ନୂଆଦିଲ୍ଲୀ,୨୦।୧୧: ଉମର ଖାଲିଦ, ଶରଜିଲ୍ ଇମାମ, ଗୁଲଫିଶା ଫାତିମା, ମୀନା ହାଇଦର ଓ ଦିଲ୍ଲୀ ଦଙ୍ଗାର ଅନ୍ୟ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ବିରୋଧ କରିଛି ଦିଲ୍ଲୀ ପୁଲିସ। ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ କହିଛି, ଯେତେବେଳେ ବୁଦ୍ଧିଜୀବି ଆତଙ୍କବାଦୀ ପାଲଟନ୍ତି ତାହା ସବୁଠାରୁ ବିପଦଜନକ। ଦିଲ୍ଲୀ ପୁଲିସ ଏଠାରେ ଲାଲ କିଲ୍ଲା କାର ବିସ୍ଫୋରଣ ଓ ‘ହ୍ବାଇଟ୍ କଲର ଟେରର ମଡ୍ୟୁଲ’ କଥା କହିଛି। ଶୁଣାଣି ବେଳେ ଶରଜିଲ୍ ଇମାମର ଭାଷଣର କିଛି ଭିଡିଓ କ୍ଲିପ ମଧ୍ୟ ଦେଖାଇଥିଲା। ଯେଉଁଥିରେ ସେ ପୂର୍ବତ୍ତର ରାଜ୍ୟ ଆସାମକୁ ଭାରତରୁ କାଟିବା, ଦିଲ୍ଲୀର କ୍ଷୀର-ପାଣି ବନ୍ଦ କରିବା ଓ ଉଗ୍ର ବିରୋଧ କରିବା ଭଳି କଥା କହୁଛି।
ସୁପ୍ରିମକୋର୍ଟ ଗୁରୁବାର ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଦିଲ୍ଲୀ ପୁଲିସ କହିଛି ଆଜିକାଲି ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି। ତାହା ହେଲା ବୁଦ୍ଧିଜୀବି ଲୋକ ସରକାରୀ ଟଙ୍କାରେ ପଢି ଡାକ୍ତର-ଇଞ୍ଜିନିୟର ହେଉଛନ୍ତି। ଏହାପରେ ଦେଶ-ବିରୋଧି ଗତିବିଧିରେ ସାମିଲ ହୋଇଯାଆନ୍ତି। ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଏନଭି ଅଞ୍ଜାରିୟାଙ୍କ ଖଣ୍ଡପୀଠ ଆଗରେ ଦିଲ୍ଲୀ ପୁଲିସର ପକ୍ଷ ରଖିବା ପାଇଁ ଆଡିସନାଲ ସଲିସିଟର ଜେନେରାଲ ଏସ୍ଜି ରାଜୁ ହାଜର ହୋଇଥିଲେ। ସେ କହିଥିଲେ ବୁଦ୍ଧିଜୀବି ଯେତେବେଳେ ଆତଙ୍କବାଦୀ ହୁଅନ୍ତି ସେମାନେ ଅଧିକ ବିପଦଜନକ ହୋଇଯାଆନ୍ତି।
ଏଏସ୍ଜି ରାଜୁଙ୍କ ଇଶାରା ହରିୟାଣାର ଅଲ୍ ଫଲାହ ୟୁନିଭର୍ସିଟିରେ ଚାଲିଥିବା ‘ହ୍ବାଇଟ କଲର ଟେରର ମଡ୍ୟୁଲ’ ଆଡକୁ ଥିଲା, ଯାହାକୁ ନିକଟରେ ତଦନ୍ତକାରୀ ଏଜେନ୍ସି ପର୍ଦାଫାଶ କରିଥିଲା। ଡାକ୍ତରମାନେ ସେଠାରୁ ଆଇଇଡି ତିଆରି କରୁଥିବା ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ଏହି ଘଟଣାର ପରଦିନ ଏହି ଡାକ୍ତରଙ୍କ ସହ ଡାକ୍ତର ଉମର ନବି ଲାଲକିଲ୍ଲା ପାଖ କାରରେ ବିସ୍ଫୋରଣ କରିଥିଲା। ଯେଉଁଥିରେ ୧୪ ଜଣଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ବହୁ ଡାକ୍ତରଙ୍କୁ ଗିରଫ କରାଯାଇଛି। ଶୁଣାଣି ବେଳେ ଦିଲ୍ଲୀ ପୁଲିସ କୋର୍ଟରେ ଶରଜିଲ୍ ଇମାମର ସ୍ପିଚ୍ର କିଛି ଭିଡିଓ କ୍ଲିପ ମଧ୍ୟ ଚଲାଇଥିଲା। ଯେଉଁଥିରେ ସେ ଏହା କହୁଥିବାର ଦେଖିବାକୁ ମିଳିଥିଲା ଯେ, ପୁରା ଭାରତର ସହରରେ ଚକା ଜାମ ହେବା ଦରକାର। ଏହି ଭାଷଣରେ ଶରଜିଲ୍ ଇମାମ ଚିକେନ୍ ନେକ୍କୁ ରୋକି ଆସାମକୁ ଭାରତଠାରୁ କାଟିବା, ଦିଲ୍ଲୀର କ୍ଷୀର-ପାଣି ବନ୍ଦ କରିବା ଓ ଉଗ୍ର ବିରୋଧ କରିବା ଭଳି କଥା କହୁଛି। ଦିଲ୍ଲୀ ପୁଲିସ ଅଭିଯୋଗ କରିଛି ଶରଜିଲ୍ ନିଜ ଭାଷଣରେ ମୁସଲମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିଲା।