ନୂଆଦିଲ୍ଳୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବେ ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହିବେ। ଇସ୍ତଫା ଦେବାର ୪୨ ଦିନ ପରେ ସୋମବାର ସନ୍ଧ୍ୟା ୬ଟାରେ ସେ ଉପରାଷ୍ଟ୍ରପତିଙ୍କ ବାସଭବନ ଛାଡିଛନ୍ତି। ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳର ମୁଖ୍ୟ ଅଭୟ ଚୌଟାଲା କହିଛନ୍ତି ଯେ, ଧନଖଡ଼ଙ୍କ ସହିତ ଆମ ପରିବାରର ପୁରୁଣା ସମ୍ପର୍କ ଅଛି। ଆମେ ତାଙ୍କୁ ଆମ ଘରେ ରହିବାକୁ ଅନୁରୋଧ କରିଥିଲୁ, ଯାହାକୁ ସେ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଜୁଲାଇ ୨୧ ତାରିଖରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ ସାଧାରଣରେ ଦେଖାଯାଇନାହିଁ। ଏହି ସମୟ ମଧ୍ୟରେ ବିରୋଧୀ ଦଳ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ ଆଣିଥିଲେ। କିନ୍ତୁ ସରକାର ଏହାକୁ ଅସ୍ୱୀକାର କରିଥିଲେ ।

 ଧନଖଡ଼ ଏପର୍ଯ୍ୟନ୍ତ ସଂସଦ ଭବନ ନିକଟସ୍ଥ ଉପରାଷ୍ଟ୍ରପତିଙ୍କ ଏନକ୍ଲେଭରେ ରହୁଥିଲେ। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ ୧୦, ୨୦୨୭ ପର୍ଯ୍ୟନ୍ତ ଥିଲା। ଧନଖଡ଼ଙ୍କୁ ଟାଇପ୍-୮ ସରକାରୀ ବଙ୍ଗଳା ଆବଣ୍ଟିତ ନହେବା ପର୍ଯ୍ୟନ୍ତ ସେ ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହିବେ । ଏହି ବଙ୍ଗା ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଦିଆଯାଏ । ଧନଖଡ଼ଙ୍କ ନିକଟତମ ସୂତ୍ର ଅନୁସାରେ, ସେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି, ଟେବୁଲ ଟେନିସ୍ ଖେଳୁଛନ୍ତି ଏବଂ ଯୋଗ କରୁଛନ୍ତି। ନୂତନ ଉପରାଷ୍ଟ୍ରପତିଙ୍କ ଲାଗି ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ NDA ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ।

ଧନଖଡ଼ ଏବଂ ଚୌଟାଲା ପରିବାର ମଧ୍ୟରେ ୪୦ ବର୍ଷ ପୁରୁଣା ସମ୍ପର୍କ ରହିଛି। ୧୯୮୯ ମସିହାରେ ହରିୟାଣାର ପ୍ରମୁଖ ଜାଟ ନେତା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀ ଲାଲ, ଧନଖଡ଼ଙ୍କୁ ଭବିଷ୍ୟତର ନେତା ବୋଲି କହିଥିଲେ। ଧନଖଡ଼ ଦେବୀ ଲାଲଙ୍କୁ ତାଙ୍କର ରାଜନୈତିକ ଗୁରୁ ମାନନ୍ତି । ସେତେବେଳେ ଦିଲ୍ଲୀର ବୋଟ୍ କ୍ଲବରେ ଦେବୀ ଲାଲଙ୍କ ଜନ୍ମଦିନରେ ବିରୋଧୀ ରାଲି ପାଇଁ ଧନଖଡ଼ ରାଜସ୍ଥାନରୁ ୫୦୦ ଗାଡ଼ି ବ୍ୟବସ୍ଥା କରିଥିଲେ । ଏହା ପରେ ୧୯୮୯ ଲୋକସଭା ନିର୍ବାଚନରେ, ଦେବୀ ଲାଲ ଧନଖଡ଼ଙ୍କୁ ଝୁନଝୁନୁ ଆସନରୁ ଟିକେଟ୍ ଦେଇଥିଲେ। ସେ ନିଜେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ।ନିର୍ବାଚନରେ ବିଜୟୀ ହେବା ପରେ ଦେବୀଲାଲ ଉପପ୍ରଧାନମନ୍ତ୍ରୀ ହେଲେ, ଧନଖଡ଼ଙ୍କୁ ସରକାରରେ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଯେତେବେଳେ ଭିପି ସିଂହ ଦେବୀଲାଲଙ୍କୁ କ୍ୟାବିନେଟରୁ ହଟାଇ ଦେଲେ, ଧନଖଡ଼ ଏକମାତ୍ର ମନ୍ତ୍ରୀ ଥିଲେ ଯିଏ ପ୍ରତିବାଦରେ ଇସ୍ତଫା ଦେଇଥିଲେ।