଛରୁ ଛୁରୀ ମାରୁଛନ୍ତି ଏ ଦେଶଦ୍ରୋହୀ । ବିଦେଶୀ ନେଟୱର୍କ ସହ ଲିଙ୍କ୍ରେ ରହି ‘ଜିହାଦୀ’ ନାମରେ ଖେଳୁଛନ୍ତି ରକ୍ତର ହୋଲି । ଦିଲ୍ଲୀ ବିସ୍ଫୋରଣରେ କିଏ ଜନ୍ମ କଲା ମାଆକୁ ହରାଇଛି । କିଏ ନିଜ ସ୍ୱାମୀ ଆଉ କିଏ ପତ୍ନୀ । ଗୋଟିଏ ଦେଶରେ ରହି ତା ପାଣି ପବନରେ ବଢ଼ି ଏ ‘ବେଇମାନୀ’ କେମିତି? ଦେଶ କେମିତି ଏ ଗୃହଶତ୍ରୁମାନଙ୍କ ସହ ଲଢ଼ିବ? ଏ ଜହ୍ଲାଦମାନେ ଆଉ ଏମିତି କେତେ ପରିବାରକୁ ଉଚ୍ଛନ୍ନ କରି ଚାଲିଥିବେ?

ମୃତ୍ୟୁର ସୌଦାଗର

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାର୍ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି । ଦୀର୍ଘ ୧୪ ବର୍ଷ ପରେ ଦିଲ୍ୱୀ ଦେଖିଛି ଲୋମଟାଙ୍କୁରା ବିସ୍ଫୋରଣ । ମଣିଷ ପାଇଁ ଦ୍ୱିତୀୟ ଭଗବାନ ବୋଲାଉଥିବା ‘ଡାକ୍ତର’ଙ୍କ ଆତଙ୍କବାଦୀ ନେଟ୍ୱର୍କ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏ ଘଟଣାରେ ଆତଙ୍କବାଦୀଙ୍କ ସଂପୃକ୍ତିର ପ୍ରମାଣ ପାଇଛି । ଗାନ୍ଧି-ବୁଦ୍ଧଙ୍କ ଶାନ୍ତିର ମାଟି ଭାରତରେ ଅସ୍ଥିରତା ଆଣିବାକୁ ଆତଙ୍କବାଦୀଙ୍କୁ ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଛନ୍ତି ଆମ ମାଟିର ମଣିଷ । ଆତଙ୍କବାଦୀଙ୍କ ସହ ହାତ ମିଳାଇ ଦେଶ ସହ ବେଇମାନୀ କରିଛନ୍ତି । ଡାକ୍ତର ପାଲଟିଛନ୍ତି ‘ମୌତ୍ କା ସୌଦାଗର’ । ସାରା ଦେଶ ଚକିତ । ରୋଗୀସେବାକୁ ଜୀବନର ବ୍ରତ କରିଥିବା ଡାକ୍ତରମାନେ ଆତଙ୍କୀ ହମଲା ଷଡ଼ଯନ୍ତ୍ରର ସିପାହୀ ବି ସାଜିପାରନ୍ତି - ତାହା ଦେଖୁଛି ଦେଶ ।

ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା କାଣ୍ଡରେ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ‘ହ୍ୱାଇଟ୍ କଲାର ଟେରର ମଡ୍ୟୁଲ୍’ ସଂପୃକ୍ତିର ପ୍ରମାଣ ମିଳିଛି । ଏହି ମଡ୍ୟୁଲରେ ଭାରତର କିଛି ଡାକ୍ତର, ପ୍ରଫେସର ସଂପୃକ୍ତ ଅଛନ୍ତି । ଇତିମଧ୍ୟରେ ୮ ଡାକ୍ତରଙ୍କ ସଂପୃକ୍ତି ଜଣାପଡ଼ିଛି । ୪ ଜଣ ଗିରଫ ହୋଇଛନ୍ତି । ମହିଳା ଡାକ୍ତର ଶାହିନା ମଧ୍ୟ ବିସ୍ଫୋରଣର ‘ବିଷକନ୍ୟା’ ସାଜିଥିଲେ । କାଶ୍ମୀରରୁ ଦିଲ୍ଲୀ ଯାଏଁ ମହିଳା ଆତଙ୍କବାଦୀ ବ୍ରିଗେଡ୍ ଗଢ଼ିବାକୁ ସେ ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ । ତଦନ୍ତ ଯେତିକି ଆଗକୁ ବଢୁଛି, ଦେଶଦ୍ରୋହୀ ଆତଙ୍କବାଦୀଙ୍କ ରହସ୍ୟ କାହାଣୀ ସେତିକି ପଦାକୁ ଆସୁଛି । ଆତଙ୍କବାଦୀ ନେଟୱର୍କର ସୁପର ବସ୍ ସାଜି ଗିରଫ ଡାକ୍ତରମାନେ ଦେଶରେ ୨୦୦ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ପ୍ରସ୍ତୁତ ହୋଇଥିଲା ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ବ୍ଲୁପ୍ରିଣ୍ଟ । ଦୁଇ ବର୍ଷ ହେବ ଏଥିପାଇଁ ଠୁଳ ହେଉଥିଲା ବିସ୍ଫୋରକ । ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟର ରୁମ ନଂ ୧୩ ପାଲଟିଥିଲା ମନ୍ତ୍ରଣା କକ୍ଷ । ଏଇଠୁ ଟେଲିଗ୍ରାମ ଜରିଆରେ ଭାରତରେ ନରସଂହାର ରଚିବାକୁ ହେଉଥିଲା ଷଡ଼ଯନ୍ତ୍ର । ଏହି ଅପରେସନର ଛାମୁଆ ସାଜିଥିଲେ ଡାକ୍ତର ରୂପରେ ଗୃହଶତ୍ରୁ ଶାହିନା, ଶକିଲ୍ ମୁଜାମିଲ୍ ଏବଂ ଆଦିଲ୍ ଅହମ୍ମଦ ।

ଦିଲ୍ଲୀ କାର ବିସ୍ଫୋରଣ ପୂର୍ବରୁ ଏହି ଡାକ୍ତର ସିଣ୍ଡିକେଟ୍ ଧରା ପଡ଼ିଥିଲା । ଦେଶରେ ବଡ଼ ଧରଣର ଆତଙ୍କବାଦୀ ଘଟଣା ଘଟାଇବାକୁ ଫରିଦାବାଦ୍, ହରିୟାନାର ଦୁଇଟି ଘରେ ମହଜୁଦ କରିଥିଲେ ୨୯୦୦ କିଲୋଗ୍ରାମ୍ ଆମୋନିୟମ୍ ନାଇଟ୍ରେଟ୍ । ଅନୁମାନ କରିପାରୁଛନ୍ତି ଏହି ବିସ୍ଫୋରକର ଭୟାବହତା? ଏତିକି ପରିମାଣର ଆମୋନିୟମ ନାଇଟ୍ରେଟ୍ ଗୋଟିଏ ସହରର ଏକ ଅଂଶକୁ ବାଷ୍ପୀଭୂତ କରିପାରିବ । ୧୯୯୩ ଲଣ୍ଡନ ବିଶପ୍ସଗେଟ୍ ବୋମା ବିସ୍ଫୋରଣ ଆପଣଙ୍କର ମନେ ଥିବ । ୧୯୯୩ରେ ଆଇଆରଏ (ଆଇରିଶ୍ ରିପବ୍ଲିକାନ୍ ଆର୍ମି) ଏକ ଟ୍ରକରେ ହଜାରେ କିଗ୍ରା ଆମୋନିୟମ୍ ନାଇଟ୍ରେଟ୍ ରଖି ବିସ୍ଫୋରଣ କରିଥିଲା । ଏହା ଭୟଙ୍କର ବିନାଶ ଘଟାଇଥିଲା । ଆମ ଜହ୍ଲାଦମାନେ ଏହାର ତିନି ଗୁଣ ବିସ୍ଫୋରକ ମହଜୁଦ କରିଥିଲେ । ଆମ ସୁରକ୍ଷା ସଂସ୍ଥା ପାଇଁ ଦେଶ ବଡ଼ ବିପତ୍ତିରୁ ବର୍ତ୍ତିଛି । ହେଲେ ମନରେ ଛିଡ଼ା କରାଇଛି ପ୍ରଶ୍ନ କିଏ ବିଭୀଷଣ? ଆମେ କେମିତି ଚିହ୍ନିବା? ଗୋଟିଏ ମାଟିର ପାଣି ପବନରେ ବଢ଼ି ଶିକ୍ଷିତ, ରୋଜଗାରକ୍ଷମ ହୋଇ ମଧ୍ୟ ଏମାନେ କେମିତି ନିଜ ମାଆ ସହ ବେଇମାନୀ କରିପାରନ୍ତି? ଏଇ ଗୃହଶତ୍ରୁଙ୍କ ସହଯୋଗରୁ ୨୦୧୪ ପରେ ଏପର୍ଯ୍ୟନ୍ତ ସମସ୍ତ ଆତଙ୍କବାଦୀ ଆକ୍ରମଣ ପଠାନକୋଟ୍, ଉରି, ପୁଲୱାମା, ପହଲଗାମ, ଜମ୍ମୁ-କଶ୍ମୀର କିମ୍ବା ପାଖାପାଖି ସ୍ଥାନରେ ହୋଇଛି । ଏମାନଙ୍କୁ କି ଶାସ୍ତି ମିଳିବା ଉଚିତ?

ଆଇଏସ୍ଆଇ ଷଡ଼ଯନ୍ତ୍ର

ଭାରତ ବିରୋଧରେ ଦୀର୍ଘ ଦିନର ଛାୟା ଯୁଦ୍ଧକୁ ପାକିସ୍ତାନ ଏବେ ନୂଆ ରୂପରେ ତୀବ୍ର କରିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟରସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ପ୍ରସ୍ତୁତ କରିଛି ଆତଙ୍କବାଦୀ ଷଡ଼ଯନ୍ତ୍ରର ନକ୍ସା । ଗତ କିଛି ମାସ ମଧ୍ୟରେ ଆମ ସୁରକ୍ଷା ଏଜେନ୍ସି ଏଭଳି ୧୦ଟି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ସମର୍ଥ ହୋଇଛି । ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ଚାରି ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି, ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ । ତଦନ୍ତରୁ ସୂଚନା ମିଳିଛି ଯେ, ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା ହୋଇଥିଲା । ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଳ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍ଷ୍ଟିଚ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍ଗୁଡ଼ିକୁ ଟାର୍ଗେଟ୍ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା । ୧୯୯୨ ମସିହା ଡିସେମ୍ବର ୬ରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗିଥିଲା । “ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ’ନେବାକୁ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା । ଏକା ସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନକୁ ଟାର୍ଗେଟ୍ କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ ଆତଙ୍କବାଦୀ । ଏପରିକି ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି ମଧ୍ୟ ତିଆରି କରିଥିଲା ।

ଗୁଜରାଟରୁ ଡା. ମାୟିୟୁଦ୍ଦିନ୍ ଗିରଫ ହେବା ପରେ ଚକିତ କଲା ଭଳି ରହସ୍ୟର ପର୍ଦ୍ଦାଫାସ ହୋଇଛି । ମାୟିୟୁଦ୍ଦିନ ରିସିନ୍ ନାମକ ମାରାତ୍ମକ ବିଷ ପ୍ରସ୍ତୁତ କରୁଥିଲା । ହାଇଦ୍ରାବାଦ ଏବଂ ଚୀନରୁ ତାଲିମପ୍ରାପ୍ତ ମାୟିୟୁଦ୍ଦିନ ଭାରତରେ ସବୁଠାରୁ ଭୟଙ୍କର ଜୈବିକ ଆକ୍ରମଣ କରିବାର ଜାଲ ବିଛାଇଥିଲା । ରିସିନ୍ ସାଇନାଇଡ୍ଠାରୁ ୬ ହଜାର ଗୁଣ ଅଧିକ ମାରାତ୍ମକ । ଯୋଜନା ଥିଲା ଏହାକୁ ପାଣି ପାଇପ୍ ଲାଇନ ଏବଂ ମନ୍ଦିର ପ୍ରସାଦରେ ମିଶାଇ ମୃତ୍ୟୁର ତାଣ୍ଡବ ରଚିବା । ପାକିସ୍ତାନ ଆତଙ୍କବାଦୀ ରଣନୀତିର ଏହା ଏକ ‘ନୂଆ ଭର୍ସନ’ ବୋଲି ଏନ୍ଆଇଏ କହୁଛି । ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଏବା ଭଳି ଆତଙ୍କୀ ସଂଗଠନ ସହ ହାତ ମିଳାଇ ଆଇଏସ୍ଆଇ ଭାରତରେ ଏକ “ଜିହାଦୀ ଇକୋସିଷ୍ଟମ’ ଗଢ଼ିବାକୁ ଉଦ୍ୟମ କରୁଛି । ଭାରତର ଉଚ୍ଚ ଶିକ୍ଷିତ ଯୁବକଙ୍କ ମନ ଜିଣି ଆତଙ୍କବାଦର ଥିଓରୀକୁ ଭରିଦେବାକୁ ଯଥାସମ୍ଭବ ଉଦ୍ୟମ ହେଉଛି । ଶାହିନା ଓ ମୁଜାମିଲ ଭଳି ଦେଶଦ୍ରୋହୀ ଏହାର ମଙ୍ଗୁଆଳ ସାଜିଛନ୍ତି । ଡିଜିଟାଲ ଯୁଗରେ ଆତଙ୍କବାଦର ‘ଥ୍ରୀଲର ଫିଲ୍ମ’ ଭଳି ନୂଆ ରୂପ ଆସିଛି ସାମନାକୁ । ଗୁଜରାଟ ଏଟିଏସ୍, ଜମ୍ମୁ କାଶ୍ମୀର ପୁଲିସ ସହ ହରିୟାଣା ପୁଲିସର ନିଷ୍ଠାପଣକୁ ସାଲ୍ୟୁଟ୍ ।

ଛଦ୍ମବେଶରେ ବେଇମାନ:

ପରିଚୟ ଭାରତୀୟ କିନ୍ତୁ ପାକିସ୍ତାନ ଆତଙ୍କୀ ସଂଗଠନ ପାଇଁ କାମ କରୁଥିଲେ । ‘ଜିହାଦ’ ପାଇଁ ଦେଶଦ୍ରୋହ କାମ କରୁଥିଲେ । ଉଚ୍ଚଶିକ୍ଷିତ, ଭଲ ପରିବାର, ସମାଜରେ ପ୍ରତିଷ୍ଠିତ ପରିଚୟ ସହ ବଞ୍ଚୁଥିଲେ । କିନ୍ତୁ ନିଜ ମାଆ ମାଟି ଓ ମାନବିକତାକୁ ମାରି ପାକିସ୍ତାନ ପାଇଁ କାମ କରୁଥିଲେ । ପାକିସ୍ତାନୀ ଆଇଏସଆଇର ଗୁପ୍ତଚର ସାଜିଥିବା ଏଭଳି ସିଣ୍ଡିକେଟ୍ ୬ ମାସ ତଳେ ଧରା ପଡ଼ିଥିଲେ । ଏବେ ଆତଙ୍କୀ ସଂଗଠନ ସହ ହାତ ମିଳାଇଥିବା ଡାକ୍ତରମାନେ ଗିରଫ ହୋଇଛନ୍ତି । ଦେଶ ସହ ବେଇମାନୀ କରିଛନ୍ତି । ସାରା ଦେଶ ଏବେ ଛି..ଛି କରୁଛି । ହେଲେ ଯେଉଁ ଅମୂଲ୍ୟ ଜୀବନ ଚାଲିଗଲା ତା’ର ମୂଲ୍ୟ କିଏ ବା ଦେବ? ଏମାନେ ଭାରତ ମାଆର ଆତ୍ମା ସହ ଖେଳୁଛନ୍ତି । ଦେଶପ୍ରେମୀ କୋଟି କୋଟି ଭାରତୀୟଙ୍କୁ ଏହା ଯେତିକି ଦୁଃଖ ଦେଇଛି ସେତିକି ଲଜ୍ଜା । ସମୟ ଆସିଛି । ଆମକୁ ସତର୍କ ହେବାକୁ ପଡ଼ିବ । ଆମ ଭିତରେ ଥିବା ଛଦ୍ମବେଶୀମାନଙ୍କୁ ଖୋଜି ବାହାର କରିବାକୁ ହେବ । ସୀମାନ୍ତରେ ଆମ ବୀର ସେନା ଦେଶକୁ ଜଗିଛି, ଆମେ କିନ୍ତୁ ଆମ ଚାରିପାଖେ ଥିବା ଗୃହ ଶତ୍ରୁଙ୍କୁ ଜଗିବା ।