କଟକ ୦୫/୦୭ : ଏବେବି ରହସ୍ୟ ଘେରରେ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା। କାହିଁକି, କେଉଁ ପରିସ୍ଥିତିରେ ଜଣେ ମହିଳା ପୁଲିସ ଅଧିକାରୀ ନିଜର ପ୍ରାଣ ହାରିଲେ, ତାହା ଏବେ ବି ଅସ୍ପଷ୍ଟ। ତେବେ ବିଉଟି ମହାନ୍ତି ବ୍ୟବହାର କରୁଥିବା ୨ଟି ମୋବାଇଲ ଫୋନରେ କ'ଣ ସବୁ ତଥ୍ୟ ରହିଛି। କମିଶନରେଟ୍ ପୁଲିସ ୩ଟି ଯାଞ୍ଚ ଚାଲିଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି।
ଡିସିପି କହିଛନ୍ତି ଯେ, ବିଉଟି ମହାନ୍ତିଙ୍କ ମାମଲା ୩ଟି ଟିମ୍ ଯାଞ୍ଚ ଚାଲାଛି। ଆତ୍ମହତ୍ୟା ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟାନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି ପ୍ରଥମ ପୁଲିସ୍ ଟିମ୍। ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗକୁ ନେଇ ଦ୍ୱିତୀୟ ଟିମ କରୁଛି ପଚରାଉଚରା । ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ତୃତୀୟ ସ୍ୱତନ୍ତ୍ର ଟିମ୍ । ଏସ୍ଏଫଏସ୍ଏଲ୍ରୁ ପୁଲିସକୁ ମିଳିଛି ଆଂଶିକ ଡିଜିଟାଲ୍ ରିପୋର୍ଟ। ସେପଟେ ମୋବାଇଲ୍ ଫୋନ୍ରୁ ମିଳିଥିବା ଡାଟାର ବି ଚାଲିଛି ବିଶ୍ଳେଷଣ । ଅଲଗା ଅଲଗା ଫର୍ମାଟ୍ରେ ରିପୋର୍ଟ ଆସୁଥିବାରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଜଣେ ଅତିରିକ୍ତ ଡିସିପି ରାଙ୍କ୍ର ଅଧିକାରୀ ପୂରା ତଦନ୍ତ ପ୍ରକ୍ରିୟାର ସୁପରଭିଜନ କରୁଛନ୍ତି । ତଦନ୍ତରେ ସହାୟତା ପାଇଁ ପରିବାର ଲୋକଙ୍କ ସହ କ୍ରମାଗତ ଯୋଗାଯୋଗ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେବଳ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ୟୁଡି କେସ୍ ଅର୍ଥାତ୍ ଅସ୍ୱାଭାବିକ ମୃତ୍ୟୁ, ଯାହାର ପ୍ରକୃତ କାରଣ ଖୋଜୁଛି ପୁଲିସ ।