ମୁମ୍ୱାଇ -ରଣବୀର ସିଂହ ଏହି ସମୟରେ ନିଜର ଅପକମିଂ ଫିଲ୍ମ ‘ଧୁରନ୍ଧର’କୁ ନେଇ ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଫିଲ୍ମ ୫ ଡିସେମ୍ୱରରେ ଫିଲ୍ମହଲ୍ରେ ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ୍ ପୂର୍ବରୁ ଫିଲ୍ମରେ ରୋକ୍ ଲାଗିବାକୁ ଉଠିଛି ସ୍ୱର। ଫିଲ୍ମର ରିଲିଜ୍ ଉପରେ ରୋକ୍କୁ ନେଇ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ବାର୍ ଆଣ୍ଡି ବେଞ୍ଚର ରିପୋର୍ଟ ମୁତାବିକ , ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ ଓ ସେନା ମେଡାଲ ପୁରସ୍କାର ପ୍ରାପ୍ତ ସହିଦ ମେଜର ମୋହିତ ଶର୍ମାଙ୍କ ମାତା-ପିତା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରି ଫିଲ୍ମର ରିଲିଜ ଉପରେ ରୋକ୍ ଲଗେଇବାକୁ ଦାବି କରିଛନ୍ତି।
ନିଜର ପିଟିସନରେ ପରିବାର ଅଭିଯୋଗ ଲଗେଇଛି ଯେ, ଫିଲ୍ମର କାହାଣୀ ସ୍ପେଶାଲ ଫୋର୍ସର ଅଧିକାରୀ (ସହିଦ ମେଜର ମୋହିତ ଶର୍ମା)ଙ୍କ ଜୀବନ, ସିକ୍ରେଟ୍ ଅପରେସନ ଓ ସହିଦତା ଦ୍ୱାରା ପ୍ରେରିତ ବୋଲି ମନେହୁଏ ଏବଂ ଫିଲ୍ମ ତିଆରି ପାଇଁ ଭାରତୀୟ ସେନା କିମ୍ୱା ମେଜର ଶର୍ମାଙ୍କ ପରିବାର ଠାରୁ ଅନୁମତି ନିଆ ଯାଇ ନାହିଁ। ମେଜର ଶର୍ମାଙ୍କ ପରିବାରର ଯୁକ୍ତି ଏହା ଯେ, ମିଡ଼ିଆରେ ‘ଧୁରନ୍ଧର’କୁ ମେଜର ଶର୍ମାଙ୍କ କାହାଣୀ ସହ ଲିଙ୍କ୍ କରାଯାଉଛି, କିନ୍ତୁ ଫିଲ୍ମମେକରମାନେ ଏହି ଜିନିଷକୁ ସ୍ୱୀକାର କରି ନାହାନ୍ତି କି, କୌଣସି ବି ପଏଣ୍ଟ ଉପରେ ପରିବାର ସହ କନସଲ୍ଟ କରି ନାହାନ୍ତି।
ପିଟିସନରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (ସିବିଏଫସି), ଏଡିଜିପିଆଇ , ଫିଲ୍ମର ଡାଇରେକ୍ଟର ଓ କୋ-ପ୍ରଡ୍ୟୁସର ଆଦିତ୍ୟ ଧର ଏବଂ ପ୍ରଡ୍ୟୁସର ଜିୟୋ ଷ୍ଟୁଡିଓଜ୍ର ନାଁ ସାମିଲ କରାଯାଇଛି। ପିଟିସନକାରୀମାନେ କୋର୍ଟଙ୍କୁ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗେଇବା ଓ କୌଣସି ବି ପବ୍ଲିକ୍ ପ୍ରିମିୟର ପୂର୍ବରୁ ମେଜର ଶର୍ମାଙ୍କ ପରିବାର ପାଇଁ ଏକ ପ୍ରାଇଭେଟ୍ ସ୍କ୍ରିନିଂ ବାଧ୍ୟତାମୂଳକ କରିବାକୁ ଅନୁରୋଧ କରିଛନ୍ତି। ପିଟିସନରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଆଗାମୀ ସମୟରେ ବାସ୍ତବ ଜୀବନରେ ସହିଦ ହୋଇଥିବା ଯବାନଙ୍କ ଉପରେ ଆଧାରିତ ଫିଲ୍ମ ପାଇଁ ସେନା ଓ ସହିଦର ପରିବାର ଠାରୁ ଅନୁମତି ନିଆଯାଉ।
କହି ରଖୁଛୁ କି, ଅନେକ ଚର୍ଚ୍ଚା ହେଉଥିଲା ଯେ, ରଣବୀର ସିଂହଙ୍କ ‘ଧୁରନ୍ଧର’ ମେଜର ମୋହିତ ଶର୍ମାଙ୍କ ଲାଇଫ୍ ସହ ପ୍ରେରିତ। ହେଲେ , ୨୬ ନଭେମ୍ୱରରେ ନିର୍ଦ୍ଦେଶକ ଆଦିତ୍ୟ ଧର ଫିଲ୍ମକୁ ନେଇ ବିବୃତ୍ତି ଜାରି କରିଥିଲେ ଏବଂ କହିଥିଲେ ଯେ, ଫିଲ୍ମ ମୋହିତ ଶର୍ମାଙ୍କ ଜୀବନୀ ଉପରେ ପ୍ରେରିତ ଅଛି।