ନୂଆଦିଲ୍ଲୀ,୨୦/୦୮: ସ୍କୁଲକୁ ବୋମା ବିସ୍ଫୋରଣ ଧମକ । ଜାତୀୟ ରାଜଧାନୀ ଦିଲ୍ଲୀର ୫୦ ସ୍କୁଲକୁ ବୋମା ଧମକ ମିଳିଛି । ନଜଫଗଡ଼ର ଏକ ସ୍କୁଲ ଏବଂ ମାଲବ୍ୟ ନଗରର ଅନ୍ୟ ଏକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏନେଇ ଖବର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଛାନଭୀନ ଜାରି ରଖିଛି । ହେଲେ ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ଦେଇଛି ପୁଲିସ ।
ଗତ କିଛି ଦିନ ଧରି ଦିଲ୍ଲୀର ସ୍କୁଲ ଏବଂ କଲେଜଗୁଡ଼ିକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳୁଛି। ଗତ ସୋମବାର ମିଳିଥିବା ଧମକପୂର୍ଣ୍ଣ ମେସେଜରେ ଟଙ୍କା ମଧ୍ୟ ଦାବି କରାଯାଇଥିଲା । ଦିଲ୍ଲୀର ୩୨ଟି ସ୍କୁଲକୁ ୪,୩୫,୪୨୭,୫୦ ଟଙ୍କା ଅର୍ଥାତ୍ ୫୦୦ଆମେରିକୀୟ ଡଲାର ଦାବି କରି ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଟଙ୍କା ନ ଦେଲେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଯଦିଓ ସ୍କୁଲ ଏବଂ କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନକୁ ମିଳିଥିବା ଧମକପୂର୍ଣ୍ଣ ମେଲ୍ରେ କୌଣସି ଟଙ୍କା ଦାବି କରାଯାଇ ନଥିଲା। ସ୍ପେଶାଲ୍ ସେଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀର ୩୨ଟି ସ୍କୁଲ, ଅର୍ଥାତ୍ ଦକ୍ଷିଣ ଜିଲ୍ଲାରେ ୭ଟି, ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ୧୩ଟି, ଦ୍ୱାରକାରେ ୧୧ଟି ଏବଂ କେନ୍ଦ୍ରୀୟ ଜିଲ୍ଲାରେ ୧ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍ ମିଳିଛି। ପୁଲିସ ଅଧିକାରୀ କହିଛନ୍ତି ଯେ, ସମସ୍ତ ସ୍କୁଲକୁ ମିଳିଥିବା ମେଲ୍ ସମାନ ଥିଲା ଏବଂ ସମସ୍ତ ଜିମେଲ ଆଇଡିରୁ ପଠାଯାଇଥିଲା।