କଟକ, ୧୮।୭/ସୁକେଶ ବେହେରା ଓ ହାରୁଦ୍ ରସିଦ୍ ଖାନ୍: କଟକ ଓ ଫୁଟବଲ୍ ଭିତରେ ରହିଛି ଏକ ନିବିଡ଼, ଆବେଗିକ ସଂପର୍କ । ଏ ସହରର ଗଳିକନ୍ଦିରେ ଫୁଟବଲ୍ର ଆତ୍ମା ବଞ୍ଚିଛି । ଦିନ ଥିଲା ଏ ମାଟିରୁ ମାଳମାଳ ଫୁଟବଲ୍ ତାରକା ତିଆରି ହେଉଥିଲେ । ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ କଟକର ଟେକ ରଖୁଥିଲେ । କେବଳ ଖେଳାଳି ନୁହନ୍ତି, ଫୁଟବଲ୍ପ୍ରେମୀଙ୍କ ସଂଖ୍ୟା ବି କିଛି କମ୍ ନଥିଲା । ଏମିତି ସମୟ ଥିଲା, କଟକ ଲିଗ୍ ନାଁ ଶୁଣିଲେ ଫୁଟବଲ୍ପ୍ରେମୀ ଚାଲିଚାଲି ଷ୍ଟାଡିୟମ୍ ଯାଏ ଚାଲିଆସୁଥିଲେ । ଭାରତର ହାତଗଣତି ଫୁଟବଲ୍ପ୍ରିୟ ସହର ଭିତରେ ଜଣାଶୁଣା ଥିଲା କଟକ । କିନ୍ତୁ ଆଜି ସେ ସ୍ଥିତି ଆଉ ନାହିଁ ।
ଓଡ଼ିଶାକୁ ଦେଇଛି ଅନେକ ତାରକା
ଏବେ ଯେମିତି କଟକରେ ଫୁଟବଲ୍ର ଆତ୍ମା ଶୋଇପଡ଼ିଛି । କିନ୍ତୁ ଏହା ସତ ଯେ, ଆତ୍ମା ମରେନି । ସମୟପଯୋଗୀ ପଦକ୍ଷେପ, ଭିତ୍ତିଭୂମି ବିକାଶ, ଫୁଟବଲ୍ ଖେଳିବାକୁ ଉତ୍ସାହ ବୃଦ୍ଧି କରିବା ସହିତ ପ୍ରତିଭା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଲେ କଟକରେ ଫୁଟବଲ୍ ପୁଣି ମୁଣ୍ଡ ଟେକି ଉଠିବ । ସହରରେ ଫୁଟବଲ୍ ଖେଳ ନିର୍ଦ୍ଦିଷ୍ଟ ଭାବେ କେବେ ଆରମ୍ଭ ହେଲା ତାହା ଆକଳନ କରିବା ମୁସ୍କିଲ୍ । ଶହେ ବର୍ଷର ଫୁଟବଲ୍ ଇତିହାସ ଏବେ ବି ଫୁଟବଲ୍ପ୍ରେମୀଙ୍କ ମୁହଁରେ ଅଛି । ଇଂରେଜ ଶାସନକାଳରେ ରେଭେନ୍ସା ମହାବିଦ୍ୟାଳୟରୁ ଆରମ୍ଭ ହୋଇଥିବା କିଛି ଖେଳ ଭିତରେ ଫୁଟବଲ୍ ଥିଲା । ୧୯୫୨ ମସିହାରେ କଟକରେ ପ୍ରତିଷ୍ଠା ହେଲା ଓଡ଼ିଶା ଫୁଟବଲ୍ ଆସୋସିଏସନ୍, ଯଦିଓ ୧୯୬୨ ମସିହାରେ ଏହାର ପଞ୍ଜୀକରଣ ହୋଇଥିଲା । ଆସୋସିଏସନ୍ ଗଠନ ହେବାର ୨୦ ବର୍ଷ ପୂର୍ବରୁ କଟକରେ ବିଭିନ୍ନ କ୍ଲବ୍ ଫୁଟବଲ୍ ଖେଳୁଥିଲେ । ରୋଭର୍ସ କ୍ଲବ୍, ଟାଉନ୍ କ୍ଲବ୍, ଜୟଦୁର୍ଗା କ୍ଲବ୍, ରାଇଜିଂଷ୍ଟାର୍ କ୍ଲବ୍ ଭଳି ବିଭିନ୍ନ କ୍ଲବ୍ ଫୁଟବଲ୍ ଖେଳାଳିଙ୍କୁ ଏକାଠି କରି ଛୋଟଛୋଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ । ଓଡ଼ିଶା ରିଜର୍ଭ ପୁଲିସ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ଆସିଥିବାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ବାରବାଟୀ ଷ୍ଟାଡିୟମ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ୧୯୫୧ ମସିହାରେ ଓଡ଼ିଶାର କିମ୍ବଦନ୍ତୀ ଫୁଟବଲ୍ ତାରକା ଅବଦୁଲ୍ ମଜିଦ୍ (ବଚ୍ଚନ୍) ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିସାରିଥିଲେ । ଏଣୁ କଟକରେ ଫୁଟବଲ୍ ଖେଳର ଇତିହାସ ଅଛି । ସେତେବେଳେ ରିଜର୍ଭ ପୁଲିସ ଖେଳପଡ଼ିଆ, କିଲ୍ଲା ପଡ଼ିଆ, ପିଏମ୍ ଏକାଡ଼େମୀ ସ୍କୁଲ୍ ଖେଳ ପଡ଼ିଆରେ ଫୁଟବଲ୍ ଖେଳାଯାଉଥିଲା । ସୂତାହାଟ, ଦିୱାନବଜାର, ଓଡ଼ିଆ ବଜାର, ଯୋବ୍ରା, ଶେଖ୍ ବଜାର , ତିନିକୋଣିଆ ବଗିଚା ସମେତ ସହରର ଅନେକ ଅଞ୍ଚଳରୁ ପ୍ରତିଭାବାନ୍ ଖେଳାଳି ଜନ୍ମ ନେଇଛନ୍ତି । ଅବଦୁଲ୍ ମଜିଦ୍, ଗୋଲକ ସାମଲ, ସେକ୍. ବାବୁ, ଅବଦୁଲ୍ ଜବାର୍, ଏମ୍.ଏନ୍.ସିଂହ, ଦେବ ସିଂହ, ଦେବ ଦାସ, କୃଷ୍ଣଚନ୍ଦ୍ର ବେହେରା, ଗୋପବନ୍ଧୁ ସାହୁ, ଅମରେନ୍ଦ୍ର ସିଂହ, ଆଗା ଜାହିର୍, ବିଜୟ ଦାସ, ଗୋପାଳ ପାଲ୍, ଗିରିଧାରୀଲାଲ୍ ନାୟକ, ଶ୍ରଦ୍ଧାନନ୍ଦ ଦାସଙ୍କ ଭଳି ବହୁ ଖେଳାଳି କଟକକୁ ସାରା ଭାରତରେ ପରିଚିତ କରାଇପାରିଛନ୍ତି ।
ପତିଆରା ଲଢ଼େଇ
କଟକରେ ବହୁ ସଂଖ୍ୟାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ହୁଏ । ସେଥି ମଧ୍ୟରୁ କଟକ ଲିଗ୍ ବେଶ୍ ପ୍ରସିଦ୍ଧ । ଏହି ଟୁର୍ଣ୍ଣାମେଣ୍ଟକୁ ବର୍ଷ ତମାମ୍ ଅପେକ୍ଷା କରି ବସନ୍ତି ବିଭିନ୍ନ କ୍ଲବ୍ ଓ ଖେଳାଳି । ଲିଗ୍ କେବଳ ନାଁ ବରଂ ଏଠି ସାହି ସାହି, କ୍ଲବ୍ କ୍ଲବ୍ ମଧ୍ୟରେ ପତିଆରା ପାଇଁ ଲଢ଼େଇ ହୁଏ । ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ତରଫରୁ ପ୍ରତିବର୍ଷ ଏହି ଲିଗ୍ ଆୟୋଜନ କରାଯାଉଛି । ଏହାର ଇତିହାସ ମଧ୍ୟ ବେଶ୍ ପୁରୁଣା । ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରୁ ଲିଗ୍ ଆରମ୍ଭ ହୁଏ । ଜୁଲାଇ,ଅଗଷ୍ଟ ଆୟୋଜିତ ଏହି ମ୍ୟାଚ ଦେଖିବାକୁ ଷ୍ଟାଡିୟମ୍ରେ ପ୍ରବଳ ଗହଳି ଜମେ । ଯାହାର ଯାହା କାମ ଥାଏ ତାକୁ ସାରିଦେଇ ଦିନ ୩ଟା ସୁଦ୍ଧା ସମସ୍ତେ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀକୁ ଆସିଯାଆନ୍ତି । ଏହି ଲିଗ୍ ମଧ୍ୟ କଟକରେ ଫୁଟବଲ୍ ଖେଳକୁ ପ୍ରୋତ୍ସାହିତ କରିଛି । ଏବେ ଦୁଇ ଡିଭିଜନ୍ରେ ଏହି ଲିଗ୍ରେ କଟକ ସହରର ନୂଆ, ପୁରୁଣା କ୍ଲବ୍ ମିଶାଇ ୩୫ରୁ ଅଧିକ କ୍ଲବ୍ ଅଂଶଗ୍ରହଣ କରୁଛନ୍ତି । ୨୦୧୦ ମସିହା ପରଠାରୁ ଏହା କଟକ ଲିଗ୍ ବଦଳରେ ଫାଓ ଲିଗ୍ ଭାବେ ପରିଚିତ ହୋଇଛି ।
ଏହା ବି ପଢ଼ନ୍ତୁ... Panchayat Elections : ଏପ୍ରିଲରୁ ଜୁନ ମଧ୍ୟରେ ପଞ୍ଚାୟତ ଓ ପୌର ଭୋଟ୍, ମାର୍ଚ୍ଚ ମାସରେ ଜାରି ହେବ ବିଜ୍ଞପ୍ତି
ସ୍ୱତନ୍ତ୍ର ଷ୍ଟାଡିୟମ୍ ନାହିଁ
ଦିନେ ଯେଉଁ ଫୁଟବଲ୍ ଖେଳ ପାଇଁ ବାରବାଟୀ ଷ୍ଟାଡିୟମ୍ର ନିର୍ମାଣ କରାଗଲା ଆଜି ସେହି ଖେଳ ପାଇଁ କୌଣସି ସ୍ୱତନ୍ତ୍ର ଷ୍ଟାଡିୟମ୍ କଟକରେ ନାହିଁ । ଭୁବନେଶ୍ୱର ସମେତ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱତନ୍ତ୍ର ଫୁଟବଲ୍ ଏରିନା (ଷ୍ଟାଡିୟମ୍) ନିର୍ମାଣ କରାଯାଇଛି । କିନ୍ତୁ କଟକରେ ଏହା ଆଜି ବି ସ୍ୱପ୍ନ । ପୂର୍ବ ସରକାର ସମୟରେ କଟକର ପେଟାନାଳ ପାଶ୍ୱର୍ରେ ଏକ ଫୁଟବଲ୍ ଏରିନା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏମିତିକି ତାର ଡିପିଆର୍ ମଧ୍ୟ ପ୍ରସ୍ତୁତ ସରିଥିଲା । କିନ୍ତୁ ଏ ପ୍ରକଳ୍ପର ସ୍ଥିତି ଏବେ କିଛି ନାହିଁ । ଏମିତିକି ପ୍ରଶାସନ ମଧ୍ୟ ଏବାବଦରେ କିଛି ଜାଣିନଥିବା କହୁଛି । ସେପଟେ ସତ୍ୟବ୍ରତ ଷ୍ଟାଡିୟମ୍ ବା ଭିଲେଜ୍ ଗ୍ରାଉଣ୍ଡ୍ରେ ଫୁଟବଲ୍ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଥିଲେ ବି ଏବେ ସୁଦ୍ଧା ବିବାଦ ଛିଡୁନି । ସତ୍ୟବ୍ରତ ଷ୍ଟାଡିୟମ୍ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଅଧୀନରେ ଥିବା ବେଳେ ହାଇକୋର୍ଟରେ ଏନେଇ ମାମଲା ବିଚରାଧୀନ ରହିଛି ।
କଟକ ଲିଗ୍ରେ ବିଦେଶୀ ଖେଳାଳି
କଟକ ଲିଗ୍ରେ ପୂର୍ବରୁ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳୁଥିଲା । ବିଶେଷ କରି ନାରିଜେରିଆରୁ ଖେଳାଳି ଆସି ବିଭିନ୍ନ କ୍ଲବ୍ ପକ୍ଷରୁ ମ୍ୟାଚ୍ ଖେଳନ୍ତି । ଏମାନଙ୍କ ଖେଳ ଦେଖିବାକୁ ମଧ୍ୟ ଫୁଟବଲପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । ପ୍ରତିଟିମ୍ରେ ଚୂଡାନ୍ତ ୧୧ ଖେଳାଳିଙ୍କ ମଧ୍ୟରେ ୩ଜଣ ବିଦେଶୀ ଖେଳାଳି ରହୁଥିଲେ । ଏହି ବିଦେଶୀ ଖେଳାଳିମାନେ ସାଧାରଣତଃ କୋଲାକାତାରେ ବିଭିନ୍ନ କ୍ଲବ୍ ଓ ଲିଗ୍ରେ ଖେଳନ୍ତି । ସେମାନଙ୍କ ସହ ଯୋଗାଯୋଗ କରାଯାଇ କଟକ ଅଣାଯାଏ । କିନ୍ତୁ ଗତ ୩ବର୍ଷ ହେଲା ଲିଗ୍ରେ ବିଦେଶୀ ଖେଳାଳି ଖେଳିବା ବ୍ୟବସ୍ଥା ବନ୍ଦ କରିଦିଆଯାଇଛି । ବିଦେଶୀ ଖେଳାଳିଙ୍କ ଦ୍ୱାରା ଓଡ଼ିଶା ଖେଳାଳି ଅଣଦେଖା ହେଉଥିବା ଅଭିଯୋଗ ଆସିବା ପରେ ଫାଓ ବିଦେଶୀ ଖେଳାଳି ଅଂଶଗ୍ରହଣ ଉପରେ କଟକଣା ଜାରି କରିଛି ।
ଖାଲି ପାଦରେ ଖେଳ, ବ୍ଲାଡର୍ ଓ ପୁସର୍ ଫୁଟବଲ୍
ସେ ସମୟରେ ଖାଲି ପାଦରେ ଓ ମୋଚିଙ୍କ ଦ୍ୱାରା ସିଲାଇ ହେଉଥିବା ବଲ୍ରେ ହେଉଥିଲା ଅଭ୍ୟାସ । କଟକ ଉପରେ କୋଲକାତାର ପ୍ରଭାବ ଅଧିକ ରହିଥିଲା । ଟୁର୍ଣ୍ଣାମେଣ୍ଟ ପାଇଁ କୋଲକାତାରୁ ଏକ ସ୍ୱତନ୍ତ୍ର ଫୁଟବଲ୍ ଆସୁଥିଲା । ଏହି ଫୁଟବଲ୍ରେ ଦୁଇ ପ୍ରକାରର ବ୍ୟବସ୍ଥା ରହିଥିଲା- ବ୍ଲାଡର୍ ଓ ପୁସର୍ । ବ୍ଳାଡର୍କୁ ଫୁଲାଇ ଏହାର ମୁହଁକୁ ବାନ୍ଧିଦିଆଯାଏ । ପରେ ପୁସର୍ ସହାୟତାରେ ଏହାକୁ ଭିତରକୁ ପୁରାଇ ସିଲାଇ କରିଦିଅଯାଏ । ଖେଳ ଭିତରେ ଯେଉଁଠି ବଲ୍ ଫାଟିଯାଏ ତୁରନ୍ତ କଟକ ଚଣ୍ଡୀ ଛକରେ ଥିବା ଜଣେ ସ୍ୱତନ୍ତ୍ର ମୋଚିଙ୍କ ପାଖକୁ ଆଣି ଏହାକୁ ସିଲାଇ କରିଦିଆଯାଏ । ଏମିତି ବି ହୋଇଛି, ଖେଳ ମଝିରେ ହେଡିଂ ସଟ୍ ଖେଳିବା ବେଳେ ମୋଚିଙ୍କ ସିଲାଇର ମୋଟା ସୂତା ବାଜି ଖେଳାଳିଙ୍କ ମୁଣ୍ଡ ମଧ୍ୟ ଫାଟିଛି । କଟକିଆରେ କ୍ରିକେଟ୍ଠୁ ଅଧିକ ଫୁଟବଲ୍ର କ୍ରେଜ୍ ବହୁତ ଅଧିକ । କାରଣ ୫୨ ବଜାର ୫୩ ଗଳି କୁହାଯାଉଥିବା ରୌପ୍ୟ ନଗରୀରେ ପିଲାମାନେ ସମୟ ପାଇଲେ ଫୁଟବଲ୍ ଖେଳିବାକୁ ପସନ୍ଦ କରିଥାନ୍ତି । ଆଜି ବି ସହରର ସ୍କୁଲ୍ ପଡ଼ିଆ ଓ ଖେଳ ପଡ଼ିଆରେ କାଗଜ ପୁଡ଼ିଆ କରି ଖେଳିବାକୁ ପସନ୍ଦ କରୁଛନ୍ତି । ଏମିତିକି ଆଗରୁ ରବର ବଲ୍କୁ ନେଇ ଅନେକ ମ୍ୟାଚ୍ ମଧ୍ୟ ହେଉଥିଲା ।