ପ୍ରମୂଖ ଖବର
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ସରିଗଲା ରୁଆ ପୋତା କାମ, ରାଜ୍ୟ ବାହାରକୁ ଛୁଟିଲା ଦାଦନ ସୁଅ

Published By : Rasmita Pradhan | July 30, 2025 1:27 PM

ରାୟଗଡ଼ା, ୩୦/୦୭ : ସରିଗଲା ରୁଆ ପୋତା କାମ। ରାଜ୍ୟ ବାହାରକୁ ଛୁଟିଲା ଦାଦନ ସୁଅ। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩ ହଜାର କ୍ଷୁଦ୍ର, ମଧ୍ୟମ ଓ ବୃହତ୍ତ ଶିଳ୍ପ କାର୍ଯ୍ୟକ୍ଷମ ରହିଛି। ଏହାସତ୍ତ୍ଵେ ଶ୍ରମିକଙ୍କ ପାଇଁ କାମଧନ୍ଦାର ଅଭାବ ରହିଛି। ଜୁଲାଇ ମାସରେ ଭଲ ବର୍ଷା ପାଇଁ ବର୍ତ୍ତମାନ ଜମିରେ ଧାନରୁଆ କାମ ଆଗୁଆ ସରିଛି। ତେଣୁ ଦକ୍ଷିଣ ଭାରତକୁ ଦାଦନ ଶ୍ରମିକଙ୍କ ସୁଅ ଛୁଟୁଛି। ଦାଦନ ଦଲାଲମାନେ ଶ୍ରମିକ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଗତ ତିନିଦିନ ହେଲା ରାୟଗଡ଼ା ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଦଳ ଦଳ ହୋଇ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । 

ମଙ୍ଗଳବାର କାଶୀପୁର ବ୍ଲକ୍‌ର ଝୁଲୁକାଗୁଡ଼ା, ସିମେର ଓ ସୁରୁଗୁଞ୍ଜାର ୧୨ ଜଣ ଶ୍ରମିକ କାମ ପାଇଁ କେରଳର ଚାଲାକୁଡ଼ି ସହରକୁ ଯାଇଛନ୍ତି । ନିଜ ଗାଁରୁ ସପରିବାର ରାୟଗଡ଼ା ଆସି ବିଜୟନଗରମ୍‌ ଯାଇଛନ୍ତି। ସେଠାରୁ ସେମାନେ ରେଳରେ ଚାଲାକୁଡ଼ି ସହରକୁ ଯିବେ ବୋଲି ଶ୍ରମିକ ବନ୍ଦେଲ ମାଝୀ, ସୁବର୍ଣ୍ଣ ଝୋଡ଼ିଆ, ଦଣ୍ଡାସି ମାଝୀ, ପୀତାମ୍ବର ନାୟକ, ମୋହନ ଝୋଡ଼ିଆ, ନିରଞ୍ଜନ କୁମ୍ଭାର, ରାମଚନ୍ଦ୍ର ମାଝୀ, ଦିବାକର ମାଝୀ, ବିଦୁର ନାଏକ ଓ କରୁଣାକର ନାଏକ ପ୍ରମୁଖ କହିଛନ୍ତି । ସେମାନେ କହିଛନ୍ତି, ନିଜ ଅଞ୍ଚଳରେ କାମଧନ୍ଦା ମିଳୁ ନାହିଁ । ଫଳରେ ବାଧ୍ୟ ହୋଇ ସେମାନେ ରାଜ୍ୟ ବାହାରକୁ ଯାଉଛନ୍ତି । ଜଣେ ଦଲାଲ ସେମାନଙ୍କୁ ବିଜୟନଗରମରୁ ଚାଲାକୁଡ଼ି ନେବ । ଗତ ଚାରି ଦିନ ଭିତରେ ୫୦ରୁ ଅଧିକ ଶ୍ରମିକ ସପରିବାର ରେଳରେ ଅନ୍ୟ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । 

ରାୟଗଡ଼ା ଜିଲ୍ଲା ଦାଦନ ଚାଲାଣର ହବ୍‌ ପାଲଟିଛି । ଜିଲ୍ଲାର ୧୧ଟି ବ୍ଲକ୍‌ରୁ କଲ୍ୟାଣସିଂହପୁର, ଚନ୍ଦ୍ରପୁର, କାଶୀପୁର ଓ ଗୁଡ଼ାରୀରୁ ସର୍ବାଧିକ ଶ୍ରମିକ ଚାଲାଣ ହେଉଛି । କେବଳ ପ୍ରାପ୍ତ ବୟସ୍କ ନୁହନ୍ତି, ସେମାନଙ୍କ ସହ ନାବାଳକ ଓ ନାବାଳିକା ମଧ୍ୟ ଯାଉଛନ୍ତି । ବିଶେଷକରି କାଶୀପୁର ବ୍ଲକ୍‌ ଚିଲିଗୁଡ଼ା, ତଳଡେସ୍କା, କେଶକେରୀ, ଚାନ୍ଦଗିରି, ସିନ୍ଦୁରଘାଟି, କଣ୍ଟାମାଳ, ତଳଝିରି, ବନ୍ତେଜି, ସରାମବାଇ, ମାଣ୍ଡିଝୋଲା, ରାଉତଘାଟି, ବଡ଼ମାଗୁରୁ, ଅଡାଗକିରି, ଶିଆଡ଼ିମାଳ, ବାହାରଦୁଲୁକି, ଭିତରଦୁଲୁକି, ପଦାମାଝୀ, ବାରିଗୁଡ଼ା, ଭ୍ରମରଝରି, ରାଉତଘାଟି, କଲ୍ୟାଣସିଂହପୁର ବ୍ଲକ୍‌ ବିଜୟନଗର, ପାଲମା, ଶିରିପୁର, ଭାଲୁମସ୍କା, ସେରିଗୁମ୍ମା, ଫୁଲଗୁଡ଼ା, ଲକ୍ଷ୍ମୀନଗର, ଚନ୍ଦ୍ରପୁର ବ୍ଲକ୍‌ର ବେଲଗୁଡ଼ା, ଜାରପା, ବନ୍ଦରି, କତାସୁର, ଗେଣ୍ଡାବାଜୁ, ଖିଲୁଣ୍ଡି, ରାଇବିଜି, ଗୁଛୁକାବାଙ୍ଗୁ ଗାଁର ଶତାଧିକ ଶ୍ରମିକ କେରଳ ସମେତ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ଦାଦନ ଖଟୁଛନ୍ତି । ଥରେ ସେମାନେ ସେହି ସ୍ଥାନରେ ପହଞ୍ଚିବା ପରେ ଗାଁ ଓ ପରିବାର ସହିତ ବହୁ କଷ୍ଟରେ ସମ୍ପର୍କ କରିପାରୁଛନ୍ତି । ଅନ୍ୟପକ୍ଷରେ ଦାଦନ ଖଟିବାକୁ ଯାଇ କିଏ ନିଖୋଜ ହେଉଛି ତ ଆଉ କାହାର ମୃତ୍ୟୁ ହେଉଛି ତ ଆଉ କିଏ ନିର୍ଯାତନା ସହି ଘରକୁ ଫେରୁଛନ୍ତି । ଦୁଃଖର ବିଷୟ, ଜିଲ୍ଲା ଶ୍ରମ ବିଭାଗ ନିକଟରେ ଶ୍ରମିକଙ୍କ ସମ୍ପର୍କରେ କୌଣସି ତଥ୍ୟ ରହୁନାହିଁ । ନାଁକୁ ମାତ୍ର ଏହି ବିଭାଗ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶ୍ରମିକଙ୍କ ପଞ୍ଜୀକରଣ କରିବାକୁ ପଞ୍ଚାୟତଗୁଡ଼ିକୁ ଦିଆଯାଇଥିବା ଦାୟିତ୍ୱ ନାଁକୁ ମାତ୍ର ଚାଲିଛି । ଏହାର ସ୍ଥାୟୀ ପ୍ରତିକାର ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଏ ସମ୍ପର୍କରେ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, ଦାଦନ ରୋକିବା ପାଇଁ ସେ ବହୁବାର ଶ୍ରମ ବିଭାଗକୁ ଅବଗତ କରାଇଛନ୍ତି । ଦଲାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏମିତିକି ଘର ପାଖରେ ଶ୍ରମିକଙ୍କ ପାଇଁ କାମ ଯୋଗାଡ଼ କରିବା ପାଇଁ ମଧ୍ୟ ସେ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.