ଧଉଳି,୧୪/୦୬: ଜନସାଧାରଣ ଯେତେ ସଚେତନ ହେଲେ ମଧ୍ୟ ସାଇବର ଲୁଟେରାଙ୍କ କବଳରୁ ରକ୍ଷା ପାଇପାରୁନାହାନ୍ତି । କାହାକୁ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ କହି ଲୁଟୁଛନ୍ତି ତ କାହାକୁ ଲକି-ଡ୍ର ଜିତିବାର ଲୋଭ ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି । ଶୁକ୍ରବାର ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ତେଲ ପକାଇ ପେମେଣ୍ଟ ଦେବା ସମୟରେ କ୍ୟୁଆର୍ ସ୍କାନିଂ କରିବା ସମୟରେ ୯୫ ହଜାର ଟଙ୍କା ହରାଇଛନ୍ତି । ଘଟଣାଟି ଧଉଳି ଥାନା ଅଞ୍ଚଳରେ ଘଟିଛି ।
ଅଭିଯୋଗ ଅନୁଯାୟୀ, ବାଳକାଟି ଫାଣ୍ଡି ଅଠରଘରିଆ ସାହିର ସୁନାକର ସାହୁ ଶୁକ୍ରବାର ଅପରାହ୍ଣ ସାଢେ ୧ ଟାରୁ ୨ଟା ମଧ୍ୟରେ ଏହି ଥାନା ନୂଆଗାଁ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ୬୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ । ପେଟ୍ରୋଲ ପକାଇବା ପରେ କର୍ମଚାରୀ ଦେଖାଇଥିବା ବାରକୋର୍ଡରେ ଫୋନ-ପେ’ ମାଧ୍ୟମରେ ପଇସା ପଠାଉଥିଲେ । ଏହି ସମୟରେ ସୁନାକରଙ୍କ ଫୋନ ଟି ହ୍ୟାଙ୍ଗ ହୋଇଥିଲା । ଫୋନ ଖୋଲିବାରେ ବିଳମ୍ବ ହେବାରୁ ସୁନାକର ଏଟିଏମରୁ ୬୦୦ ଟଙ୍କା ଉଠାଇ କର୍ମଚାରୀଙ୍କୁ ଦେଲେ । ସେ ଫୋନ୍ ବନ୍ଦ କରି ଖୋଲିବା ପରେ ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଉଠିଥିବା ମେସେଜ ଆସିଥିଲା । ସେ ଫୋନ-ପେ ଚେକ୍ କରିବା ପରେ ଏହି ପଇସା ଉଠାଇବାକୁ ସାଇବର ଠକମାନେ ୩ଥର ପ୍ରୟାସ କରିଥିବା ଜାଣିବାକୁ ପାଇଥିଲେ ।
ସାଇବର ଠକମାନେ ପ୍ରଥମ ଥର ୯୭ ହଜାର, ଦ୍ୱିତୀୟ ଥର ୯୬ ହଜାର ଟଙ୍କା ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତୃତୀୟ ଥର ୯୫ ହଜାର ଟଙ୍କା ଉଠାଇବାରେ ସଫଳ ହୋଇଛନ୍ତି । ଏନେଇ ସୁନାକର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ।