ବାଉଁଶୁଣୀ, ୧୩।୭: ପାନୀୟ ଜଳ ଯୋଗାଣ ପାଇପ୍ ଚୋରି କରିନେଲେ ଦୁର୍ବୃତ୍ତ । ରବିବାର ସକାଳ ୮ଟା ସମୟରେ ବୌଦ୍ଧ ବ୍ଲକ ଅଁଳାପାଲି ଗ୍ରାମ ପଞ୍ଚାୟତର ଦନ୍ତାପାଲି ଗ୍ରାମକୁ ଆସିଥିବା ମେଗା ପାନୀୟ ଜଳ ଯୋଗାଣ ପାଇପ୍ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରେ ଗାଁକୁ ଆସିଥିବା ପାନୀୟ ଜଳ ଯୋଗାଣ ପାଇପ୍ ଲାଇନ୍ର କିଛି ଅଂଶ ଖେଳ ପଡ଼ିଆ ନିକଟରୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଦେଖିବାକୁ ମିଳିଛି । ଫଳରେ ଗାଁକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପାନୀୟ ଜଳ ପଡ଼ିଆରେ ବୋହି ଯାଉଥିବା ବେଳେ ଗାଁରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦୁର୍ବୃତ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପାଇପ ଲାଇନ୍ ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।