ଧର୍ମଶାଳା,୧୧/୦୫: ଆଇପିଏଲ୍‌ ୨୦୨୬ର ୫୫ ତମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଛି। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ପଞ୍ଜାବ କିଙ୍ଗସ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୧୧ ରନର ଟାର୍ଗେଟ ରଖିଛି। ପଞ୍ଜାବ ଏକ ଚମତ୍କାର ଆରମ୍ଭ କରିଥିଲା, ମାତ୍ର ୧୫ ବଲରେ ୫୦ ରନ କରି ଇତିହାସ ରଚିଥିଲା। ପ୍ରିୟାଂଶ ଆର୍ଯ୍ୟ ମ୍ୟାଚ୍ ର ପ୍ରଥମ ବଲରେ ଛକା ମାରିଥିଲେ। ଦିଲ୍ଲୀ ପାଇଁ ମିଚେଲ ଷ୍ଟାର୍କ ଓପନିଂ ଓଭର ବୋଲିଂ କରି ୨୨ ରନ ଦେଇଥିଲେ। ଏହା IPL ଇତିହାସରେ ପଞ୍ଜାବ କିଙ୍ଗସ୍ ପ୍ରଥମ ଓଭରରେ ଏତେ ଅଧିକ ରନ କରିବାର ରେକର୍ଡ କରିଥିଲା। ପଞ୍ଜାବର ଇନିଂସ ୨୧୦ ରନରେ ଶେଷ ହୋଇଥିଲା। ଅଧିନାୟକ ଶ୍ରେୟସ ଆୟର ୫୯ ରନ କରି ଅପରାଜିତ ଫେରିଥିଲେ। ମିଚେଲ ଷ୍ଟାର୍କ ଦୁଇଟି ୱିକେଟ୍ ନେଇଥିଲେ, ସେ ମଧ୍ୟ ତାଙ୍କ ଚାରି ଓଭରରେ ୫୭ ରନ ଦେଇଥିଲେ।

ଦଳୀୟ ସ୍କୋର ୯୭ ରନରେ ପହଞ୍ଚିବା ବେଳକୁ ପଞ୍ଜାବ କିଙ୍ଗ୍ସ ସେମାନଙ୍କର ଉଭୟ ଓପନରଙ୍କୁ ହରାଇଥିଲା। ଏହି ସମୟରୁ, କୁପର କନୋଲି, ଶ୍ରେୟସ ଆୟରଙ୍କ ସହିତ ମିଶି ତୃତୀୟ ୱିକେଟ ସୁଦ୍ଧା ୫୨ ବଲରୁ ୮୩ ରନ ଯୋଡ଼ି ଦଳକୁ ଏକ ବିଶାଳ ସ୍କୋର ଆଡକୁ ନେଇଥିଲେ। କୁପର କନୋଲି ୨୭ ବଲରୁ ୨ ଛକା ଏବଂ ୩ ଚୌକା ସହିତ ୩୮ ରନ କରି ପ୍ୟାଭିଲିୟନ ଫେରିଥିଲେ।

୧୯ତମ ଓଭରର ପ୍ରଥମ ବଲ୍‌ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ମାର୍କସ୍‌ ଷ୍ଟୋଇନିସ୍ ୧ ରନ୍ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ମିଚେଲ୍ ଷ୍ଟାର୍କ ମଧ୍ୟ ଶଶାଙ୍କ ସିଂହ ଙ୍କୁ ଆଉଟ୍ କରିଥିଲେ। ସୂର୍ଯ୍ୟାଂଶ ସେଡେଗେ ଏବଂ ଶ୍ରେୟସ ଆୟର ଷଷ୍ଠ ୱିକେଟ୍ ସୁଦ୍ଧା ୧୦ ବଲ୍‌ରେ ୨୩ ରନ୍ ର ଅବିଚ୍ଛେଦ୍ୟ ଭାଗୀଦାରୀ ଗଠନ କରି ଦଳର ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ଆୟର ୩୬ ବଲ୍ ରୁ ୫୯ ରନ୍ କରି ଅପରାଜିତ ରହିଥିଲେ, ଯେଉଁଥିରେ ସେ ୩ ଛକା ଏବଂ ୫ ଚୌକା ମାରିଥିଲେ। ସେହିପରି ସୂର୍ଯ୍ୟାଂଶ ୨ ଛକା ଏବଂ ୨ ଚୌକା ସହାୟତାରେ ୮ ବଲ୍ ରୁ ୨୧ ରନ୍ କରିଥିଲେ। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ଏବଂ ମାଧବ ତିୱାରୀ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର ଗୋଟିଏ ୱିକେଟ୍ ନେଇଥିଲେ। ବର୍ତ୍ତମାନ ପଞ୍ଜାବ ଦେଇ‌ଥିବା ୨୧୧ ରନର ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ।