ଭୁବନେଶ୍ବର,୦୨/୦୧: ବହୁ ଜନ ହିତାୟ ବହୁ ଜନ ସୁଖାୟ ହେବ ମୋର ମନ୍ତ୍ର । ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବା ପରେ ଏମିତି କହିଛନ୍ତି ଦେଓ ରଞ୍ଜନ ସିଂହ । ଶୁକ୍ରବାର ଉନ୍ନୟନ କମିଶନ ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂହ। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ମିଳିବା ପରେ ରାଜ୍ୟ ସରକାର ଡିସି ଭାବରେ ଦେଓ ରଞ୍ଜନଙ୍କୁ ଦାୟିତ୍ଵ ଦେଇଥିଲେ। ଦେଓରଞ୍ଜନ ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ। ଆଜି ଦାୟିତ୍ୱ ନେବା ପରେ ଦେଓ ରଞ୍ଜନ ସିଂହ କହିଛନ୍ତି। ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି। ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ।
​​​​​​​

ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ ବିକଶିତ ଓଡିଶା ୨୦୩୬ ଗଠନ ପାଇଁ ଆମେମାନେ କାମ କରିବୁ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୁରୁଖୁରୁରେ ପାଳନ କରିବାକୁ ଚେଷ୍ଟା କରିବୁ। ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବାର ଅଭିଜ୍ଞତା ରହିଛି। ତେଣୁ ଜିଲ୍ଲା ସ୍ତରର ସମସ୍ୟା ବିଷୟରେ ଅବଗତ ଅଛି। ​​​​​​​

​​​​​​​ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି । ଏହାସହ ସେ  ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ପୂର୍ବଭଳି ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଭାର ସମ୍ଭାଳିବେ । ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ଭିତରେ  ତାଙ୍କ ନୂଆ ଟିମ୍‌ ଗଢ଼ିବା ଆରମ୍ଭ କରିଛନ୍ତି । ପ୍ରଥମ  ପର୍ଯ୍ୟାୟରେ ସେ ଉନ୍ନୟନ କମିସନର ପଦବି  ପୂରଣ କରିବା ସହ କିଛି ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଅତିରିକ୍ତ  ମୁଖ୍ୟ ଶାସନ ସଚିବ ପାହ୍ୟାରେ ଥିବା ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ କଟକସ୍ଥିତ ରାଜସ୍ୱ  ପରିଷଦ (ବୋର୍ଡ ଅଫ୍ ରେଭିନ୍ୟୁ) ସଦସ୍ୟ ନିଯୁକ୍ତ  କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଅତିରିକ୍ତି ଭାବେ ଗୃହ ବିଭାଗର ଗୁରୁ ଦାୟିତ୍ୱ ମିଳିଛି । ଶ୍ରୀ ଶର୍ମା ପୂର୍ବପରି ଶିଳ୍ପ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇପିକଲ୍‌ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ଶ୍ରୀମତି ଗର୍ଗ ସମ୍ଭାଳୁଥିବା ଜଳସମ୍ପଦ ବିଭାଗର ଦାୟିତ୍ୱ ଶୁଭା ଶର୍ମାଙ୍କୁ ମିଳିଛି । ସେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ  ଦାୟିତ୍ୱ ତୁଲାଇବେ । ଏହାସହ ସେ ପୂର୍ବଭଳି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ । ଜଙ୍ଗଲ, ପରିବେଶ  ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଭାସ୍କର ଜ୍ୟୋତି ଶର୍ମା । ପୂର୍ବପରି  ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସହ ଓପିଟିସିଏଲ୍‌ର  ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଦେର୍ଶକ (ସିଏମଡି) ଏବଂ ରାଜ୍ୟ  ପାନୀୟ ନିଗମ (ଓଏସବିସିଏଲ୍‌)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ  ଶ୍ରୀ ଶର୍ମା । ରାଜେଶ ପ୍ରଭାକର ପାଟିଲଙ୍କୁ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏବଂ ଓସଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି । ସେ ପୂର୍ବଭଳି ସମବାୟ ବିଭାଗର ସଚିବ ସହ ଓଡ଼ିଶା ୱେୟାର ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।