ନୂଆଦିଲ୍ଲୀ, ୦୭/୦୨:ଆକ୍ସନ ମୋଡ଼ରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ।  ରାଷ୍ଟ୍ରପତି ହେବା ପରଠାରୁ ସେ ନିରନ୍ତର ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ନାଗରିକତ୍ୱ ଆଇନରେ ପରିବର୍ତ୍ତନ ଠାରୁ ଆରମ୍ଭ କରି ମେକ୍ସିକୋ ଉପସାଗରର ନାମ ପରିବର୍ତ୍ତନ ଏବଂ ଚୀନ୍ ଭଳି ଦେଶ ଉପରେ ଟାରିଫ ଘୋଷଣା ପର୍ଯ୍ୟନ୍ତ, ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ହେଲେ ଏଥର ଟ୍ରମ୍ପ ଆମେରିକା ଓ ଇସ୍ରାଏଲକୁ  ଟାର୍ଗେଟ କରୁଥିବା ଏକ ଭିତ୍ତିହୀନ ଅନୁସନ୍ଧାନ ପାଇଁ ଟ୍ରମ୍ପ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଉପରେ କଟକଣା ଲଗାଇଛନ୍ତି।

ଟ୍ରମ୍ପ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ହେଗ କୋର୍ଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରି ନିଜ ସାମର୍ଥ୍ୟର ଅପବ୍ୟବହାର କରିଛନ୍ତି  । ନେତାନ୍ୟାହୁ ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତିଙ୍କ ଭେଟ କରିଥିଲେ ।  ଟ୍ରିବ୍ୟୁନାଲ ଆଫଗାନିସ୍ତାନରେ ଆମେରିକା ଓ ଗାଜାରେ ଇସ୍ରାଏଲ ସୈନିକ ଦ୍ବାରା କଥିତ ଯୁଦ୍ଧ ଅପରାଧର ଆଇସିସି ତଦନ୍ତକୁ ଉଲ୍ଲେଖ କରି "ଆମେରିକା ଏବଂ ଆମର ଘନିଷ୍ଠ ସହଯୋଗୀ ଇସ୍ରାଏଲକୁ ଟାର୍ଗେଟ କରି ବେଆଇନ ଏବଂ ଭିତ୍ତିହୀନ କାର୍ଯ୍ୟରେ ଲିପ୍ତ" ବୋଲି ଟ୍ରମ୍ପ ଆଦେଶରେ କହିଥିଲା। 

ଆମେରିକାର ରାଷ୍ଟ୍ରପତି ଆଇସିସି ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ କୋର୍ଟର ତଦନ୍ତରେ ସହାୟତା କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ସମ୍ପତ୍ତି ଜବତ କରିବା ଏବଂ ଯାତ୍ରାରେ ପ୍ରତିବନ୍ଧକ ଲଗାଇବା ନେଇ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର ଏହି ପ୍ରତିବନ୍ଧକ ନେତାନ୍ୟାହୁଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ପରେ ତାଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କରୁଛି। ଯେଉଁ ସମୟରେ ଟ୍ରମ୍ପ ଗାଜାକୁ "ଦଖଲ" କରିବା ଏବଂ ପାଲେଷ୍ଟାଇନମାନଙ୍କୁ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଆମେରିକାର ଯୋଜନା ପ୍ରକାଶ କରିଥିଲେ। 

ଆମେରିକା କିମ୍ବା ଇସ୍ରାଏଲ ଏହି କୋର୍ଟର ସଦସ୍ୟ ନୁହଁନ୍ତି। ଦଣ୍ଡବିଧାନ ସମ୍ପର୍କରେ ଆଇସିସି ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ନଭେମ୍ବର ୨୧ ତାରିଖରେ, ଆଇସିସି ନେତାନ୍ୟାହୁ, ତାଙ୍କର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ହମାସ ସାମରିକ ମୁଖ୍ୟ ମହମ୍ମଦ ଡ଼େଫ୍ ପାଇଁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା। ଗତ ବର୍ଷ ମେ ମାସରେ ଆଇସିସି ପବ୍ଲିକ ପ୍ରସିକ୍ୟୁଟର କରିମ ଖାନଙ୍କ ଆବେଦନ ପରେ ମଞ୍ଜୁର ହୋଇଥିବା ଏହି ୱାରେଣ୍ଟ " ୮ ଅକ୍ଟୋବର ୨୦୨୩ ରୁ ଅତି କମରେ ୨୦ ମେ ୨୦୨୪ ପର୍ଯ୍ୟନ୍ତ ହୋଇଥିବା ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ" ପାଇଁ ଅଟେ। ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ୨୦୨୦ ମସିହାରେ ତତ୍କାଳୀନ ICC ପବ୍ଲିକ ପ୍ରସିକ୍ୟୁଟର ଫତୋ ବେନସୌଦା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆର୍ଥିକ ଏବଂ ଭିସା କଟକଣା ଲଗାଇଥିଲେ। ଟ୍ରମ୍ପ ଆଇସିସିକୁ "କଙ୍ଗାରୁ କୋର୍ଟ" ବୋଲି କହିଥିଲେ । ଏଥିସହ ଆଫଗାନିସ୍ତାନରେ ଆମେରିକୀୟ ସୈନିକଙ୍କ ବିରୁଦ୍ଧରେ ଯୁଦ୍ଧ ଅପରାଧ ଅଭିଯୋଗର ତଦନ୍ତ ଆରମ୍ଭ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।