ନୂଆଦିଲ୍ଲୀ, ୨୧/୨ : ମ୍ୟାଟ୍ରିମୋନିରୁ ଆରମ୍ଭ ହେଲା ସମ୍ପର୍କ । ବିବାହ କରିବାକୁ ଦେଲେ ପ୍ରସ୍ତାବ । ଆଉ ଶେଷରେ ଲୁଟିନେଲେ ଗହଣା । ଦିଲ୍ଲୀରୁ ଆସିଥିବା ଏଭଳି ଏକ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଅଭିନବ ସିଂହ ଏବଂ କରଣ ଶର୍ମା ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ୩୫ ବର୍ଷୀୟା ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ । ପୁଲିସ ଘଟଣାକୁ ଗୁରୁତର ନେଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିଛି ।
ମହିଳା ଜଣକ ଛାଡ଼ପତ୍ର ପାଇ ଏକା ରହୁଥିଲେ । ସେ ମ୍ୟାଟ୍ରିମୋନୀ ସାଇଟରେ ଅଭିଯୁକ୍ତଙ୍କ ସହ ପ୍ରଥମେ କଥା ହୋଇଥିଲେ । ସେ ମିଠା ମିଠା କଥା କହି ବିବାହର ପ୍ରସ୍ତାବ ଦେଇଥିଲେ । ପରେ ଏକ ଧାର୍ମିକସ୍ଥଳକୁ ଡାକିଥିଲେ । ଆଉ ସେଠାରୁ ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଥିଲେ । ବିଶ୍ବାସରେ ବିଷ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦେଇଥିଲେ ମହିଳା ଜଣକ । ଆଉ ୨୪ ଘଣ୍ଟା ନଯାଉଣୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
୨୦୦ରୁ ଅଧିକ ସିସିଟିଭ ଯାଞ୍ଚ କରିବା ପରେ ପୁଲିସ ଅଭିଯୁକ୍ତଙ୍କ ସନ୍ଧାନ ପାଇଥିଲା । ସେମାନେ ନେଇଥିବା ସୁନା ଅଳଙ୍କାରକୁ ଏକ ଦୋକାନରେ ବନ୍ଧକ ରଖି ୩ ଲକ୍ଷ ଟଙ୍କା ନେଇଥିଲେ । ତେବେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୬୪ ହଜାର ନଗଦ ଟଙ୍କା ସହ ମୋବାଇଲ ପୀଡ଼ିତାଙ୍କ କିଛି କାଗଜପତ୍ର ଏବଂ ବ୍ୟବହାର କରିଥିବା ଗାଡ଼ି ମଧ୍ୟ ଜବତ କରିଛି ।
ଏହାସହ ପଢ଼ନ୍ତୁ : ତୋଷାଳି ମେଳାରେ ହସ୍ତତନ୍ତ ଫ୍ୟାଶନ ସୋ