ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଜନସୁଣାଣି କାର୍ଯ୍ୟକ୍ରମ ସମୟରେ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୁଲିସ ମୁଖ୍ୟ ଅଭିଯୁକ୍ତ ରାଜେଶ ଭାଇ ଖିମଜୀ ଭାଇ ସାକରିୟାଙ୍କ ଜଣେ ସାଙ୍ଗକୁ ଗିରଫ କରିଛି। ଏହି ଘଟଣା ଗତ ବୁଧବାର (ଅଗଷ୍ଟ ୨୦) ରେଖା ଗୁପ୍ତାଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଘଟିଥିଲା। ଯେତେବେଳେ ରାଜେଶ ଭାଇ ରେଖା ଗୁପ୍ତାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ପୁଲିସ ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତି ରାଜେଶ ଭାଇଙ୍କ ସାଙ୍ଗ ଥିଲେ ଏବଂ ତାଙ୍କୁ ଅର୍ଥ ପଠାଇଥିବା ଅଭିଯୋଗ ରହିଛି। ଏହି ଆକ୍ରମଣ ପଛରେ ଏକ ବୃହତ୍ତର ଷଡ଼ଯନ୍ତ୍ର ଥାଇପାରେ ବୋଲି ପୁଲିସ ଅନୁସନ୍ଧାନ କରୁଛି। ଅଭିଯୁକ୍ତ ରାଜେଶ ଭାଇ (୪୧), ଗୁଜରାଟର ରାଜକୋଟ ନିବାସୀ, ଜଣେ ଜେଲରେ ଥିବା ସମ୍ପର୍କୀୟଙ୍କ ମୁକ୍ତି ପାଇଁ ଆବେଦନ କରିବାକୁ ଆସିଥିବା ଦାବି କରିଥିଲେ। ତାଙ୍କ ମା’ଙ୍କ କହିବା ଅନୁଯାୟୀ, ରାଜେଶ ମାନସିକ ଭାବେ ଅସୁସ୍ଥ ଥିଲେ ଏବଂ ପଶୁମାନଙ୍କ ପ୍ରତି ତାଙ୍କର ଅତ୍ୟଧିକ ଆସକ୍ତି ଥିଲା। ସୁପ୍ରିମ କୋର୍ଟର ଏକ ପଶୁ ସମ୍ବନ୍ଧୀୟ ନିଷ୍ପତ୍ତି ପରେ ସେ ଅସ୍ଥିର ହୋଇ ପଡ଼ିଥିଲେ।
ଘଟଣା ସମୟରେ ରାଜେଶ ପ୍ରଥମେ ରେଖା ଗୁପ୍ତାଙ୍କୁ କାଗଜପତ୍ର ଦେଇଥିଲେ, ତା’ପରେ ଚିତ୍କାର କରି ତାଙ୍କ ହାତ ଧରି ଟାଣିଥିଲେ ଏବଂ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ନିୟନ୍ତ୍ରଣକୁ ଆଣିଥିଲେ। ରେଖା ଗୁପ୍ତା ଏହି ଘଟଣାକୁ “କାପୁରୁଷୋଚିତ ଆକ୍ରମଣ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହା ତାଙ୍କର ଜନସେବା ପାଇଁ ଦୃଢ଼ ସଂକଳ୍ପକୁ ଭାଙ୍ଗି ପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଜନସୁଣାଣି କାର୍ଯ୍ୟକ୍ରମ ପୂର୍ବ ଭଳି ଜାରି ରହିବ।
ଦିଲ୍ଲୀ ପୁଲିସ ଏହି ମାମଲାରେ ଗଭୀର ଅନୁସନ୍ଧାନ ଜାରି ରଖିଛି। ରାଜେଶଙ୍କୁ ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଛି। ଏବଂ ତାଙ୍କ ମୋବାଇଲ ଫୋନ ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଏହି ଆକ୍ରମଣ ପରେ ରେଖା ଗୁପ୍ତାଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ସେନ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଏବେ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛି, ଯେଉଁମାନେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗାନ୍ଧୀ ପରିବାରଙ୍କ ସୁରକ୍ଷା ମଧ୍ୟ ସମ୍ଭାଳୁଛନ୍ତି।
ଏହି ଘଟଣା ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଜେପି ନେତାମାନେ ଏହାକୁ ନିନ୍ଦା କରିଥିବା ବେଳେ ବିରୋଧୀ ଦଳ ଆପ୍ ମଧ୍ୟ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପୁଲିସ ଏହି ମାମଲାରେ ସମସ୍ତ ଦିଗକୁ ଅନୁସନ୍ଧାନ କରୁଛି ଏବଂ ଅଧିକ ତଥ୍ୟ ପାଇଁ ରାଜକୋଟକୁ ମଧ୍ୟ ଯାତ୍ରା କରିପାରେ ବୋଲି ସୂଚନା ମିଳିଛି।