ବାହାରିନ ପାରା ବ୍ୟାଡମିଣ୍ଟନ : ପ୍ରମୋଦଙ୍କୁ ଡବଲ୍ ସ୍ୱର୍ଣ୍ଣ, ଡବଲ୍ସରେ ଦୀପ ରଞ୍ଜନ ହାସଲ କଲେ ବ୍ରୋଞ୍ଜ ପଦକ

ଭୁବନେଶ୍ୱର,୨୨/୦୫: ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ପାରାଲିମ୍ପିକ୍ସ ଚାମ୍ପିଅନ ପ୍ରମୋଦ ଭଗତ୍ ଡବଲ୍ ସ୍ୱର୍ଣ୍ଣ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସରେ ଏହି ସଫଳତା ହାସଲ କରିଛନ୍ତି। ଡବଲ୍ସରେ ଦୀପ୍ ରଞ୍ଜନ ବିଷୋୟୀଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ସିଙ୍ଗଲ୍ସରେ ପ୍ରମୋଦ ଓ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ମଧ୍ୟରେ ମୁକାବିଲା ହେବାର ଥିଲା । କିନ୍ତୁ ବେଥେଲ ମ୍ୟାଚ୍ ପାଇଁ ଫିଟ୍ ନଥିବାରୁ ପ୍ରମୋଦଙ୍କୁ ୱାକ୍ଓଭର ମିଳିଥିଲା । ତେଣୁ ସେ ବିଜେତା ଘୋଷିତ ହୋଇଥିଲେ । ମିକ୍ସଡ୍ ଡବଲ୍ସରେ ସେ ମନୀଷା ରାମଦାସଙ୍କୁ ଯୋଡ଼ି କରି ଫାଇନାଲରେ ଥାଇଲାଣ୍ଡର ସିରିପୋଙ୍ଗ୍ ଟିମଆରୋମ ଓ ଏସ୍. ନିପଦା ଯୋଡ଼ିଙ୍କୁ ୨୧-୧୪, ୨୧-୧୧ ଗେମ୍ରେ ହରାଇଥିଲେ । ଗତକାଲି ସିଙ୍ଗଲ୍ସ ସେମିରେ ପ୍ରମୋଦ ୨୧-୧୬, ୨୧-୧୪ରେ ମନୋଜ ସରକାରଙ୍କୁ ହରାଇଥିଲେ ।
ସେହିପରି ମିକ୍ସଡ ଡବଲ୍ସରେ ପ୍ରମୋଦ-ମନୀଷା ଯୋଡ଼ି ୨୧- ୧୩, ୨୧-୧୫ରେ ଜାପାନର ଡି. ଫୁଜାରା ଓ ଏ.ସୁଗିନା ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଦୀପ ରଞ୍ଜନ ସିଙ୍ଗଲ୍ସରେ ସହଳ ବିଦାୟ ନେଇଥିଲେ । ମାତ୍ର ଡବଲ୍ସରେ ସେ ମହମ୍ମଦ ଅରୱାଜ ଅନଶାରୀଙ୍କୁ ଯୋଡ଼ି କରି ୨୧-୬, ୨୧-୧୫ରେ ତୁର୍କୀ ଯୋଡ଼ିଙ୍କୁ ପରାଜିତ କରିଥିଲେ । କିନ୍ତୁ ସେମିରେ ଏହି ଯୋଡ଼ିଙ୍କୁ ପରାଜିତ ହେବାକୁ ପଡ଼ିଥିଲା । ଦୀପ ରଞ୍ଜନ -ଅନ୍ଶାରୀ ଯୋଡ଼ି ଥାଇଲାଣ୍ଡର ଏମ୍. ବୁନସୁନ ଓ ସିରିପୋଙ୍ଗ୍ ଟିମଆରୋମ ଯୋଡ଼ିଙ୍କ ଠାରୁ ୧୮-୨୧, ୧୬-୨୧ ଗେମ୍ରେ ପରାଜିତ ହୋଇଥିଲେ ।