ନୂଆଦିଲ୍ଲୀ,୧୭/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁବାର ହ୍ୱାଇଟ ହାଉସ୍ରେ ଭେନେଜୁଏଲା ବିରୋଧୀ ନେତ୍ରୀ ମାରିଆ କୋରିନା ମଚାଡୋଙ୍କୁ ସାକ୍ଷାତ କରିଛନ୍ତି । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦେୁରୋଙ୍କୁ ଆମେରିକା ଆକ୍ରମଣ କରି ଉଠାଇ ନେବା ପରେ କୌଣସି ଭେନେଜୁଏଲା ନେତାଙ୍କୁ ଟ୍ରମ୍ପ୍ ପ୍ରଥମ ଥର କରି ଭେଟିଛନ୍ତି । ଏହି ସାକ୍ଷାତ ପରେ ମଚାଡୋ ତାଙ୍କ ନୋବେଲ ଶାନ୍ତି ପୁରସ୍କାରକୁ ଟ୍ରମ୍ପ୍ଙ୍କୁ ଉପହାର ଦେଇଥିଲେ । ଏହା ସମସ୍ତଙ୍କୁ ତାଜୁବ କରିଥିଲା । ଯାହାଙ୍କୁ ପଛରେ ପକାଇ ନୋବେଲ୍ ଜିତିଥିଲେ ତାଙ୍କୁ ନିଜ ଶାନ୍ତି ପୁରସ୍କାର ଦେଇଛନ୍ତି । ତେବେ ଟ୍ରମ୍ପ କାହିଁକି ସେକେଣ୍ଡ ହ୍ୟାଣ୍ଡ ନୋବେଲ୍ ନେଲେ ? ଯାହାର କାରଣ ନିଜେ କହିଛନ୍ତି ଆମେରିକା ରାଷ୍ଟ୍ରପତି ।
କାହାକୁ ଅଛପା ନାହିଁ ଯେ ଟ୍ରମ୍ପ ନୋବେଲ୍ ସମ୍ମାନ ପାଇଁ ବ୍ୟାକୁଳ ଥିଲେ । ତେଣୁ ସେ ବାରମ୍ବାର କହି ଆସୁଛନ୍ତି ୨୦୨୫ରେ ସେ ୮ ଯୁଦ୍ଧ ରୋକିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଟ୍ରମ୍ପ ସେକେଣ୍ଡ ହ୍ୟାଣ୍ଡ ନେବେଲ୍ କାହିଁକି ଗ୍ରହଣ କଲେ ? ଏ ପ୍ରଶ୍ନର ଉତ୍ତର ନିଜେ ଟ୍ରମ୍ପ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ''ସେ ମୋତେ ଏହି ପୁରସ୍କାର ପ୍ରଦାନ କରିଥିଲେ । ମଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି । ମାଚାଡୋ କହିଥିଲେ ତୁମେ ୮ଟି ଯୁଦ୍ଧ ସମାପ୍ତ କରିଛି । ତୁମଠାରୁ ଅଧିକ ଆଉ କେହି ଏହି ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି । ମୁଁ ଭାବୁଛି ସେ ଜଣେ ଦୟାଳୁ ମହିଳା । ଆମେ ପୁଣି କଥା ହେବୁ । ''
ଗୋଟିଏ ମାସ ଭିତରେ ଟ୍ରମ୍ପଙ୍କୁ ଦେଲେ ସମ୍ମାନ- ଗତ ତିନି ମାସ ମଧ୍ୟରେ ପରିସ୍ଥିତି ଏତେ ଦ୍ରୁତ ଗତିରେ ବଦଳି ଯାଇଛି ଯେ ନୋବେଲ କମିଟି ଦ୍ୱାରା ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମହିଳା ଜଣକ ବ୍ୟକ୍ତିଗତ ଭାବରେ ଟ୍ରମ୍ପଙ୍କୁ ତାଙ୍କ ପୁରସ୍କାର ଦେଇ ଦେଇଛନ୍ତି । ନୋବେଲ ପ୍ରଦାନ କରିବା ସମୟରେ ମାରିଆ ଟ୍ରମ୍ପଙ୍କ ପ୍ରତି ତାଙ୍କର କୃତଜ୍ଞତା ପ୍ରକାଶ କରିଥିଲେ । ନୋବେଲ କମିଟି ଡିସେମ୍ବର ୧୦ ୨୦୨୫ରେ ମାରିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏହାର ପ୍ରାୟ ମାସେ ପରେ ମାରିଆ ଏହାକୁ ଟ୍ରମ୍ପଙ୍କୁ ପ୍ରଦାନ କରିଛନ୍ତି ।
ଟ୍ରମ୍ପ୍ଙ୍କ ଦୀର୍ଘ ଦିନରୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି କରି ଆସୁଛନ୍ତି । ଏହା ମଚାଡୋଙ୍କୁ ମିଳିବା ପରେ ଟ୍ରମ୍ପ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ନୋବେଲ କମିଟି ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, ଗୋଟିଏ ପଦକର ମାଲିକ ବଦଳି ଯାଇପାରନ୍ତି କିନ୍ତୁ ନୋବେଲ ଶାନ୍ତି ପୁରସ୍କାର ବିଜେତାର ଉପାଧି ଅନ୍ୟ କାହାରିକୁ ଯାଇପାରିବ ନାହିଁ । ନୋବେଲ ହସ୍ତାନ୍ତର କେବେ ବି ବୈଧ ନୁହେଁ । ୨୦୨୫ ଅକ୍ଟୋବରରେ ମଚାଡୋଙ୍କୁ ନୋବେଲ ଶାନ୍ତି ସମ୍ମାନ ମିଳିଥିଲା । ଭେନେଜୁଏଲାର ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଛତ୍ରବାଦ ଶାସନ ବିରୋଧରେ ଲଢ଼େଇ ଲାଗି ସେ ଏହି ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ । ତେବେ ମଚାଡୋ ଏଭଳି ନୋବେଲ ଅନ୍ୟ କାହାରିକୁ ଉପହାର ଦେବାକୁ ନେଇ ବିଭିନ୍ନ ମହଲରେ ବେଶ୍ ସମାଲୋଚନା କରାଯାଇଛି ।