ପୁରୁଣା ଦିନର ଆଲବମ୍ ଦେଖୁଥିଲି । ମୋ ଦାଦା, ମାମୁ ଏମାନଙ୍କ ଯୁବକ ସମୟର ଫଟୋରେ ଚିପା ପ୍ୟାଣ୍ଟ୍ ଦେଖି ଷାଠିଏ ଦଶକର ଶତ୍ରୁଘ୍ନ ସିହ୍ନାଙ୍କ ଷ୍ଟାଇଲ୍ ମନେପଡ଼ିଲା । ମୁଁ ଆଲବମ୍ର ପୃଷ୍ଠା ଓଲଟାଇ ଚାଲିଥାଏ । ଆରେ, ଷ୍ଟାଇଲ୍ ବଦଳି ଗଲାଣି ଯେ । କାନ ପାଖେ ଲମ୍ବା କଲି । ଢିଲା କୁର୍ତ୍ତା । ପୁଣି କେବେ ବେଲ୍ ପ୍ୟାଣ୍ଟ । ହଁ, ସାର୍ଟର ବଡ଼ କଲର ଦେଖି ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନ, ଆମ ଓଡ଼ିଆ ହିରୋ ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତିଙ୍କ ବେଶପୋଷାକ ନିହାତି ମନେପଡ଼ିବା କଥା । ଅଶି ଦଶକରେ ଯୋଉମାନେ କଲେଜରେ ବା ସ୍କୁଲରେ ପଢୁଥିବେ ସେମାନେ ବୁଝିପାରିବେ, କିଭଳି ଆମ ଜୀବନଚର୍ଯ୍ୟା ଓ ସିନେମା ଜଡ଼ିତ ହୋଇଯାଏ । ସେହି ସମୟରେ ଟେଲିଭିଜନ ଓ ସିନେମା ଆମ ଜୀବନକୁ ଧୀରେ ଧୀରେ ଅକ୍ତିଆର କରୁଥାଏ । ରବିବାର ସକାଳ ୧୦ଟା ସମୟରେ ‘ମହାଭାରତ' ହେଉ ବା ଶୁକ୍ରବାର ଓ ବୁଧବାର ସନ୍ଧ୍ୟାର ‘ଚିତ୍ରାହାର' ହେଉ । ପୁଣି ସେହି ସମୟର ସଙ୍ଗୀତ, ଯାହା ଆଜି ବି ମନକୁ ଚଞ୍ଚଳ କରିଦିଏ । ସୁଖ, ଦୁଃଖ, ପାରିବାରିକ କାହାଣୀ । ଲାଜେଇ ଯାଉଥିବା ହିରୋଇନ, ସାହସୀ ହିରୋ । ଭିଲିଆନ୍ ଓ କମେଡିଆନ୍ ଥିବା ସିନେମା ଲୋକଙ୍କ ମନକୁ କିଣିନେଉଥିଲା । ସିନେମା ହଲ୍ରୁ ବାହାରିବାବେଳେ କେହି କାନ୍ଦ କାନ୍ଦ ଦେଖାଯାଉଥାଏ ତ କେହି ପ୍ରଫୁଲ୍ଲିତ ଥାଏ । କିନ୍ତୁ ଚିନ୍ତାଗ୍ରସ୍ତ ହୋଇ ସିନେମା ହଲ୍ରୁ ଆମେ ଫେରିବା ମନେପଡ଼େନି । ସେହି ସମୟର ସିନେମା ମନୋରଞ୍ଜନଧର୍ମୀ ଥିଲା । ପରିବାର, ସମାଜ, ପ୍ରେମ, ଏହିସବୁକୁ ନେଇ କାହାଣୀଗୁଡିକ ଲେଖା ହେଉଥିଲା । ଅନେକ ବ୍ୟତିକ୍ରମ ଦେଇ ହିରୋ, ହିରୋଇନ ମିଶିଗଲେ କାହାଣୀ "ଦି ଏଣ୍ଡ’ ଲେଖାହୁଏ । ଆପଣ ଯଦି ମନେପକାଇବେ, ଆମ ସମାଜରେ ସେହି ସମୟରେ ଏତେ ପରିମାଣରେ ଅସ୍ଥିରତା ନଥିଲା ।
ଆମ ଦୈନନ୍ଦିନ ଜୀବନ ଖୁବ୍ ଶାନ୍ତ ଓ ସୁଧାର ଥିଲା । ପ୍ରତ୍ୟେକ ସମ୍ପର୍କରେ ମଧୁରତା ଥିଲା । ସ୍ୱାମୀ, ସ୍ତ୍ରୀ ସମ୍ପର୍କ, ବାପା ଓ ମାଆଙ୍କ ସହ ପିଲାମାନଙ୍କ ସମ୍ପର୍କ, ଭାଇଭଉଣୀଙ୍କ ମଜାମସ୍ତି, କାହାର ତ୍ୟାଗ, କିଛି ବଳିଦାନ ଏହା ଭିତରେ ଜୀବନ ଭାରି ସାବଲୀଳ ଥିଲା । କିନ୍ତୁ ଆଜି ଆମ ସମାଜରେ ନାନାପ୍ରକାର ସଂଘର୍ଷ, ଜଟିଳ ସମସ୍ୟା, ସହାନୁଭୂତିହୀନ ସମ୍ପର୍କ, ହିଂସା, ପରଶ୍ରୀକାତର, ନିଶା ସେବନ ଓ ଉତ୍ସୃଙ୍ଖଳତା ଭୀଷଣ ଭାବରେ ବଢ଼ିଚାଲିଛି । ମୋ କହିବା କଥା ଯେ, ଆଧୁନିକ ସିନେମାରେ ମଧ୍ୟ ଆମେ ଆଜିକାଲି ପ୍ରାୟ ଏଭଳି ଦୃଶ୍ୟ ଦେଖୁନେ କି? ସିନେମା ଆମ ଦୈନନ୍ଦିନ ଜୀବନ ଓ ସାମାଜିକ ବାତାବରଣକୁ ଏତେ ଗଭୀର ଭାବେ କବ୍ଜା କରିନେଇଛି ଯେ, ଏହାକୁ କେବଳ ମନୋରଞ୍ଜନ କହିହେବ ନାହିଁ । ଏହା ଏକ ଶକ୍ତିଶାଳୀ ଆଇନା । ସମାଜରୁ ସିନେମା ନା ସିନେମାରୁ ସମାଜ, ଏହା ବେଳେବେଳେ ଭାବିବାକୁ ହୁଏ । ଭାରତୀୟ ସିନେମା ଆମର ଜୀବନଶୈଳୀ, ମୂଲ୍ୟବୋଧ, ସମ୍ପର୍କ, ଭାଷା ଓ ସାମାଜିକ ନିୟମକୁ ପ୍ରଭାବିତ କରିବାରେ ଏକ ଅଦୃଶ୍ୟ, କିନ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସିନେମା ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ଏହି ପରିବର୍ତ୍ତନକୁ ପ୍ରତିଫଳିତ ଓ ପ୍ରଚାର କରୁଛି । ଏହା ସବୁଠାରୁ ବଡ଼ କାରଣ, ଆମ ସମାଜର ମୂଲ୍ୟବୋଧ, ଜୀବନଶୈଳୀ ଓ ସଂସ୍କୃତି ବଦଳିବାର । ଯୁବଗୋଷ୍ଠୀ ଏହାକୁ ସ୍ୱାଗତ ଜଣାନ୍ତି ଏବଂ ପରମ୍ପରା, ଆଦର୍ଶକୁ ଭଲପାଉଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରନ୍ତି । ଗ୍ଲୋବାଲାଇଜେସନ୍ ଭାରତୀୟ ସିନେମାକୁ ଆଧୁନିକ ଆଡ଼କୁ ଗତିକରିବା ଶିଖାଇଛି । କିନ୍ତୁ ସମାଜରେ ପୁରୁଣା-ନୂଆର ସଂଘର୍ଷ ସୃଷ୍ଟି ହେଉଛି । ଓଡ଼ିଶା ଭଳି ରାଜ୍ୟରେ, ଓଲିଉଡ୍, ବଲିଉଡ୍ରୁ ପ୍ରଭାବିତ ହୋଇ ନୂଆ ଥିମ୍ ନେଉଛି । ଅପରପକ୍ଷେ ନିଜ ମାଟିର କାହାଣୀ ବା ସ୍ଥାନୀୟ ପ୍ରସଙ୍ଗ ନେଇ ଗଢ଼ିହୋଇଥିବା କିଛି ଦକ୍ଷିଣ ଭାରତୀୟ ସିନେମାକୁ ଦର୍ଶକମାନେ ପସନ୍ଦ କରୁଛନ୍ତି । କାରଣ ଏହିସବୁ କାହାଣୀ ଦେଖଣାହାରୀଙ୍କୁ ନିଜ ମାଟି ଓ ନିଜ ଲୋକଙ୍କ ସହ ଯୋଡ଼ିହେବା ଭଳି ମନେହୁଏ ।
ସିନେମା ଆମ ସଂସ୍କୃତି, ଆମ ପୋଷାକ, ଦୈନନ୍ଦିନ ଚଳଣି, ଏମିତିକି ଖାଦ୍ୟାଭ୍ୟାସ ଓ ରୁଚି, ଆମ କଥାକହିବା ଶୈଳୀ ଉପରେ ବି ଖୁବ୍ ପ୍ରଭାବ ପକାଏ । ଯୁବବର୍ଗ ସିନେମାରୁ ଷ୍ଟାଇଲ୍, ବେଶପୋଷାକ, ଭାଷା ଇତ୍ୟାଦିକୁ ଅନୁକରଣ କରନ୍ତି । ସିଗାରେଟ ଧରିବା, ଫୁଙ୍କିବା ଷ୍ଟାଇଲ୍ ଛୋଟ ପିଲା, ଯୁବକ ସମସ୍ତଙ୍କୁ ମଜାଲାଗେ । ଆଜିକାଲି ଡ୍ରଗସ୍ର ବ୍ୟବହାର ମଧ୍ୟ ସିନେମାରେ ଦେଖାଯାଉଛି । ଏହା ଯେ କେତେ ଯୁବକଙ୍କ ଆକର୍ଷଣ ସାଜିଛି, ଆମେ ଉଦାହରଣ ଦେଖିପାରୁଛେ । ପବ୍ ଯାଇ ହୋ ହଲ୍ଲା କରିବା, ଖୁବ୍ ସ୍ପିଡ୍ରେ ଗାଡ଼ି ଚଲେଇବା, ନିଶା ଖାଇ ଅସାମାଜିକ କାର୍ଯ୍ୟକଳାପ କରିବା ଆଦି କାମ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରୁନି ବୋଲି ଆମେ କହିପାରିବା? ହତ୍ୟା, ଚୋରି, ମହିଳାଙ୍କ ପ୍ରତି ଅସଦାଚରଣ ଏହିସବୁ ଅତି ମାର୍ମିକ ଭାବରେ ପରଦାରେ ପ୍ରଦର୍ଶିତ ହୁଏ । କିଛି ଲୋକ ଏହାଦ୍ୱାରା ଅନୁପ୍ରାଣିତ ମଧ୍ୟ ହୁଅନ୍ତି । ‘କବିର ସିଂ’ ଚଳଚ୍ଚିତ୍ରରେ ସାହିଦ୍ କପୁରଙ୍କ ସିଗାରେଟ ଫୁଙ୍କି ଧୂଆଁ ଛାଡ଼ିବା, ନିଶାରେ ବୁଡ଼ିରହିବା ଚିତ୍ର ପ୍ରତି ଯୁବପିଢ଼ିଙ୍କ ଅହେତୁକ ଆକର୍ଷଣ ଆମେ ବୁଝିଛେ । ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ସିନେମା ଏକ ବଡ଼ ମାଧ୍ୟମ । ସକାରାତ୍ମକ ହେଉ ବା ନକାରାତ୍ମକ, ଯାହା ପରଦାରେ ଦେଖାଯାଏ ଲୋକେ ଜଲ୍ଦି ତାହାକୁ ଗ୍ରହଣ କରିନିଅନ୍ତି । ସିନେମା ଓ ଓଟିଟି ପ୍ଲାଟଫର୍ମର ଅନେକ କାହାଣୀରେ ବିବାହ-ବିଚ୍ଛେଦ, ସମ୍ପର୍କରେ ଧୋକା, ଇତ୍ୟାଦିକୁ ହିଁ ପ୍ରଦର୍ଶିତ କରାଯାଉଛି । ଏହାର ପ୍ରତିଫଳନ ଆମ ସମାଜ ଓ ସଂସ୍କୃତିକୁ ଅଧୋମୁଖୀ କରୁଛି ।
ସିନେମାର ମୂଳ ଉଦ୍ଦେଶ୍ୟ ହେଉଛି ମନୋରଞ୍ଜନ । ଦୈନନ୍ଦିନ ଜୀବନର ଚାପରୁ ଏକ ଛୋଟ ବିରାମ ନେବା ଏବଂ ଏକ କଳ୍ପନାମୟ ଦୁନିଆରେ ହଜିଯିବା ପାଇଁ ସିନେମା, ଥିଏଟରର ପରିକଳ୍ପନା ହୋଇଥିବ । ଯଦି ସିନେମା ଦେଖିବା ପରେ ମନ ଆହୁରି ଉତ୍ତେଜିତ କିମ୍ବା ବ୍ୟସ୍ତ ହୋଇଯାଏ, ତେବେ ତାହାର ଅର୍ଥ କ’ଣ? ହିଂସା କିମ୍ବା ଅତ୍ୟଧିକ ଉତ୍ତେଜନା ବିନା ବି ସିନେମା ତିଆରି କରାଯାଇପାରିବ । ଏହା ଏକ ବହୁତ ଭଲ ଦୃଷ୍ଟିକୋଣ ହେବ ସମାଜ ପାଇଁ । ଅବଶ୍ୟ ଆଜିକାଲି ସିନେମାର ଭୂମିକା କେବଳ ମନୋରଞ୍ଜନରେ ସୀମିତ ନୁହେଁ । ଅନେକ ସମୟରେ ଏହା ସମାଜର ଦର୍ପଣ ଭଳି କାମ କରିଛି । ସମସ୍ୟାଗୁଡ଼ିକୁ ଦର୍ଶାଇ ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଉଦାହରଣ ସ୍ୱରୂପ, ଓଡ଼ିଆ ସିନେମା "ହେଲୋ ଆରସି’ କିମ୍ବା ବଲିଉଡ୍ରେ ‘ପିଙ୍କ୍' ଭଳି ଫିଲ୍ମଗୁଡ଼ିକ ସମସ୍ୟାକୁ ଦର୍ଶାଇବା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିପାରିବେ । କିନ୍ତୁ ଏହି ବର୍ଣ୍ଣନା ଅତ୍ୟଧିକ ହେଲେ ଏହା ମନୋରଞ୍ଜନକୁ ହାନି କରେ । ଏଥିରେ ସନ୍ତୁଳନ ରଖିବା ଦରକାର ଯେମିତି କମେଡ଼ି, ରୋମାଣ୍ଟିକ କିମ୍ବା ପାରିବାରିକ ଫିଲ୍ମଗୁଡ଼ିକ ଯାହା ହାସ୍ୟ, ଭାବନା ଏବଂ ହାଲୁକା ବାର୍ତ୍ତା ଦେଇ ମନକୁ ଆନନ୍ଦିତ କରିବ । ନବେ ଦଶକର ହାଲ୍କା ଫୁଲ୍କା ପ୍ରେମକାହାଣୀ, ମଧୁର ସଂଗୀତ, ସୁନ୍ଦର ପ୍ରାକୃତିକ ପରିବେଶ ଏସବୁ ଦେଖିବାକୁ ବହୁତ ଭଲ ଲାଗୁଥିଲା । ପୁଣି ସେହିଭଳି ସିନେମାର ଯୁଗ ଆସନ୍ତା ଭଲା!