ପାଟକୁରା,୧୫।୭ : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବେଡାରୀ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଠପ୍। ରବିବାର ସକାଳେ ପାଣି ଉଠା ମଟର ଅଚଳ ହୋଇଯାଇଛି। ଫଳରେ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଡାରୀ, ସୋଲପାଟ ଓ କୁଳତୁଠୀ ଗ୍ରାମର ପ୍ରାୟ ୬ ଶହରୁ ଉର୍ଦ୍ଧ୍ଵ ପରିବାର ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀମାନେ ବାଧ୍ୟ ହୋଇ ନଦୀ ପୋଖରୀରୁ ଦୂଷିତ ଜଳ ବ୍ୟବହାର କରୁଛନ୍ତି। ଯାହାଫଳରେ ଝାଡାବାନ୍ତି ବ୍ୟାପିବାର ଆଶଙ୍କା ଦେଖାଦେଇଛି।
୨୦୦୮ ମସିହାରୁ ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏଠାରେ ଓଭରହେଡ୍ ପାଣିଟାଙ୍କି କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀମାନେ ସବୁ ସମୟରେ ପାନୀୟଜଳ ପାଇପାରୁ ନାହାଁନ୍ତି। କମ୍ ପାୱାରର ବିଦ୍ୟୁତ୍ ପାଣି ଉଠା ମଟର ଲାଗିଥିବାରୁ ଏକକାଳୀନ ସମସ୍ତ ଗ୍ରାମବାସୀମାନଙ୍କୁ ଏକା ସମୟରେ ପାଣି ଯୋଗାଇ ଦିଆଯାଇପାରୁ ନାହିଁ। ମାଟିତଳେ ଯାଇଥିବା ପାଣି ପାଇପ୍ ଗୁଡିକ ଅଧିକାଶଂ ସ୍ଥାନରେ ଫାଟିଯିବାରୁ ମାଟିଆ ଓ ଅପରିଷ୍କାର ପାଣିକୁ ଲୋକମାନେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ତେବେ ରବିବାର ସକାଳ ଠାରୁ ପାଣି ଉଠା ମଟର ଅଚଳ ହୋଇଯାଇଛି। ଫଳରେ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଡାରୀ, ସୋଲପାଟ ଓ କୁଳତୁଠୀ ଗ୍ରାମର ପ୍ରାୟ ୬ ଶହରୁ ଉର୍ଦ୍ଧ୍ଵ ପରିବାର ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀମାନେ ବାଧ୍ୟ ହୋଇ ନଦୀ ପୋଖରୀରୁ ଦୂଷିତ ଜଳ ବ୍ୟବହାର କରୁଛନ୍ତି। ଯାହାଫଳରେ ଝାଡାବାନ୍ତି ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଗରଦପୁର ବ୍ଲକର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ପାନୀୟ ଜଳ ଯୋଗାଇବା ଓ ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମପଞ୍ଚାୟତର। କିନ୍ତୁ ଗରଦପୁର ବ୍ଲକରେ କୌଣସି ମେକାନିକ୍ ନଥିବାରୁ ଏହିପରି ବିଭିନ୍ନ ଗ୍ରାମରେ ଦିନ ଦିନ ଧରି ପାଣିମଟର ଅଚଳ ହୋଇପଡୁଛି।
ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପାନୀୟଜଳ ଯୋଗାଣ ଅଧିକାରୀ କେବେ ବି ଅଚଳ ହୋଇପଡୁଥିବା ଜଳଯୋଗାଣ ପ୍ରକଳ୍ପ ନିକଟକୁ ଆସି ତଦାରଖ କରୁନାହାଁନ୍ତି। ଦାୟିତ୍ୱରେ ଥିବା ସରପଞ୍ଚ ମେକାନିକ୍କୁ ଯୋଗାଯୋଗ କରି ପାଣି ମଟର ମରାମତି କରିବା କଥା। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କର ଉଦାସୀନତା ଯୋଗୁ ପଞ୍ଚାୟତ ଦ୍ୱାରା ମରାମତି ସମୟରେ ମଟରରେ ଲଗାଯାଉଥିବା ନିମ୍ନମାନର ଯନ୍ତ୍ରାଶଂ ଯୋଗୁ ଏଭଳି ବାରମ୍ବାର ପାଣି ମଟର ଖରାପ ହୋଇଯାଉଛି। କନୀଷ୍ଠ ଯନ୍ତ୍ରୀ ପାଣିମଟର ମରାମତି ସମ୍ବନ୍ଧୀୟ ଯାହାବି ଭାଉଚର ହୋଇଥିବ ସେଗୁଡିକୁ ମନ୍ଦ ଉଦ୍ଦେଶ୍ୟ ରଖି ଆଖିବୁଜି ଅନୁମୋଦିତ କରୁଛନ୍ତି। ଗ୍ରାମର କେତେକ ସମାଜସେବୀ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ବଦ୍ଧରେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ପାନୀୟ ଜଳଯୋଗାଣ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଯନ୍ତ୍ରୀମାନେ ମିଥ୍ୟା ପ୍ରତିଶୃତି ଦେଇ ଚାଲିଛନ୍ତି। କିନ୍ତୁ କୈାଣସି ପଦକ୍ଷପ ନେଉନାହାଁନ୍ତି। ପାନୀୟ ଜଳ ଯୋଗାଣ ଦାୟିତ୍ୱ ଗ୍ରାମପଞ୍ଚାୟତକୁ ଦିଆଯାଇଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଗୁଡିକୁ ବ୍ଲକର କନିଷ୍ଠ ଯନ୍ତ୍ରୀ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ଦେଇ ଚୁପ୍ ହୋଇ ବସି ପଡୁଛନ୍ତି। କିନ୍ତୁ ବିଭାଗୀୟ ଯନ୍ତ୍ରୀ ନା ପଞ୍ଚାୟତ କର୍ମକର୍ତ୍ତା କେହି ହେଲେ ବି ସମସ୍ୟାର ସମାଧାନ କରୁନାହାଁନ୍ତି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ଗ୍ରାମବାସୀମାନେ ନଦୀ ପୋଖରୀର ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଥିବାରୁ ଝାଡାବାନ୍ତି ରୋଗର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେଣୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ବେଡାରୀ ପାନୀୟଜଳ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଗ୍ରାମବାସୀମାନଙ୍କୁ ପାନୀୟଜଳ ଯୋଗାଇବାକୁ ଦାବି ହେଉଛି।