ପୁରୀ,୨୪/୦୩: ବଡ଼ଦେଉଳ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ପରିଚୟ ନିର୍ଦ୍ଧାରଣ କରାଯିବ । ଫଳରେ ଦୁର୍ମୂଲ୍ୟ ଜିନିଷ କ’ଣ ତାହା ଜଣାପଡ଼ିବ । ଏଥିନିମନ୍ତେ ରାଜ୍ୟ ଜିଓଲୋଜି ନିର୍ଦ୍ଦେଶକ (ମାଇନିଂ)ଙ୍କ ପକ୍ଷରୁ ଜିମୋଲୋଜିଷ୍ଟ ନିୟୋଜିତ ହେବେ । ପୂର୍ବ ଗଣତିମଣତି (୧୯୭୮ ମସିହା) ବେଳେ ଜିମୋଲୋଜିଷ୍ଟ ମୁତୟନ ହୋଇନଥିଲେ । ତେଣୁ ଅନେକ ରତ୍ନପଥର କ’ଣ ଜାଣି ହୋଇନଥିଲା । ତେଣୁ ଚଳିତ ଥର ରତ୍ନଭଣ୍ଡାର ଗଣତିମଣତିରେ ଜିମୋଲୋଜିଷ୍ଟଙ୍କୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବୁଧବାର ରତ୍ନଭଣ୍ଡାର ରତ୍ନ ଗଣତିମଣତି ହେବାକୁ ଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଶ୍ରୀ ହରିଚନ୍ଦନ କହିଥିଲେ, ଆସନ୍ତା ୨୫ ତାରିଖରୁ ବହୁ ପ୍ରତୀକ୍ଷିତ ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । ଦୀର୍ଘ ପ୍ରାୟ ୪୭ ବର୍ଷ ହେବ ଏହି କାର୍ଯ୍ୟ ହୋଇନି । ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଯେପରି ରତ୍ନଭଣ୍ଡାର ଭିତରେ ସୁରକ୍ଷିତ ରହିବ ସେ ଉଦ୍ଦେଶ୍ୟରେ ଏସ୍ଓପି ଅନୁଯାୟୀ ପଦକ୍ଷେପ ନିଆଯାଉଛି ।
ଗଣତିମଣତିରେ ଆର୍ବିଆଇର ବିଶେଷଜ୍ଞ, ଜିମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ ନିୟୋଜିତ ହେବେ । ଗଣତିମଣତି ସାରିବାକୁ କେତେ ସମୟ ଲାଗିବ କହିହେବନି । ରତ୍ନଅଳଙ୍କାର ପ୍ରଭୃତି ପୂର୍ବ ଗଣତିମଣତି ତାଲିକା ସହ ମେଳକ କରିବା ହେଉଛି ପ୍ରଥମ କାମ । ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯାହା ମାଧ୍ୟମରେ ପାରଦର୍ଶିତା ଓ ତଥ୍ୟ ସଂରକ୍ଷଣ ସୁନିଶ୍ଚିତ ହେବ । ସମସ୍ତ ରତ୍ନ ଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ ରଖାଯିବ । ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ସେବାୟତ ଓ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁ ଦାୟିତ୍ୱ ନେଇ ଏହି ତଦାରଖ କରିବେ ଓ ସେ ହିଁ ନିୟୋଜିତ ଦଳଙ୍କୁ ଏହି କାର୍ଯ୍ୟ କରିବାକୁ ଶକ୍ତି ଦେବେ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ :- ସାଇବର ଥାନାରେ ବଢୁଛି ମାମଲା, ଅଦୃଶ୍ୟ ଜଗତରୁ ଠକଙ୍କୁ ଧରିବାକୁ ନାହାଁନ୍ତି ପର୍ଯ୍ୟାପ୍ତ ପୁଲିସ
ବୈଠକରେ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଡ. ପବିତ୍ର ମାହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂହ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ, ମନ୍ଦିର ପ୍ରଶାସନର (ନୀତି ଓ ଉନ୍ନୟନ) ଅଧିକାରୀମାନେ ଓ ପ୍ରମୁଖ ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ଆଇନମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଶ୍ରୀଜିଉଙ୍କ ଦର୍ଶନ କରି ଏହି କାର୍ଯ୍ୟ ସୂଚାରୁ ଭାବେ କରିବା ନିମନ୍ତେ ଆଶୀର୍ବାଦ ଲୋଡ଼ିଥିଲେ । ବୈଠକ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଅନ୍ୟ ପ୍ରକଳ୍ପର ଅଗ୍ରଗତିର ସ୍ଥିତି ସୀମୀକ୍ଷା ଏବଂ ପରିଦର୍ଶନ କରିଥିଲେ ।