ପୂର୍ତ୍ତ ବିଭାଗର ରିପୋର୍ଟ କାର୍ଡ; ୪ ବର୍ଷରେ ୬୮୦୦ କିମି ରାସ୍ତା, ୧୦ ସହରରେ ହେବ ନୂଆ ରିଙ୍ଗ୍ରୋଡ୍

ଭୁବନେଶ୍ୱର, ୨୪।୫: ୨୦୧୯ରେ ୧୦୦୦ କିମି ରାସ୍ତା ନିର୍ମାଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ତିଆରି ହୋଇଛି ୬୮୦୦ କିମି ରାସ୍ତା । ଏଥିପାଇଁ ୧୮ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟର ୨୬୭ ବ୍ଲକ୍ ମୁଖ୍ୟାଳୟକୁ ଦୁଇ ଲେନ୍ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଆଉ ୨୬ଟି ବ୍ଲକ୍ ମୁଖ୍ୟାଳୟକୁ ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ଓ ୨୧ଟି ବ୍ଲକ ମୁଖ୍ୟାଳୟକୁ ୨୦୨୪ ଜୁନ୍ ସୁଦ୍ଧା ସଂଯୋଗ ପାଇଁ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ଆଜି ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି । ରାଜ୍ୟର ୫୫ ଟି ଶିଳ୍ପାଞ୍ଚଳକୁ ଦୁଇ ଲେନ୍ ଓ ଚାରି ଲେନ୍ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଆଉ ୧୫ ଶିଳ୍ପାଞ୍ଚଳକୁ ରାସ୍ତା ସଂଯୋଗୀକରଣ କାମ ଚାଲିଛି । ୧୨ ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୁଇ ଲେନ୍ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଆଉ ୫ଟି ପର୍ଯ୍ୟଟନସ୍ଥଳୀକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ଦୁଇ ଲେନ୍ ରାସ୍ତା ଦ୍ୱାରା ସଂଯୋଗ ପାଇଁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ତିଆରି ହୋଇଛି । ମିଶନ୍ ଶକ୍ତି ସଦସ୍ୟାଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦେବାକୁ ସରକାର ଯୋଜନା କରିଛନ୍ତି ବୋଲି ବିଭାଗର ସଚିବ ବୀର ବିକ୍ରମ ଯାଦବ କହିଛନ୍ତି । ଏହା ଦେଶ ପାଇଁ ମଡେଲ୍ ହେବ ବୋଲି ସେ କହିଛନ୍ତି । ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼, କଟକ, ଝାରସୁଗୁଡ଼ା ଓ ସମ୍ବଲପୁରରେ ନୂଆ ରିଙ୍ଗ ରୋଡ୍ ତିଆରି ପାଇଁ ଯୋଜନା ଅଛି ବୋଲି ସେ ସୂଚନା ଦେଇଛନ୍ତି । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଭଡ଼ା ଯୋଜନାରେ କାମ ହେଉଛି । ୪୨୨୪ କୋଟି ଟଙ୍କାରେ ୨୧ଟି ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ୩୦ ଏକର ପରିମିତ ଜାଗାରେ ୧୯୩ କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ କାମ ହାତକୁ ନିଆଯାଇଛି । ନଭେମ୍ବର ସୁଦ୍ଧା ଏହା ସରିବ ବୋଲି ଲକ୍ଷ୍ୟ ଅଛି ।