ଭୁବନେଶ୍ୱର, ୨୪/୦୩: ସରକାର କଲେ ଆଦର୍ଶ ବିଦ୍ୟାଳୟ । ଏହି ଆଦର୍ଶ ବିଦ୍ୟାଳୟ ବତୀଘର ଭଳି ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ । ଅନ୍ୟମାନେ ଏହାର ଆଦର୍ଶରେ ଅନୁପ୍ରାଣିତ ହେବେ । ଏହାକୁ ଅନୁକରଣ କରିବେ । କିନ୍ତୁ ଏହାର ବାସ୍ତବ ଚିତ୍ରକୁ ଦେଖିଲେ ଯେ କେହି ହତୋତ୍ସାହିତ ହେବ । ଆଦର୍ଶ ବୋଲି ଯାହାକୁ କୁହାଯାଉଛି ସେଠାରେ ୪୦% ଶିକ୍ଷକ ନାହାନ୍ତି । ୮୨% ସ୍କୁଲରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ୪୦% ସ୍କୁଲରେ ଆଇସିଟି ଲ୍ୟାବ୍ (କମ୍ପ୍ୟୁଟର ପ୍ରୟୋଗଶାଳା) ନାହିଁ । ୫୫% ସ୍କୁଲରେ ହଷ୍ଟେଲ ନାହିଁ । ଅଧା ସ୍କୁଲରେ ଭିତ୍ତିଭୂମି ନାହିଁ । ସତରେ ଯଦି ଏହି ଆଦର୍ଶରେ ଅନୁପ୍ରାଣିତ ହେବ ଅନ୍ୟ ବିଦ୍ୟାଳୟ ଆଗକୁ ବଢ଼ିବାକୁ ଚାହିଁବେ ତେବେ ଶିକ୍ଷା ବ୍ୟବସ୍ଥା ରସାତଳକୁ ଯିବ । ଏଥିରେ ଦ୍ୱିମତ ନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ୩୨୧ଟି ସ୍କୁଲ ରହିଛି । ଏଥିରୁ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ରହିଛି । ଆଉ ଗୋଟିଏ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ରହିଛି । ଏସମସ୍ତ ବିଦ୍ୟାଳୟରେ ୧ ଲକ୍ଷ ୯ ହଜାର ୪୪୩ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ଏଥିରୁ ୪୬ ହଜାର ୮୬୨ ଛାତ୍ର ଓ ୬୨ ହଜାର ୫୮୧ ଛାତ୍ରୀ ପାଠପଢ଼ୁଛନ୍ତି । ପାଠପଢ଼ାଇବାକୁ ୭୩୭୦ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବି ରହିଛି । ଏଥିରୁ ୪୫୪୮ ଜଣ ଶିକ୍ଷକ ପାଠ ପଢ଼ାଇବାକୁ ଅଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ୩୨୦ ସ୍କୁଲରୁ ୨୬୫ଟିରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ମାତ୍ର ଗୋଟିଏ ସ୍କୁଲରେ ଗ୍ରନ୍ଥାଗାରିକ ଅଛନ୍ତି । କଳା ଶିକ୍ଷକ ୧୦୧, କମ୍ପ୍ୟୁଟର ଶିକ୍ଷକ ୭୧, ସଂଗୀତ ଶିକ୍ଷକ ୨୩୪, କ୍ରୀଡ଼ା ଶିକ୍ଷକ ୮୨, ପିଜିଟି-ବାୟୋଲୋଜିରେ ୧୦୦, ପିଜିଟିକେମେଷ୍ଟ୍ରିରେ ୧୦୯ ପଦବି ଖାଲି ପଡ଼ିଛି । ପିଜିଟି-ଇଂରାଜୀରେ ୯୫ ଶିକ୍ଷକ ନାହାନ୍ତି । ୧୫୬ଟି ଗଣିତ ଶିକ୍ଷକ ପଦବି ଖାଲି ରହିଛି । ଫିଜିକ୍ସରେ ୧୬୩, ଟିଜିଟି- ଇଂରାଜୀରେ ୧୪୨, ହିନ୍ଦୀରେ ୧୭୩, ଗଣିତରେ ୬୩, ଓଡ଼ିଆରେ ୧୭, ସଂସ୍କୃତ ୧୬୨, ବିଜ୍ଞାନ ୩୮, ଏସ୍ଏସ୍ଟି ୬୮, ବିଜ୍ଞାନରେ ୩୮, ପିଜିଟି- କମ୍ପ୍ୟୁଟର ସାଇନ୍ସରେ ୧୭୨, ଅର୍ଥନୀତିରେ ୧୪, ବାଣିଜ୍ୟରେ ୨୨ ଓ ୩୧୪ଟି ଉପାଧ୍ୟକ୍ଷ ପଦବିରୁ ୧୮୪ଟି ପଦବିରେ କେହି ନାହାନ୍ତି । ଏପରିକି ଦେଢ଼ ବର୍ଷ ହେଲା ଖାଲି ପଡି଼ଥିବା ପଦବିରେ ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ବି ବାହାରିନି ।

ଅଧିକ ପଢ଼ନ୍ତୁ:-  ବୁଧବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି: ଦୁର୍ମୂଲ୍ୟ ରତ୍ନର ପରିଚୟ ନିର୍ଦ୍ଧାରଣ ହେବ,୧୯୭୮ର ତାଲିକାର ହେବ ମେଳକ

ସରକାରୀ ତଥ୍ୟ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁବିଧା କରିବା ପାଇଁ ଖାଲିଥିବା ପଦବିରେ ୧୧୭୦ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯାଇଛି । ୧୯୨ଟି ଓଏଭିରେ ୧୯୩ଟି ଆଇସିଟି ଲ୍ୟାବ୍ ରହିଛି । ଏହା ଛାତ୍ରଛାତ୍ରୀଙ୍କ ଦ୍ୱାରା ବ୍ୟବହାର କରାଯାଉଛି ବୋଲି ମଧ୍ୟ ସରକାରୀ ତଥ୍ୟ ଦିଆଯାଇଛି । ତେବେ ୧୧୮ଟି ଆଇସିଟି ଲ୍ୟାବ୍ ନିର୍ମାଣ ହେଉଛି ବୋଲି ତଥ୍ୟ ଦିଆଯାଇଛି । ସେହିପରି ରାଜ୍ୟର ୮ଟି ଓଏଭିରେ ଛାତ୍ରୀ ନିବାସ ଓ ୨୮ରେ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି । ୧୧୯ଟି ଛାତ୍ରୀ ନିବାସ ଓ ୧୪୪ଟି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇନି । କେଉଁଠି ବିଦ୍ୟୁତ୍ ସଂଯୋଗ ହୋଇନି ତ ଆଉ କେଉଁଠି ପାଣି ସଂଯୋଗ ହୋଇନି । ଏପରି ଅବସ୍ଥାରେ ପିଲାମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଭିନ୍ନ ଏପଟେ ଓଏଭି ଏକ ଆବାସିକ ସ୍କୁଲ ହୋଇଥିବା ଦର୍ଶାଇ ସରକାର ଅନେକ ବୃତ୍ତି ପରୀକ୍ଷାରୁ ଏହି ଛାତ୍ରଛାତ୍ରୀଙ୍କୁ ବାଦ୍ ଦେଉଛନ୍ତି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ହୋଇଥିଲା । ଏହିସବୁ ବିଜ୍ଞପ୍ତିର ନିଯୁକ୍ତି ଦିଆଯାଇଛି । କିନ୍ତୁ ଖାଲି ପଡ଼ିଥିବା ପଦବିରେ ଆଉ କୌଣସି ନିଯୁକ୍ତି ପାଇଁ ଦେଢ଼ ବର୍ଷ ହେଲାଣି କୌଣସି ବିଜ୍ଞପ୍ତି ହୋଇନାହିଁ । ନିଯୁକ୍ତି ପ୍ରକ୍ରିୟା ହେଉନଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରୁଛନ୍ତି ।