ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନେତ୍ର କାଝଗମ (DMK) ସୋମବାର  ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି । ଭାରତୀୟ ନିର୍ବାଚନ କମିଶନ (ECI) ଗତ ସପ୍ତାହରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର SIRର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନିର୍ଦ୍ଦେଶ ଜାରି କରିବା ପରେ  ଏଭଳି ପଦକ୍ଷେପ ନେଇଛି ଡିଏମକେ । 

ଦେଶର ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇର ହେବାକୁ ଯାଉଛି । ସେଥିମଧ୍ୟରୁ ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏପ୍ରିଲ-ମେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଆସାମରେ ନିର୍ବାଚନ ହେବାକୁ ଥିଲେ ମଧ୍ୟ ଏହି ରାଜ୍ୟ ତାଲିକାରେ ଅନ୍ତର୍ଭୁକ୍ତ ନାହିଁ । 

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ଷଡ଼ଯନ୍ତ୍ର ରଚୁଥିବା ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏସଆଇଆର ହେଉଛି ବିରୋଧୀ ଭୋଟରମାନଙ୍କୁ ହଟାଇବା ପାଇଁ ଏକ ମନ୍ଦ ପ୍ରୟାସ।

ଷ୍ଟାଲିନ୍ କହିଛନ୍ତି, ‘ଏହି ଅଗଣତାନ୍ତ୍ରିକ ପଦକ୍ଷେପକୁ ବନ୍ଦ କରିବା ପାଇଁ ଆମେ ଏକ ସର୍ବଦଳୀୟ ବୈଠକ ଡାକିଥିଲୁ ଏବଂ ଏସଆଇଆରକୁ ବିରୋଧରେ ଏକ  ନିନ୍ଦା ପ୍ରସ୍ତାବ ପାରିତ କରିଥିଲୁ। ନିର୍ବାଚନର କିଛି ମାସ ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟର ତାଲିକାର ସଂଶୋଧନ ବୈଧ ଭୋଟରମାନଙ୍କୁ ହଟାଇବା ପାଇଁ ଏକ ସୁଚିନ୍ତିତ ରଣନୀତି।’

ସିଏମ୍ ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ଯେ, ବିହାରରେ ସମାନ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା । ଯେଉଁଠାରେ ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଥିଲା। ଏହି ବିବାଦୀୟ ପ୍ରକ୍ରିୟାର ବିରୋଧ ପ୍ରଥମେ ତାମିଲନାଡୁରୁ ଆରମ୍ଭ ହୋଇଥିଲା, ଏହା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିହାରର ବିରୋଧୀ ନେତାମାନେ ମଧ୍ୟ ପ୍ରତିବାଦ କରିଥିଲେ। ଆଇନଗତ ମାମଲା ଦାୟର ହେବା ପରେ ମଧ୍ୟ ନିର୍ବାଚନ କମିଶନ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ।