ଗୁଣୁପୁର,୭।୪( ଆପ୍ର ) : ଗୁଣୁପୁର ଓକିଲ ସଂଘ ପକ୍ଷରୁ ବଂଶଧାରା ନଦୀ ଜଳ ବିବାଦ ଓ ଅଞ୍ଚଳର ଜଳ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରି ଦାବି ଉଠାଯାଇଛି। ବଂଶଧାରା ନଦୀର ଜଳ ଓଡିଶାରୁ ଉତ୍ପତ୍ତି ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଓଡିଶାର ରାୟଗଡା ଜିଲ୍ଲାର ଚାଷୀଙ୍କ ସ୍ବାର୍ଥକୁ ନେଇ ଗୋଟିଏ ବି ମେଗା ପ୍ରକଳ୍ପ କରାଯାଇନାହିଁ। ଆନ୍ଧ୍ର ସରକାର ଦୁଇଟି ପ୍ରକଳ୍ପ କରୁଛି। ଗୋଟିଏ ପ୍ରକଳ୍ପ ହିରମଣ୍ଡଳ ଠାରେ ଗଟା ବେରେଜ୍ ନିର୍ମାଣ ହୋଇଥିବା ବେଳେ ଏବେ କାଟ୍ରାଗଡା ଠାରେ ନେରେଡି ଫେଜ୍ - ୨ ପ୍ରକଳ୍ପ କାମ କରୁଛି। ନେରେଡି -୨ ପ୍ରକଳ୍ପ ନେଇ ଦୀର୍ଘ ବର୍ଷ ଧରି ଓଡିଶା - ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ ଟ୍ରିବ୍ୟୁନାଲ୍ ଆନ୍ଧ୍ର ସପକ୍ଷରେ ରାୟ ପ୍ରକାଶ ପାଇବା ପରେ ରାୟଗଡା ଜିଲା ଗୁଣୁପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗୁଣୁପୁର ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଉଲ୍ଲେଖ ରହିଛି ଆନ୍ଧ୍ର ପ୍ରକଳ୍ପ କଲେ ଓଡିଶାର ଦୁଇ ଜିଲ୍ଲା ତଥା ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର କିଛ ଗ୍ରାମାଞ୍ଚଳ ଗଜପତୀର କାଶିନଗର ବ୍ଲକ କିଛି ଗ୍ରାମାଞ୍ଚଳ କ୍ଷତି ହେବ। ଓଡିଶାରେ ଥିବା ଗୁଣୁପୁର ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଉପରମୁଣ୍ଡରେ ଥିବା ଗୁଡାରି ଅଞ୍ଚଳରେ ମେଗା ପ୍ରକଳ୍ପ ନିର୍ମାଣ କଲେ ଓଡିଶାର ସ୍ବାର୍ଥ ହାସଲ ହୋଇପାରିବ। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ଓକିଲ ସଂଘ ର ସଭାପତୀ ରମେଶ ଚନ୍ଦ୍ର ଲିମା, ସମ୍ପାଦକ ସୁରୋଜ ପାତ୍ର, ବରିଷ୍ଠ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ,କୃଷ୍ଣଚନ୍ଦ୍ର ସେନାପତୀ, ପ୍ରମୋଦ ସାହୁ,ବିଷ୍ଣୁ ପ୍ରସାଦ ପାଢୀ, ମିହିର ପଟ୍ଟନାୟକ, ସରକାରି ଓକିଲ ଇନ୍ଦ୍ରାକ୍ଷି ପ୍ରସାଦ ଦାସ, ଫଣିଭୂଷଣ ପଟ୍ଟନାୟକ, ଦେବି ପ୍ରସାଦ ଆଚାର୍ଯ୍ୟ ଙ୍କ ସହ ପ୍ରମୁଖ ବରିଷ୍ଟ ଓକିଲ ଉପସ୍ଥିତ ଥିଲେ।

ଓକିଲ ସଂଘ ପକ୍ଷରୁ ଗୁଡାରି ନିକଟ ପାଣିଡଙ୍ଗର ଠାରେ ଏକ ମେଗା ଜଳଭଣ୍ଡାର (ଡ୍ୟାମ୍) ନିର୍ମାଣ ପାଇଁ ଦାବି କରାଯାଇଛି। ପ୍ରସ୍ତାବ ଅନୁଯାୟୀ, ପୂର୍ବରୁ ଇଞ୍ଜିନିୟର କେ.ଏଲ୍. ରାଓଙ୍କ ଯୋଜନା ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟକରିତା ହେଲେ ଗୁଣୁପୁର ସବ୍-ଡିଭିଜନର ଜଳ ସମସ୍ୟା ଦୂର ହେବା ସହିତ ହାଇଡ୍ରୋ ପାୱାର ଉତ୍ପାଦନର ସୁଯୋଗ ସୃଷ୍ଟି ହେବ। ବାର୍ ସଂଘ ସଦସ୍ୟମାନେ ଓଡ଼ିଶା ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି।