ନୂଆଦିଲ୍ଲୀ,୦୫/୦୧: ଭେନେଜୁଏଲା ଉପରେ ଆମେରିକାର ଅପରେସନ ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ସ ଅନ୍ତରୀଣ ରାଷ୍ଟ୍ରପତି ହୋଇଛନ୍ତି । ସେ ପଦ ସମ୍ଭାଳିବା କ୍ଷଣି ତାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଏକ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି ରୋଡ୍ରିଗ୍ସ ଯଦି ଆମେରିକା ପାଇଁ ଠିକ୍ କାମ ନକରିବେ ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ । ରୋଡ୍ରିଗ୍ସ ତାଙ୍କ କଥା ନମାନିଲେ ନିକୋଲାସ୍ ମାଦୁରୋଙ୍କଠୁ ବି ତାଙ୍କ ଅବସ୍ଥା ଖରାପ ହେବ । ଆମେରିକାର ସେନା କାରାକାସ୍ ଉପରେ ଆକ୍ରମଣ କରି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରି ନ୍ୟୁୟର୍କ ନେଇଯିବା ପରେ ଏହି ବିବୃତ୍ତି ଆସିଛି ।

ଆମେରିକୀୟ ପତ୍ରିକା 'ଦି ଆଟଲାଣ୍ଟିକ୍' ସହିତ ଏକ ଫୋନ୍ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ୍ ଡେଲ୍ସି ରୋଡ୍ରିଗ୍ସଙ୍କ ବିଷୟରେ କହିଥିଲେ, "ଯଦି ସେ ଠିକ୍ କାମ ନ କରନ୍ତି, ତେବେ ତାଙ୍କୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, ହୁଏତ ମାଦୁରୋ ଠାରୁ ମଧ୍ୟ ବଡ଼ ।" ଭେନେଜୁଏଲାକୁ "ସମ୍ପୂର୍ଣ୍ଣ ବିଫଳ ରାଷ୍ଟ୍ର" ବୋଲି ଅଭିହିତ କରି ସେ କହିଥିଲେ ଯେ, ପୁନଃନିର୍ମାଣ ଏବଂ ଶାସନ ପରିବର୍ତ୍ତନ ହେଉଛି ଭଲ ବିକଳ୍ପ । ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ, ପରିସ୍ଥିତି ଇରାକଠାରୁ ଭିନ୍ନ, ଯେଉଁଠାରେ ସେ କେବେ ହସ୍ତକ୍ଷେପ କରି ନଥିଲେ ।

ମାଦୁରୋଙ୍କ ନୀତି ଜାରି ରଖିବେ: ରୋଡ୍ରିଗ୍ସ 

ରୋଡ୍ରିଗ୍ସ ଆରମ୍ଭରୁ ଆମେରିକାର ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ସେ କହିଥିଲେ, "ଆମେ ଆଉ କେବେ କାହା ନିୟନ୍ତ୍ରଣରେ ରହିବୁ ନାହିଁ ।'' ଦେଶର ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ଏବଂ ମାଦୁରୋଙ୍କ ନୀତି ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ୧୮ ମେ ୧୯୬୯ରେ କାରାକାସରେ ରୋଡ୍ରିଗ୍ସଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ଜର୍ଜ ଆଣ୍ଟୋନିଓ ଜଣେ ପ୍ରମୁଖ ବାମପନ୍ଥୀ ନେତା ଥିଲେ ଯିଏ ୧୯୭୦ ଦଶକରେ ମାର୍କ୍ସବାଦୀ ରାଜନୈତିକ ଦଳ ଲିଗା ସୋସିଆଲିଷ୍ଟା ପ୍ରତିଷ୍ଠା କରିଥିଲେ । ରୋଡ୍ରିଗ୍ସ ମାଦୁରୋଙ୍କ ଖୁବ ଘନିଷ୍ଠ । ଭେନେଜୁଏଲା ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ବୈଦେଶିକ ମନ୍ତ୍ରୀ, ଯୋଗାଯୋଗ ମନ୍ତ୍ରୀ, ସମ୍ବିଧାନ ସଭାର ସଭାପତି ଏବଂ ଉପରାଷ୍ଟ୍ରପତି ଅନ୍ତର୍ଭୁକ୍ତ ରହିଛି ।ଅନ୍ତରୀଣ ରାଷ୍ଟ୍ରପତି ହେବା ପରେ ଡେଲ୍ସି ରୋଡ୍ରିଗ୍ସ ମାଦୁରୋଙ୍କୁ ଛାଡ଼ିବାକୁ ଆମେରିକାକୁ ଅପିଲ୍ କରିଛନ୍ତି । ‘ସେ ଆମର ଏକମାତ୍ର ରାଷ୍ଟ୍ରପତି’ ବୋଲି ରୋଡ୍ରିଗ୍ସ କହିଛନ୍ତି । 
​​​​​​​