ଶ୍ରୀ ବଳଦେବଜୀଉଙ୍କ ରଥ ଟାଣିବାକୁ ମହିଳାଙ୍କୁ ସୁଯୋଗ ଦେବାକୁ ଦାବି

କେନ୍ଦୁଝର, ୨୫l୫ : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ବିଶ୍ୱର ସର୍ବବୃହତ ବୋଲି ମାନ୍ୟତା ପାଇଛି। ରଥଯାତ୍ରା ପାଇଁ ଜିଲ୍ଲାର ମହିଳାମାନେ ବର୍ଷେ ଧରି ଅପେକ୍ଷା କରିଥାନ୍ତି। ମାତ୍ର ରଥ ଟାଣିବା ପାଇଁ ମହିଳାମାନେ ସମସ୍ୟାରେ ପଡିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମହିଳାଙ୍କ ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। ରଥଯାତ୍ରାରେ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥର ଏକ ଦଉଡି କେବଳ ମହିଳାମାନଙ୍କ ନିମନ୍ତେ ସଂରକ୍ଷଣ କରିବାକୁ ପୂର୍ବତନ ନଗରପାଳ ମୀନା ମାଝୀଙ୍କ ନେତୃତ୍ୟରେ ଏକ ପ୍ରତିନିଧି ଦଳ ଜିଲାପାଳ ଆଶିଷ ଠାକରେଙ୍କୁ ଭେଟି ଏହି ଦାବି କରିଛନ୍ତି।
ଜିଲ୍ଲାପାଳ ଏହି ଅଭିଯୋଗ ପାଇବା ପରେ ଏହା ଏକ ସ୍ଵାଗତଯୋଗ୍ୟ ଦାବି ବୋଲି କହିବା ସହିତ ଚଳିତବର୍ଷ ମହିଳାମାନଙ୍କ ପାଇଁ ରଥ ଟାଣିବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ କାଉନସିଲର କେକି କାକୋଳି, ପୁନମ କୁମାରୀ, ସୁରଥୀ ଘଣା ପ୍ରମୁଖ ମହିଳା ନେତ୍ରୀମାନେ ସାମିଲ ହୋଇଥିଲେ ।