ଘରୋଇ ହିଂସା ସାମ୍ପ୍ରତିକ ସମୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଓ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି । ଏହା ସମୁଦାୟ ସାମାଜିକ ଓ ଆର୍ଥିକ ଶ୍ରେଣୀ ଏବଂ ସାଂସ୍କୃତିକ ପୃଷ୍ଠଭୂମିର ସୀମାକୁ ଅତିକ୍ରମ କରି ସମସ୍ତଙ୍କୁ ପ୍ରଭାବିତ କରୁଛି । ସମାଜରେ ଘଟୁଥିବା ଦ୍ରୁତ ପରିବର୍ତ୍ତନର ଅବିରତ ଚାପ ତଳେ ଶହ ଶହ ପରିବାର ଭାଙ୍ଗି ପଡ଼ୁଛନ୍ତି । ଲିଙ୍ଗଗତ ବିଭେଦ ଓ ଜୀବନଶୈଳୀରେ ପରିବର୍ତ୍ତନ ସହିତ ପରିବାରଗୁଡ଼ିକ ଅଧିକ ସମ୍ବେଦନଶୀଳ ଏବଂ ପ୍ରତିକ୍ରିୟାଶୀଳ ହେଉଛନ୍ତି, ଯାହା କ୍ରମେ ହିଂସାରେ ପରିଣତ ହେଉଛି । ବର୍ଷାନୁକ୍ରମେ ଘରୋଇ ହିଂସା ସମ୍ପର୍କିତ ଆଇନଗତ ପରିଦୃଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ପୀଡ଼ିତ/ବଞ୍ଚିତମାନଙ୍କୁ ଉତ୍ତମ ସୁରକ୍ଷା ଦେବା, ଅପରାଧୀମାନଙ୍କୁ ଦାୟୀ କରିବା ଏବଂ ଶାରୀରିକ, ମାନସିକ, ଆର୍ଥିକ ଓ ମନୋବୈଜ୍ଞାନିକ ଭଳି ବିଭିନ୍ନ ପ୍ରକାର ନିର୍ଯାତନାକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନଗତ ସଂଶୋଧନଗୁଡ଼ିକ ନିଶ୍ଚୟ ଠିକ୍ ଦିଗରେ ଏକ ପଦକ୍ଷେପ, କିନ୍ତୁ ପ୍ରତିଶୋଧର ଭୟ, ନ୍ୟାୟ ପ୍ରାପ୍ତିର ସୀମିତ ସୁଯୋଗ, ଆଇନଗତ ପଦକ୍ଷେପ ଗ୍ରହଣରେ ସାଂସ୍କୃତିକ ବାଧା ଏବଂ ଅତି ଭାରାକ୍ରାନ୍ତ ନ୍ୟାୟାଳୟ ବ୍ୟବସ୍ଥା କାରଣରୁ ଏହାର ସଠିକ୍ କାର୍ଯ୍ୟାନ୍ୱୟନ ପ୍ରାୟତଃ ବାଧାପ୍ରାପ୍ତ ହୋଇଥାଏ ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରହିଥିବା ଆଇନଗତ ଢାଞ୍ଚା ସହ ସମାନ୍ତରାଳ ଭାବରେ କାର୍ଯ୍ୟକାରୀ ହୋଇପାରୁଥିବା ଅନୁପୂରକ ପଦ୍ଧତିଗୁଡ଼ିକୁ ଅନ୍ୱେଷଣ କରିବାର ସମୟ ଆସିଛି । ଘରୋଇ ହିଂସା ବିରୋଧରେ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ଭୋଗୁଥିବା ନିର୍ଯାତନା ବୃଦ୍ଧିପାଇବା ପଛରେ ଥିବା କାରଣଗୁଡ଼ିକ ବିଷୟରେ ଜାଣିବା, ପୀଡ଼ିତ ସମୁଦାୟକୁ ସୁରକ୍ଷା ଦେବା ପାଇଁ ଗଠିତ ଆଇନଗୁଡ଼ିକ କିପରି କ୍ରମେ ବିକାଶ ପାଇଛି ତାହାକୁ ବୁଝିବା ଏବଂ "ପୁନଃସ୍ଥାପନାମୂଳକ ନ୍ୟାୟ' ଭଳି ପୀଡ଼ିତକୈନ୍ଦ୍ରିକ ପଦ୍ଧତିଗୁଡ଼ିକ କିପରି ଏକ ସୁରକ୍ଷିତ ସମୁଦାୟ ଗଢ଼ିବାରେ ସହାୟକ ହୋଇପାରେ, ସେ ନେଇ ଅଧିକରୁ ଅଧିକ ଅର୍ଥପୂର୍ଣ୍ଣ ଆଲୋଚନାଚକ୍ର ଏବଂ କର୍ମଶାଳାର ଆୟୋଜନ କରିବାର ଆବଶ୍ୟକତା ରହିଛି । ଘରୋଇ ହିଂସା କେବଳ ଶାରୀରିକ ହିଂସା ନୁହେଁ! ବ୍ୟକ୍ତିକୁ ଆର୍ଥିକ ସ୍ୱାଧୀନତା ନଦେବା, ଘରର କୌଣସି ନିଷ୍ପତ୍ତିରେ ସୁଯୋଗ ବା ସ୍ୱାଧୀନତା ନମିଳିବା, ଅପମାନସୂଚକ ଶବ୍ଦ ପ୍ରୟୋଗ କରିବା, ଗାଳି ଦେବା ବା ସ୍ୱାଧୀନ ଭାବରେ ଅନ୍ୟମାନଙ୍କ ସହ ମିଳାମିଶା କରିବାର ସୁଯୋଗ ଓ ବାହାରକୁ ଯିବାର ସ୍ୱାଧୀନତା ନଯୋଗାଇବା ମଧ୍ୟ ଘରୋଇ ହିଂସା ଅନ୍ତର୍ଭୁକ୍ତ । ସେହି କ୍ରମରେ ଘରୋଇ ହିଂସାର ଏହି ଦୀର୍ଘ ଯାତ୍ରାପଥରେ ଏପର୍ଯ୍ୟନ୍ତ କ’ଣ ପରିବର୍ତ୍ତନ ଆସିଛି ଏବଂ କ’ଣ ଅପରିବର୍ତ୍ତିତ ରହିଛି? ସେ ବିଷୟଟିକୁ ଆଲୋଚନା କରିବା ପ୍ରାସଙ୍ଗିକ ମନେହୁଏ । ଆମେ ସମୟ ସହ ତାଳ ଦେଇ ଆଧୁନିକ ହେଉଛେ, ଆମର ଜ୍ଞାନର ପରିସର ବୃଦ୍ଧିପାଇଛି, ଆମକୁ ବାକ୍ ସ୍ୱାଧୀନତା ମିଳିଛି, ନିଜର ଅଧିକାର ପାଇଁ ଆଇନତଃ ଆମେ ସକ୍ଷମ, ତଥାପି ଘରୋଇ ହିଂସାର ଶିକାର ହେଉଥିବା, ବିଶେଷ କରି ମହିଳାମାନେ ଲଜ୍ଜ୍ୟାବଶତଃ ଏହାକୁ ପରିପ୍ରକାଶ କରୁନାହାଁନ୍ତି । ଏହାର କାରଣ ମଧ୍ୟ ରହିଛି ଯେ, ପିଲାଦିନରୁ ଝିଅଟିଏକୁ ଶିକ୍ଷା ଦିଆଯାଏ ‘ମାଆରେ! ଶାଶୂଘରେ କିଛି ଅସୁବିଧା ହେଲେ ଟିକେ ସହିଯିବୁ, ମୁଣ୍ଡ ନୁଆଇଁ ଦେଲେ ପରା ସମୁଦ୍ର ପାରି’ ଏହିଭଳି କହି ତାକୁ ନିଜ ଉପରେ ହେଉଥିବା ହିଂସା, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ବାରଣ କରାଯାଏ ।
ସହିବାକୁ ନାରୀର ଧର୍ମ ବୋଲି ଗୋଟିଏ ଅଲିଖିତ ନିୟମ ଭିତରେ ବାନ୍ଧି ଦିଆଯାଏ । ଘରୋଇ ହିଂସାକୁ ଘରୋଇ ମାମଲା କହି ତାକୁ ଘୋଡ଼େଇ ଦେବାକୁ ଚେଷ୍ଟା କରାଯାଏ । ଘର କଥା ବାହାରେ କହିଲେ ପରିବାରର ସମ୍ମାନ ହାନି ହେବ, ଲୋକଲଜ୍ଜ୍ୟା ବ୍ୟାପିଯିବ ବୋଲି ପୀଡ଼ିତ ମହିଳାମାନେ ଚୁପ୍ ରହିଯାଆନ୍ତି । ବେଳେବେଳେ ଘରୋଇ ହିଂସା ପାଇଁ ମହିଳାମାନେ ନିଜକୁ ବି ଦାୟୀ କରିବାର ଦେଖାଯାଇଛି । କିଛି ଅପ୍ରୀତିକର ପରିସ୍ଥିତି ବା ଘଟଣା ଘଟିଗଲେ, ଏହା ତାଙ୍କ ଭୁଲ୍ ଯୋଗୁଁ ହୋଇଛି ବୋଲି ଧରିନିଅନ୍ତି । ଏସବୁ ଆଜି ବି ଅପରବର୍ତ୍ତିତ ରହିଛି ଆମ ସଭ୍ୟ ସମାଜରେ । ସତ୍ୟତା ହେଉଛି ସହିଯିବା, ନିରବ ରହିବା, ପ୍ରତିବାଦ ନକରିବା ଘରୋଇ ହିଂସାକୁ କମାଏ ନାହିଁ, ବରଂ ଆହୁରି ସାହସ ଯୋଗାଏ । ଏ କ୍ଷେତ୍ରରେ କିଛି ପରିବର୍ତ୍ତନ ଯେ ଆସିନାହିଁ, ସେ କଥାକୁ ଜୋର ଦେଇ ଆମେ କହିପାରିବା ନାହିଁ, ଘରୋଇ ହିଂସାରୁ ସୁରକ୍ଷା ନିମନ୍ତେ ମହିଳାଙ୍କ ପାଇଁ ଆଇନ ବ୍ୟବସ୍ଥା ରହିଛି । ମହିଳାଙ୍କ ମାନସିକତାକୁ ବୁଝିବା ପାଇଁ ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିବା ପାଇଁ କାଉନସେଲର, ବେସରକାରୀ ଅନୁଷ୍ଠାନ, ସହାୟତା କେନ୍ଦ୍ର, ସମାଜସେବୀମାନେ ଆଗେଇ ଆସୁଛନ୍ତି । ନାରୀମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ମୁହଁ ଖୋଲି କହୁଛନ୍ତି ।
ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ସ୍ୱଚ୍ଛଳତା ମହିଳାଙ୍କୁ ସଶକ୍ତ କରିଛି, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଶିଖାଇଛି । ସମାଜ ଧୀରେ ଧୀରେ ମହିଳାଙ୍କ ସୁରକ୍ଷା ପାଇଁ ସଚେତନ ଏବଂ ସମ୍ବେଦନଶୀଳ ହେଉଛି, ଯାହା ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କଥା ହେଉଛି, ଘରୋଇ ହିଂସା ଭୋଗୁଥିବା ପରିବାରରେ କେବଳ ମହିଳା/ପୁରୁଷ ପ୍ରଭାବିତ ହୁଅନ୍ତି ନାହିଁ । ସେମାନଙ୍କ ପରିବାର, ସନ୍ତାନ, ପଡ଼ୋଶୀ ଏବଂ ସାଙ୍ଗସାଥୀଙ୍କ ଉପରେ ଏହାର କୁପ୍ରଭାବ ପଡ଼େ । ବାପାମାଆଙ୍କ ବ୍ୟବହାର ଯୋଗୁଁ ପିଲାଙ୍କ ଆଗାମୀ ଭବିଷ୍ୟତ ସନ୍ଦିହାନ ହୁଏ । ସେମାନେ ସମାଜରୁ ଦୂରେଇ ଯାଇ ଘରେ ସଂକୁଚିତ ହୋଇଯାଆନ୍ତି । ଯାହାର ପରିଣାମ କୁସଙ୍ଗ, ଅସାମାଜିକ କାର୍ଯ୍ୟକଳାପ, ନିଶାସେବନ ଏବଂ ଅପରାଧ ଭଳି ନୂଆ ସମସ୍ୟା ସୃଷ୍ଟିକରେ । ଘରୋଇ ହିଂସାରୁ ମୁକ୍ତି ପାଇବାର ମାର୍ଗ ଘରୁ ହିଁ ଆରମ୍ଭ ହୁଏ, ମାତ୍ର ତାହା ସାହସରେ ସ୍ୱର ପାଏ । ପରିବର୍ତ୍ତନ ଆସିବ, ମାତ୍ର ପୀଡ଼ିତ ନିଜେ ସଚେତନ ହେଲେ । ଏହା ପାଇଁ ଆଇନ ଅଛି ସତ, ମାତ୍ର ସମକାଳରେ ଭୟ ବି ଅଛି ଯେ, ଏହାର ବିରୋଧ କଲେ ପରିବାର ହରେଇବାକୁ ପଡ଼ିପାରେ । ଏଣୁ ଯାହା ପରିବର୍ତ୍ତନ ହୋଇନାହିଁ, ତାକୁ ପରିବର୍ତ୍ତନ କରିବାର ଗୁରୁଦାୟିତ୍ୱ ଆମ ସମସ୍ତଙ୍କ ହାତରେ । ‘ସ୍ୱର ଉଠେଇଲେ ସାହାଯ୍ୟ ନିଶ୍ଚୟ ମିଳିବ, ନିରବତା ସମାଧାନ ନୁହେଁ’– ଏହି ଉକ୍ତିକୁ ଯେତେଶୀଘ୍ର ଘରୋଇ ହିଂସା ଦ୍ୱାରା ପୀଡ଼ିତ ବ୍ୟକ୍ତି ବୁଝିବେ, ସମାଧାନ ସେତେ ସହଜ ଓ ତ୍ୱରିତ ହେବ ବୋଲି ବିଶ୍ୱାସ ରହିଛି ।